ଏସ୍ଇବିସି ସଂରକ୍ଷଣ ବ୍ୟବସ୍ଥା ରଦ୍ଦ

ohc1

ହାଇକୋର୍ଟରେ ସ୍ୟାଟ୍ ରାୟ କାଏମ୍
କଟକ,୧୯ା୭(ବୁ୍ୟରୋ): ସାମାଜିକ, ଅର୍ଥନୈତିକ ପଛୁଆବର୍ଗ (ଏସ୍ଇବିସି)ଙ୍କ ଲାଗି ସରକାରୀ ଚାକିରି କ୍ଷେତ୍ରରେ ୨୭% ସ୍ଥାନ ସଂରକ୍ଷଣ ଲାଗି ସରକାର କରିଥିବା ଆଇନକୁ ସ୍ୟାଟ୍ ନାକଚ କରି ଯେଉଁ ରାୟ ଦେଇଥିଲେ ତାହାକୁ ଓଡ଼ିଶା ହାଇକୋର୍ଟ କାଏମ୍ ରଖିଛନ୍ତି । କୋର୍ଟ ସମସ୍ତ ପକ୍ଷଙ୍କ ଯୁକ୍ତିକୁ ଶୁଣି ଏହି ମାମଲାର ବିସ୍ତୃତ ଶୁଣାଣି କରି ଜୁନ ୨୯ରେ ରାୟ ସଂରକ୍ଷିତ ରଖିଥିଲେ । ଫଳରେ ସରକାରଙ୍କୁ ପୁଣି ଏକ ଅଦାଲତ ଝଟ୍କା ଲାଗିଛି । ସୂଚନାଯୋଗ୍ୟ, ୨୦୦୮ ମସିହାରେ ବିଧାନସଭାରେ ଆଲୋଚନା ପରେ ଏ ସଂକ୍ରାନ୍ତ ବିଲ୍ ପାରିତ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିଲା । ବିଲ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏସଇବିସିଙ୍କ ଲାଗି ସଂରକ୍ଷଣ ଆଇନ୍ରେ ୨୭% ସ୍ଥାନ ସଂରକ୍ଷଣ ରଖାଯାଇଥିଲା । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଅନୁସୂଚୀତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ପୂର୍ବରୁ ୩୮.୭୫% ସଂରକ୍ଷଣ ଥିବାବେଳେ ନୂଆ ଆଇନ୍ ଅନୁଯାୟୀ ସ୍ଥାନ ସଂରକ୍ଷଣ ୬୫.୭୫%ରେ ପହଞ୍ଚôଥିଲା । ଏହି ଆଇନ୍କୁ ସମ୍ବିଧାନର ନବମ ଅନୁଚ୍ଛେଦରେ ସ୍ଥାନୀତ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଚିଠି ଲେଖିଥିବାବେଳେ ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ନୂଆ ସଂରକ୍ଷଣ ଆଇନ୍ କାର୍ଯ୍ୟକାରୀ ହୋଇଥିଲା । ଏହି ଆଇନ୍କୁ ବାତିଲ କରିବା ଦାବିରେ ଜଣେ ଚାକିରି ପ୍ରତ୍ୟାଶୀ ସ୍ୟାଟ୍ରେ ଏକ ମାମଲା ରୁଜୁ କରିଥିଲେ । କୌଣସି ଅଦାଲତ ଏହାକୁ ବାତିଲ କରିନଥିବାରୁ ଏହା ବଳବତ୍ତର ରହିବ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ମୁତାବକ କ୍ୱାଣ୍ଟିଫିଏବଲ୍ ଡାଟା ସଂଗ୍ରହ ନକରି ଓ ସମ୍ବିଧାନର ନବମ ଅନୁଚ୍ଛେଦରେ ସ୍ଥାନୀତ ନକରି ଏହାକୁ କାର୍ଯ୍ୟକାରୀ କରାଗଲେ ୫୦%ସ୍ଥାନ ସଂରକ୍ଷଣ ବ୍ୟବସ୍ଥାର ଉଲ୍ଲଂଘନ ଦର୍ଶାଇ ସ୍ୟାଟ୍ ଏହାକୁ ରଦ୍ଦ କରିଥିଲେ । ରାଜ୍ୟ ସରକାର ସ୍ୟାଟ୍ ରାୟକୁ ଅସିଦ୍ଧ ଘୋଷଣା କରିବା ପାଇଁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ । ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପିପି ରାୟ, ଆଡ୍ଭୋକେଟ୍ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର ଯୁକ୍ତି ଉପସ୍ଥାପନ କରିଥିବାବେଳେ ପ୍ରତିପକ୍ଷ ଅମର ଛାଟୋଇଙ୍କ ପକ୍ଷରୁ ସ୍ୟାଟ୍ର ପୂର୍ବତନ ଓକିଲ ପ୍ରହଲ୍ଲାଦ ସିଂହ, ଅନ୍ୟତମ ଓକିଲ ଅମୀୟ ଛାଟୋଇ ଏହି ମାମଲା ଲଢ଼ି ସରକାରଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ । ବିଚାରପତି ସଂଜୁ ପଣ୍ଡା ଓ ସୁଜିତ ନାରାୟଣ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିସ୍ତୃତ ଶୁଣାଣି କରିବା ପରେ ସ୍ୟାଟ୍ ରାୟକୁୂ କାଏମ୍ ରଖିବା ସହ ଓଡ଼ିଶା ସରକାରଙ୍କ ରିଟ୍ ଆବେଦନକୁ ଖାରଜ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ କେନ୍ଦ୍ର ସରକାର ଏସଇବିସିଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ ରଖିଥିଲାବେଳେ ଓଡ଼ିଶା ପାଇଁ ଏହା ପ୍ରଯୁଜ୍ୟ । ଓଡ଼ିଶାରେ ଏସ୍ସି ଏସ୍ଟିଙ୍କ ସଂରକ୍ଷଣ ସୀମା ଜାତୀୟ ହାରଠାରୁ ଅଧିକ ରହୁଥିବାରୁ ଏହା ବିରୁଦ୍ଧରେ ଆବେଦନକାରୀ କାହିଁକି ସ୍ୟାଟ୍ରେ ସ୍ୱର ଉତ୍ତୋଳନ କରିଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଉଲ୍ଲେଖଯୋଗ୍ୟ, ମଣ୍ଡଳ କମିଶନ ଗଣ୍ଡଗୋଳ ଉପରେ ବିଜୁ ପଟ୍ଟନାୟକ ସରକାର ଜଷ୍ଟିସ୍ ଏନ୍କେ ଦାସ କମିଶନ ବସାଇ ପଛୁଆବର୍ଗଙ୍କ ଲାଗି ୧୧.୨୫% ସ୍ଥାନ ସଂରକ୍ଷଣ କରିଥିଲେ । ପରେ ଏହାକୁ ୨୭% ବଢ଼ାଯାଇଥିଲା । ସ୍ୟାଟ୍, ହାଇକୋର୍ଟ ଓ ସୁପ୍ରିମକୋର୍ଟ ଏହି ବର୍ଦ୍ଧିତ ସଂରକ୍ଷଣକୁ ନାକଚ କରିଦେବା ପରେ ଆଇନ୍ ଅଦାଲତଙ୍କ ରାୟ ପ୍ରତିବନ୍ଧକ ସୃଷ୍ଟିନକରିବ ତାହାକୁ ଦୃଷ୍ଟିରେ ରଖି ବିଧାନସଭାରେ ବିଲ୍ ଆଣି ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିଥିଲେ ।