2page-img1-2

ଟେଲିଫୋନ୍ ପାଲଟିବ ଇତିହାସ

19

ନୂଆଦିଲ୍ଲୀ,୨୮ା୪(ଏଜେନ୍ସି): ହୁଏତ ଆଉ କିଛି ଦିନ ପରେ ଟେଲିଫୋନ୍ ଇତିହାସ ପାଲଟିବ । ଟେଲିଫୋନ୍ ସ୍ଥାନରେ ରାଜୁତି କରିବ ଭିଓଆଇପି (ଭଏସ୍ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ୍) ବା ଇଣ୍ଟରନେଟ୍ ଯୋଗେ ସ୍ୱରପ୍ରେରଣ ବ୍ୟବସ୍ଥା । ଅର୍ଥାତ୍ ଲ୍ୟାଣ୍ଡଲାଇନ୍ ଓ ମୋବାଇଲ ପରି ଲୋକମାନେ ଇଣ୍ଟରନେଟ୍ ଜରିଆରେ ମଧ୍ୟ କଥାବାର୍ତ୍ତା ହୋଇପାରିବେ । କେବଳ ସେତିକି ନୁହେଁ ଲୋକମାନେ କଥାବାର୍ତ୍ତା ହେବା ସହିତ ଅପରପକ୍ଷର ଚେହେରା ଦେଖିପାରିବେ । ଏହି ଜ୍ଞାନକୌଶଳ ଜରିଆରେ ଭଏସ୍ କଲ୍ ବା କଥାବର୍ତ୍ତା ମୋବାଇଲ୍ ଓ ଲ୍ୟାଣ୍ଡଲାଇନ୍ ତୁଳନାରେ ବହୁ ପରିମାଣରେ ଶସ୍ତା ରହିବ । ଏବେ କେତେକ ନିର୍ଦ୍ଧିଷ୍ଟ ଆପ୍ସ ବା ଦେୟଯୁକ୍ତ ସଫ୍ଟୱେର ଓ ଉପକରଣରେ ଏହି ସୁବିଧା ଉପଲବ୍ଧ ଥିବା ବେଳେ ଅତ୍ୟାଧୁନିକ ସୂଚନା ପ୍ରଯୁକ୍ତି ବିଦ୍ୟାର ନୂଆ ନୂଆ କୌଶଳ ଉଦ୍ଭାବନ ହେବା ସହିତ ଭିଓଆଇପି ଆହୁରି ସୁଲଭ ଓ ସହଜ ହୋଇଯିବ । ଏହାର ପ୍ରଭାବରେ କାଳକ୍ରମେ ଟେଲିଫୋନ୍ ଟେଲିଗ୍ରାମ୍ର ଦଶା ଭୋଗିବାକୁ ପଡ଼ିପାରେ । ଅପରପକ୍ଷରେ ଶସ୍ତା ଆପ୍ସ ଯୋଗୁଁ ରାଜସ୍ୱ ପ୍ରଭାବିତ ହେଉଥିବା ଅଭିଯୋଗରେ ନେଟ୍ ନୁ୍ୟଟା୍ରଲିଟିରେ ସଂସ୍କାର ପାଇଁ ଚାପ ପକାଉଥିବା ଟେଲିକମ୍ ଅପରେଟରମାନଙ୍କ ପାଇଁ ଭିଓଆଇପି ପୁଣି ଏକ ଆହ୍ୱାନ ସୃଷ୍ଟି କରିବ ।
ଏକଦା ତ୍ୱରିତ୍ ବାର୍ତ୍ତା ପ୍ରେରଣର ଏକମାତ୍ର ମାଧ୍ୟମ ଥିଲା ଟେଲିଗ୍ରାମ୍ । କାଳକ୍ରମେ ଏହାକୁ ଆଉ କିଛିଟା ସହଜ କଲା ଟେଲିଫୋନ୍ । ପ୍ରାଥମିକ ପର୍ଯ୍ୟାୟ ବା ବିଗତ ଶତାବ୍ଦୀର ୮୦ ଦଶକ ପର୍ଯ୍ୟନ୍ତ ଟେଲିଫୋନ୍ ସୁବିଧା ଓ ବ୍ୟବହାର କେବଳ ସରକାରୀ ଓ ପ୍ରତିଷ୍ଠିତ ବୃହତ୍ ବେସରକାରୀ କାର୍ଯ୍ୟାଳୟ ଏବଂ ମୁଷ୍ଟିମେୟ ପ୍ରତିଷ୍ଠିତ, ସମ୍ଭ୍ରାନ୍ତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୀମିତ ଥିଲା । କାଳକ୍ରମେ ଏହାର ବ୍ୟବହାର ପରିସୀମା କିଛିଟା ପରିବ୍ୟାପ୍ତ ହୋଇଥିଲେ ହେଁ ୯୦ ଦଶକର ଶେଷ ଭାଗ ପର୍ଯ୍ୟନ୍ତ ଏହା ମଧ୍ୟବିତ୍ତ ବର୍ଗ ଓ ପ୍ରାୟ ଅଧିକାଂଶ ଘରୋଇ କାର୍ଯ୍ୟାଳୟର ହାତପାଆନ୍ତାକୁ ଆସିଯାଇଥିଲା । ତଥାପି ଦୂରଦୂରନ୍ତରକୁ ବାର୍ତ୍ତା ପ୍ରେରଣ କିମ୍ବା କଥାବାର୍ତ୍ତା ପାଇଁ ଟ୍ରଙ୍କ କଲ୍ ପରି ନିୟନ୍ତ୍ରିତ ପଦ୍ଧତି ଦେଇ ଯିବାକୁ ପଡ଼ୁଥିଲା । କିନ୍ତୁ ସୂଚନା ପ୍ରଯୁକ୍ତି ବିଦ୍ୟା ବିପ୍ଳବ ପରେ ପାଖାପାଖି ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଟେଲିଫୋନ୍ ଆଉ ନିର୍ଦ୍ଧିଷ୍ଟ ଗୋଷ୍ଠୀ ମଧ୍ୟରେସୀମିତ ନ ରହି ସାଧାରଣ ଲୋକଙ୍କ ହାତକୁ ଆସିଲା । ପ୍ରତିଯୋଗିତାପୂର୍ଣ୍ଣ ବଜାରରେ ଏକାଧିକ ଟେଲିକମ୍ ଅପରେଟରଙ୍କ ପ୍ରବେଶ ଫଳରେ ଟେଲିଫୋନ୍ କଲ୍ ଆଶାତୀତ ଭାବେ ଶସ୍ତା ଓ ସୁଲଭ ହେଲା । ଟେଲିଫୋନ୍ ସାଧାରଣ ଜୀବନଚର୍ଯ୍ୟାର ଏକ ଅପରିହାର୍ଯ୍ୟ ଉପାଦାନ ରୂପେ ପରିଗଣିତ ହେଲା ।
ଚଳିତ ଶତାବ୍ଦୀର ପ୍ରାରମ୍ଭରେ ଏଥିରେ ହଠାତ୍ ପରିବର୍ତ୍ତନ ଆସିଲା । ପ୍ରତିଯୋଗିତା ବଜାରରେ ତିଷ୍ଠି ରହିବା ପାଇଁ ଟେଲିଫୋନ୍ ଅପରେଟମାନେ ଅତି କମ୍ ତାରିଫ୍ରେ ଉପଭୋକ୍ତାଙ୍କୁ ଟେଲିଫୋନ୍ ସେବା ଯୋଗାଇବା ଫଳରେ ସେମାନଙ୍କ ରାଜସ୍ୱ ବହୁ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଲା । ଏକଦା ଲାଭଦାୟକ କ୍ଷେତ୍ର ରୂପେ ପରିଗଣିତ ଟେଲିକମ୍ ଶିଳ୍ପରେ ଜଡ଼ିତ ସଂସ୍ଥାଙ୍କ ଆର୍ଥିକ ସ୍ଥିତିରେ ଅଧୋଗତି ଦେଖାଦେଲା । ଏହାପରେ କାର୍ଟାଲାଇଜିଂ (ବ୍ୟବସାୟିକ ଫାଇଦା ପାଇଁ ଅଭିସନ୍ଧି) ଜରିଆରେ ତାରିଫ୍ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଲା । ମାତ୍ର ତିନି ଚାରି ବର୍ଷ ମଧ୍ୟରେ ତାରିଫ୍ ମୂଲ୍ୟ ପ୍ରାୟ ୭୦% ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଲା । ମୋବାଇଲ୍ ତାରିଫ୍ ବୃଦ୍ଧି ପରେ ସାଧାରଣ ଜୀବନଚର୍ଯ୍ୟାରେ ଫୋନ୍ ବ୍ୟବହାରରେ ଅଭ୍ୟସ୍ତ ହୋଇସାରିଥିବା ଜନସାଧାରଣ ଏକ ଶସ୍ତା ସୁଲଭ ବିକଳ୍ପ ଯୋଗାଯୋଗ ବ୍ୟବସ୍ଥାର ସନ୍ଧାନରେ ଥିବା ବେଳେ ହ୍ୱାଟ୍ସଆପ୍, ଗୁଗୁଲ୍ ପ୍ଲସ୍ ପରି କେତେକ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଉପଭୋକ୍ତାଙ୍କ ଏହି ଆଶା ପୂରଣ ଦିଗରେ ଅଣ୍ଟାଭିଡ଼ିଲେ । ଫେସ୍ବୁକ୍, ଟ୍ୱିଟର, ଗୁଗୁଲ୍ ଚାଟ୍ ଜରିଆରେ ଲୋକମାନେ ମାଗଣାରେ ପ୍ରତ୍ୟକ୍ଷ ବାର୍ତ୍ତା ପ୍ରେରଣରେ ସକ୍ଷମ ହେଉଥିବା ବେଳେ କୁଲ୍ଟକ୍, ନେଟ୍ମିଟିଙ୍ଗ୍ ପରି କେତେକ ଇଣ୍ଟରନେଟ୍ ସେବାପ୍ରଦାନକାରୀ ସଂସ୍ଥା ସୁଲଭ ମୂଲ୍ୟରେ ଟେଲିଫୋନିକ୍ ଇଣ୍ଟରନେଟ୍ ବା ଇଣ୍ଟରନେଟ୍ ଯୋଗେ କଥାବର୍ତ୍ତା ସୁବିଧା ଆରମ୍ଭ କଲେ ।
ଏହିକ୍ରମରେ ଫେସ୍ବୁକ୍ର ପ୍ରତିଷ୍ଠାତା ଜୁକରବର୍ଗ ଏବେ ଆଉ ଏକ ବିପ୍ଲବ ଆଣିଛନ୍ତି । ଫେସ୍ବୁକ୍ ମେସେଞ୍ଜରରେ ଆରମ୍ଭ ହୋଇଛି ମାଗଣା ଭିଓଆପି ସୁବିଧା । ଏହାଦ୍ୱାରା ଫେସ୍ବୁକ୍ ଆକାଉଣ୍ଟଧାରୀମାନେ ଚାଟ୍ ସହିତ କଥାବାର୍ତ୍ତା ହୋଇପାରିବେ । ସେଲ୍ଫି ିକିମ୍ବା ବ୍ୟାକ୍ସାଇଡ୍ କ୍ୟାମେରା ଯୋଗେ ପରସ୍ପରର ଚେହେରା ଦେଖିପାରିବେ । ଏପରିକି କମ୍ପୁ୍ୟଟର ଓ ଲାପ୍ଟପ୍ରେ ମୋବାଇଲ୍ କଡ୍ ସଂଯୋଗ କରି ଏହି ସୁବିଧା ପାଇପାରିବେ । ଅପରପକ୍ଷର ଭିଡିଓ ଚିତ୍ର ଦେଖିବା ଓ ନିଜ ପକ୍ଷର କ୍ୟାମେରା ବା ଭିଡିଓ ସୁବିଧାକୁ ଅକାମୀ କରିବାର କୌଶଳ ମଧ୍ୟ ଏଥିରେ ଉପଲବ୍ଧ ହେଉଛି । ୱାଇଫାଇ ସୁବିଧା ଥିବା ଆଇଓଏସ୍ ଓ ଆଣ୍ଟ୍ରୋଏଡ୍ ସଫ୍ଟୱେରଯୁକ୍ତ ଉପକରଣରେ ଏହି ସୁବିଧା ହାସଲ ହୋଇପାରୁଛି । ଫେସ୍ବୁକ୍ ମେସେଞ୍ଜରରେ ଆକାଉଣ୍ଟଧାରୀ ଆସେସ୍ କରିବା ମାତ୍ରେ ଡାହାଣ ଶୀର୍ଷ କୋଣରେ ଲାଲ୍ ରଙ୍ଗର ଆଇକନ୍ ବା ସୂଚକ ଦେଖାଯିବ, ଯାହା ଭଏସ୍ କଲ୍ ପାଇଁ ପ୍ରସ୍ତୁତ ବୋଲି ସୂଚନା ଦେବ । ଫେସ୍ବୁକ୍ ଏହି ସୁବିଧା ପ୍ରାଥମିକ ପର୍ଯ୍ୟାୟରେ ଆମେରିକା, କାନାଡ଼ା, ଇଂଲଣ୍ଡ ଆଦି ୧୫ଟି ପାଶ୍ଚାତ୍ୟ ଦେଶରେ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଅଞ୍ଚଳକୁ ପରିବ୍ୟାପ୍ତ କରିବାକୁ ଯୋଜନା ରଖିଛି । ଇତିମଧ୍ୟରେ ଫେସ୍ବୁକ୍ ମେସେଞ୍ଜର ଏହି ନୂଆ ସୁବିଧା ଜରିଆରେ ମୋବାଇଲ୍ ଭିଓଆଇପିର ୧୦% ବଜାର ଅଂଶ ଦଖଲ କରିନେଇଥିବା ଦାବି କରିଛି । ଇଣ୍ଟରନେଟ୍ ଓ ମୋବାଇଲ୍ ଫୋନ୍ ବ୍ୟବହାରରେ ଭାରତ ବିଶ୍ୱରେ ଏକ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଥିବା ଯୋଗୁଁ ଫେସ୍ବୁକ୍ର ଏହି ଜ୍ଞାନକୌଶଳ ଖୁବ୍ ଶୀଘ୍ର ଭାରତୀୟମାନେ ପାଇପାରିବେ ବୋଲି ଆଶା କରାଯାଉଛି । ଆଳାପପ୍ରିୟ ଭାରତୀୟମାନଙ୍କ ପାଇଁ ଏହା ଏକ ବରଦାନ ସାବ୍ୟସ୍ତ ହେବାକୁ ଯାଉଥିବା ବେଳେ ନେଟ୍ ନୁ୍ୟଟ୍ରାଲିଟି କ୍ଷେତ୍ରରେ ସଂସ୍କାର ଅଭିମୁଖୀ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ)ର ଆଭିମୁଖ୍ୟ ଭିଓଆଇପି କ୍ଷେତ୍ରରେ କଣ ରହିବ ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।




Powered by odothemes.com