କଳାହାଣ୍ଡି, ରାୟଗଡ଼ାରେ ସ୍ଥିତି ଗମ୍ଭୀର

IMG-20170717-WA0092

ନାଗାବଳୀ, କଲ୍ୟାଣୀ, ହାତୀ ନଦୀରେ ବନ୍ୟା
ରାୟଗଡା/ଗୁଣପୁର/ଭୁବନେଶ୍ୱର, ୧୭ା୭ (ଆପ୍ର): ନାଗାବଳୀ, କଲ୍ୟାଣୀ ଓ ହାତୀ ନଦୀରେ ପ୍ରବଳ ବନ୍ୟାଯୋଗୁ ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ରାୟଗଡ଼ା ବ୍ଲକ୍ର ୫୦ ଓ କଲ୍ୟାଣସିଂହପୁର ୨୦ ଗାଁର ୨୮ ହଜାର ଲୋକ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି । ରାୟଗଡ଼ା ଜିଲ୍ଲାରେ କାନ୍ଥପଡ଼ି ୫ ଜଣ ଲୋକ ଆହତ ହୋଇଛନ୍ତି । ସେହିଭଳି ହାତୀ ଓ ତେଲନଦୀରେ ବନ୍ୟା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର, କଲମପୁର, କୋକସରା ଓ ଜୟପାଟଣା ବ୍ଲକ୍ ବିଶେଷ ପ୍ରଭାବିତ ହୋଇଛି । ୭ଟି ବ୍ଲକ୍ରେ ଥିବା ୧୦ଟି ଗାଁର ୫୦୦ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ମାଟି ଅତଡ଼ା ଖସି ଜଣେ ଓ ବନ୍ୟାଜଳରେ ବୁଡ଼ି ୨ ଜଣ ଲୋକ ମୃତୁ୍ୟବରଣ କରିଛନ୍ତି ।
ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କଲ୍ୟାଣସିଂହପୁର ବ୍ଲକ୍ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ପଡିଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ଓଡ୍ରାଫ୍ ଟିମ୍ ଏବଂ ସିଆପିଏଫ୍ ତଥା ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାଜ୍ୟ ସରକାରଙ୍କ ତରଫରୁ ୪ଟି ହେଲିକପ୍ଟର ମାଧ୍ୟମରେ ଜଳବନ୍ଦୀରେ ଥିବା ଲୋକଙ୍କୁ ଉଦ୍ଧାର କରାଯିବା ସହ ଆକାଶମାର୍ଗରୁ ବନ୍ୟା ବିପନ୍ନ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ବ୍ଲକ୍ର ୨୦ଟି ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ ୧୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ୫୧୨ମିମି ବର୍ଷା ହୋଇଥିବାବେଳେ ବର୍ଷା ବନ୍ଦ ନହେବା ସ୍ଥଳେ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ଘଟୁଛି । ତେବେ ବନ୍ୟାପ୍ଳାବିତ ସ୍ୱାସ୍ଥ୍ୟ ଶିବିର ଖୋଲାଯିବା ସହ ଜଳବନ୍ଦୀ ଅଞ୍ଚଳର ପ୍ରଭାବିତ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ବନ୍ୟା ପରିସ୍ଥିତିରେ ସୁଧାର ଆସିନଥିବାବେଳେ କଲ୍ୟାଣସିଂହପୁର ବ୍ଲକ୍ରେ ୧୦ଟି ମାଗଣା ରନ୍ଧାଖାଦ୍ୟ ଶିବିର ଖୋଲାଯାଇ ବିପନ୍ନମାନଙ୍କୁ ଯୋଗାଇ ଦିଆଯାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଦେଖାଯାଉଥିବାବେଳେ ଆରଡବ୍ଲୁ୍ୟଏସ୍ଏସ୍ ତରଫରୁ ୫ଟି ପିଇବା ପାଣି ଟ୍ୟାଙ୍କର ଯୋଗାଇ ଦେବା ସହ ୧୨୫କେଭି ଜେନେରେଟର, ଉକ୍ରଳ ଆଲୁମୀନା ତରଫରୁ ୨୫୦କେଭି ୨ଟି ଜେନେରେଟର ଯୋଗାଇ ଦିଆଯାଇଛି ବୋଲି ଡାକ୍ତର ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି । ଅନୁରୂପ ବ୍ୟବସ୍ଥା ରାୟଗଡା ଜିଲ୍ଲା କୋଲନରା ବ୍ଲକ୍ ଅନ୍ତର୍ଗତ କୋଣପେଟା, ମାଲିଗାଁ, କେରେଡା, ବୈରାଗୀ ହାଲୁଆ, ଜମିଡିପେଟା ଏବଂ ପିତାମହଲ ପଞ୍ଚାୟତର ଲୋକ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କୁ ମାଗଣା ରୋଷେଇ ଖାଦ୍ୟ ଦିଆଯିବା ସହ ପିଇବା ପାଣିର ସୁବିଧା କରାଯାଇଥିବା ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାର କହିଛନ୍ତି ।
ସେହିଭଳି ଗୁଣପୁର ତଥା ଆଖପାଖ ଅଞ୍ଚଳର ଉପର ମୂୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବଂଶଧାରା ନଦୀ ସମେତ ବିଭିନ୍ନ ଶାଖା ନାଳରେ ଆଶାତୀତ ପାଣି ପ୍ରବାହିତ ହେଉଛି । ବଂଶଧାରା ନଦୀର ଜଳପତ୍ତନ ବୃଦ୍ଧି ପାଇବା ଫଳରେ ତଟବର୍ତ୍ତୀ ଗୁଣପୁର, ଗୁଡାରୀ, ଚାଲକମ୍ବା, ତୁର୍କାନୀଗୁଡା ଓ ପ୍ରଧାନୀଗୁଡା ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ସତର୍କ ରହିବା ସହିତ ଉଚ୍ଚସ୍ଥାନକୁ ଉଠିଯିବା ପାଇଁ ପ୍ରଚାର କରାଯାଉଛି । ଲଗାଣ ବର୍ଷା ଫଳରେ ଜୀବନଯାତ୍ରା ପ୍ରଭାବିତ ହେବାରେ ଲାଗିଛି । ରାମନାଗୁଡା ବ୍ଲକ୍ର ଲିମାପଦର ଗ୍ରାମ ମୁଖ୍ୟରାସ୍ତାରେ ନାଳପାଣି ନଦୀକୁ ନିଷ୍କାସନ ନହେବାରୁ ଗମନାଗମନ ସମସ୍ୟା ସୃଷ୍ଟି କରିଛି । ଆଜି ଗୁଣପୁରରେ ୧୦୯.୦୬ ମି.ମି, କୁଟ୍ରାଗଡରେ ୫୯.୦୬ ମି.ମି, ଗୁଡାରୀରେ ୭୭.୮ ମିମି ବର୍ଷା ହୋଇଛି । ଯାହା ଫଳରେ ବଂଶଧାରା ନଦୀରେ ୮୨.୦୨ ମିଟର ଜଳ ପ୍ରବାହିତ ହେଉଛି । ବିପଦ ସଙ୍କେତ ୮୩ ମିଟର ଥିବାବେଳେ ବର୍ତ୍ତମାନ ୮୨.୦୨ ମିଟର ଜଳ ପ୍ରବାହିତ ହେଉଛି । ସେହିଭଳି ବଂଶଧାରା ନଦୀର କାଶୀନଗରରେ ୫୨.୯୩ ମିଟର, କୁଟ୍ରାଗଡରେ ୨୬୦.୭୦ ମିଟର, ଗୁଡାରୀରେ ୧୧୫.୮୩ ମିଟର ଜଳ ପ୍ରବାହିତ ହେଉଛି ।
ରାୟଗଡ଼ା ବ୍ଲକ୍ରେ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବିଭାଗ, ଏନ୍ଡିଆର୍ଏଫ୍ ୟୁନିଟ୍କୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ପାଣିଘେରରେ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି । ୪ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ଅଣାଯାଇଥିବାବେଳେ ୧୫ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଜିଲ୍ଲା ପ୍ରଶାସନ ଦ୍ୱାରା ୫୧୬୬ ହିତାଧିକାରୀଙ୍କୁ ୧୮୦ କ୍ୱିଣ୍ଟାଲ ଚାଉଳ, ୨୯ କ୍ୱିଣ୍ଟାଲ ଡାଲି, ୩୧.୩୦ କ୍ୱିଣ୍ଟାଲ ଚୁଡ଼ା, ୧୩.୬ କ୍ୱିଣ୍ଟାଲ ଗୁଡ଼, ବିସ୍କୁଟ, ମହମବତୀ ଓ ଦିଆସିଲି ପ୍ୟାକେଟ୍ ଯୋଗାଇ ଦିଆଯାଇଛି । ଆକାଶମାର୍ଗରୁ ଖାଦ୍ୟପୁଡ଼ିଆ ପକାଯିବା ସହ ୪୦୦୦ ପ୍ରଭାବିତଙ୍କୁ ଖାଦ୍ୟପୁଡ଼ିଆ ବଣ୍ଟାଯାଇଛି । ରାୟଗଡ଼ା ବ୍ଲକ୍ର ୧୦ଟି ଓ କଲ୍ୟାଣସିଂହପୁର ବ୍ଲକ୍ରେ ୫ଟି ସ୍ୱାସ୍ଥ୍ୟସେବା ଶିବିର ଖୋଲାଯାଇ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କଲ୍ୟାଣସିଂହପୁରରେ ୪ଟି ପାଣି ଟ୍ୟାଙ୍କରରେ ପାଣି ଯୋଗାଇବା ସହ ୭ ହଜାର ପାଣି ପାଉଚ୍ ବଣ୍ଟାଯାଇଛି । ୧୦ଟି ପିଇବା ପାଣି ଉତ୍ସକୁ ବିଶୋଧନ କରାଯାଇଛି । ସେହିଭଳି କଳାହାଣ୍ଡି ଜିଲ୍ଲାରେ ମାଟି ଅତଡ଼ା ଖସି, ସନ୍ୟା ସାହୁ, ଚଞ୍ଚଳା ସାହୁ, ସବିତା ସାହୁ ଆହତ ହୋଇ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ୩୮୪ ଜଣ ଲୋକଙ୍କ ନିମନ୍ତେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ୨ଟି ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି । ଭବାନୀପାଟଣା ବ୍ଲକ୍ର ତରଟିପାଲି ଗାଁର ୧୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ଓ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିଛି । ୩ଟି ଭ୍ରାମ୍ୟମାଣ ପଶୁ ଚିକିତ୍ସା ଦଳ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଥିବାବେଳେ ପୂର୍ତ୍ତ ଓ ଅନ୍ୟ ରାସ୍ତା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଜଳ ହ୍ରାସ ପାଉଥିବାରୁ କଳାହାଣ୍ଡି ଓ ରାୟଗଡ଼ାରେ ପରିସ୍ଥିତିର ସୁଧାର ଆସିଛି । ସମସ୍ତ ପୂର୍ତ୍ତ ରାସ୍ତାକୁ ଖୋଲାଯାଇ ଗମନାଗମନକୁ ସୁବ୍ୟବସ୍ଥିତ କରାଯାଇଛି । ଜିଲ୍ଲା ପ୍ରଶାସନ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିଛି ଓ କ୍ଷୟକ୍ଷତିର ଆକଳନ ପରେ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଏସ୍ଆର୍ସି କହିଛନ୍ତି ।