ସରିଲା ମତଦାନ, ୨୦ରେ ଗଣତି

ରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୭ା୭(ବୁ୍ୟରୋ): ଦେଶର ୧୪ତମ ରାଷ୍ଟ୍ରପତି ପଦବୀ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଛି । ପୂର୍ବାହ୍ଣ ୧୦ଟାରୁ ସଂସଦ ସମେତ ରାଜ୍ୟର ବିଧାନସଭାରେ ଏହି ରାଷ୍ଟ୍ରପତି ପଦ ଲାଗି ଭୋଟ ଗ୍ରହଣ କରାଯାଇଛି । ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଓ କଂଗ୍ରେସ ସମେତ ୧୭ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ରାଷ୍ଟ୍ରପତି ପଦ ପାଇଁ ମୀରା କୁମାରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ତେବେ କୋବିନ୍ଦଙ୍କୁ ଏନ୍ଡିଏ ସମେତ ପ୍ରାୟ ୪୦ଟି ଦଳ ସମର୍ଥନ କରୁଛନ୍ତି । ସଂସଦରେ ମୁଖ୍ୟତଃ ରାଜ୍ୟସଭା ଓ ଲୋକସଭା ସାଂସଦମାନେ ଭୋଟ ଦେଉଥିବାବେଳେ ରାଜ୍ୟ ବିଧାନସଭାଗୁଡ଼ିକରେ ବିଧାୟକମାନେ ଭୋଟ ଦେଉଛନ୍ତି । ସଂସଦ ଭବନର ୬୨ ନମ୍ବର ପ୍ରକୋଷ୍ଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଅଧ୍ୟକ୍ଷ ଅମିତ ଶାହ, ବିଜେପି ନେତା ମୁରଲୀ ମନୋହର ଯୋଶୀ ସମେତ ବହୁ ନେତାମାନେ ନିଜ ନିଜର ମତଦାନ କରିଛନ୍ତି । ସେହିଭଳି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଭୋଟ୍ ଦେଇଛନ୍ତି । ସାଂସଦମାନଙ୍କ ପାଇଁ ମତପତ୍ର ସବୁଜ ରଙ୍ଗ ହୋଇଥିôବାବେଳେ ବିଧାୟକମାନଙ୍କ ପାଇଁ ମତପତ୍ର ଗୋଲାପି ରଙ୍ଗ ରଖାଯାଇଛି । ସମାଜବାଦୀ ପାର୍ଟିର ଶିବପାଲ ଯାଦବ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପ୍ରମୁଖ ନିଜ ନିଜର ମତଦାନ କରିଥିବାବେଳେ ଡିଏମ୍କେ ପ୍ରମୁଖ ଏମ୍କେ ଷ୍ଟାଲିନ୍ ତାମିଲନାଡୁ ବିଧାନସଭାରେ ଭୋଟ ଦେଇଛନ୍ତି । ତି୍ରପୁରାରେ ଟିଏମ୍ସିର ୬ଜଣ ବିଧାୟକ ଏନ୍ଡିଏ ସପକ୍ଷରେ ଥିବାବେଳେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ୟୁପିଏ ସପକ୍ଷରେ ଅଛନ୍ତି । ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଚଳିତ ମାସ ୨୪ତାରିଖରେ ଶେଷ ହେଉଥିବାବେଳେ ଏହାର ପରଦିନ ଅର୍ଥାତ୍ ୨୫ତାରିଖରେ ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବେ । ଏନ୍ଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ପଲା ଭାରି ରହିଥିôବା ରାଜନୈତିକ ସମୀକରଣରୁ ସ୍ପଷ୍ଟ । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ବିହାରର ପୂର୍ବତନ ରାଜ୍ୟପାଳ କୋବିନ୍ଦଙ୍କ ସପକ୍ଷରେ ନଜର ଆସୁଛନ୍ତି । ସେହିଭଳି ଜେଡିୟୁ ଓ ବିଜେଡି ଭଳି ଦଳ ମଧ୍ୟ ଏନ୍ଡିଏ ସପକ୍ଷରେ ଅଛନ୍ତି । ଜେଡିୟୁ ନିକଟରେ ନିର୍ବାଚନ ମଣ୍ଡଳୀର ମୋଟ୍ ୧.୯୧%ଭୋଟ ରହିଥିବାବେଳେ ବିଜେଡି ନିକଟରେ ୨.୯୯%ଭୋଟ ରହିଛି । ଏହାଛଡା ତେଲେଙ୍ଗାନାରେ ସତ୍ତାରୁଢ଼ ରାଷ୍ଟ୍ର ସମିତି (ଟିଆରଏସ୍) ନିକଟରେ ୨%, ଏଆଇଏଡିଏମ୍କେ ନିକଟରେ ୫.୩୯% ଏବଂ ୱାଇଏସ୍ଆର କଂଗ୍ରେସ ନିକଟରେ ୧.୫୩% ଭୋଟ ରହିଛି । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ରାଜନୈତିକ ଦଳମାନେ ଭୋଟ ଦେବା ପାଇଁ ହ୍ୱିପ୍ ଜାରି କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାଛଡା ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ରାଷ୍ଟ୍ରପତି ନିର୍ବାଚନରେ ସାଂସଦ ଓ ବିଧାୟକମାନଙ୍କୁ ଭୋଟ ବାକ୍ସ ନିକଟକୁ ପେନ୍ ନେବା ପାଇଁ ବାରଣ କରାଯାଇଛି ।