ପାଣି କମୁଛି, ଦୁର୍ଦ୍ଦଶା ବଢୁଛି

badambadi--(1)

କଟକ(ବୁ୍ୟରୋ): କଟକ ସହରରେ ବର୍ଷା ଟିକେ ବିଶ୍ରାମ ନେଇଛି । ତଥାପି ମଝିରେ ମଝିରେ ବର୍ଷା ହେଉଛି । କିଛି ତଳିଆ ଅଞ୍ଚଳରୁ ଜଳ ନିଷ୍କାସିତ ହୋଇଥିବାବେଳେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ରହିଛି । ଲୋକେ ପଦାକୁ ଗୋଡ଼ କାଢି ପାରୁନାହାନ୍ତି । ଯେଉଁଠି ପାଣି କମିଛି, ସେଠି କାଦୁଅ ପଚପଚ ହୋଇ ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଛି । କେତେକ ଅଞ୍ଚଳରେ ଲୋକେ ଦୁଇଦିନ ହେଲା ରୋଷେଇ କରି ନପାରି ଉପାସରେ ଅଛନ୍ତି । ବିଶେଷକରି ବସ୍ତିରେ ରହୁଥିବା ଲୋକମାନେ ବହୁ ଅସୁବିଧାରେ ଚଳୁଥିବା ଦେଖିବାକୁ ମିଳିଛି । ସେହିପରି ସହର ମଧ୍ୟରେ ଥିବା ଅନେକ ଶିକ୍ଷାନୁଷ୍ଠାନରେ ପାଣି ଭର୍ତ୍ତି ହୋଇରହିବାରୁ ପାଠପଢା ହୋଇପାରିନାହିଁ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଦିନକ ପାଇଁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି । ରେଭେନ୍ସା ପରିସରରେ ମଧ୍ୟ ଜଳ ନିଷ୍କାସନ ସମସ୍ୟା ଦେଖାଯାଇଛି । ରବିବାରଠାରୁ ସୋମବାର ପର୍ଯ୍ୟନ୍ତ ୧୮୧ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି । ନଦୀରେ ଏବେ ପାଣି ନଥିବାବେଳେ ବର୍ଷା ଜଳ ନିଷ୍କାସନରେ କ’ଣ ସମସ୍ୟା ରହିଲା, ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । କଟକ ସହରରେ ରବିବାର ମାତ୍ର ୩ଘଣ୍ଟା ବ୍ୟବଧାନରେ ୧୧୫ମିଲିମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯିବା ସହିତ ସାଆନ୍ତସାହି, ମହତାବ ରୋଡ୍, ବାଦାମବାଡ଼ି, ଯୋବ୍ରା, ପଟ୍ଟାପୋଲ, ପିଠାପୁର, ସୂତାହାଟ, ରାଣୀହାଟ, ବଜ୍ରକବାଟୀ ରୋଡ୍, ଫ୍ରେଣ୍ଡ୍‌ସ କଲୋନୀ, ସେମିନାର ଛକ, ଖପୁରିଆ, ନିମସାହି, ଝୋଲାସାହି, ଗହ୍ମାଣ୍ଡିଆ, ରାଉସପାଟଣା, ଥୋରିଆସାହି, କେଶରପୁର, ଯୋବ୍ରା, ଚାଉଳିଆଗଞ୍ଜ, ନୂଆପଡ଼ା ଆଦି ଖାଲୁଆ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦେଖାଯାଇଛି । ବାଦାମବାଡ଼ି, ପୁରୀ, ଅନୁଗୁଳ, ପାରାଦୀପ ବସଷ୍ଟାଣ୍ଡରେ ପାଣି ସାମାନ୍ୟ କମିଥିବାବେଳେ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ପାଲାମଣ୍ଡପ ବସଷ୍ଟାଣ୍ଡ ସାମ୍ନା ରାସ୍ତାରେ କାଦୁଅ ଯୋଗୁ ପଥିକମାନେ ଯାତାୟତରେ ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଛି । ଜଳ ନିଷ୍କାସନ ପାଇଁ ସିଏମ୍ସି ପକ୍ଷରୁ ୨୩୦ ପମ୍ପ ସେଟ ଚାଲିଥିବା ମହାନଗର ନିଗମ କମିଶନର ବିକାଶ ଦାସ ସୂଚନା ଦେଇଛନ୍ତି । ସେହିପରି ଜାଇକା ପକ୍ଷରୁ ୧୦ଟି ପମ୍ପ ସେଟ ବସିଥିବାବେଳେ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ୧୮ଟି ପମ୍ପ ସେଟ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନରେ ଲାଗିଛି । ପାଣି ଘେରରେ ଥିବା ରାଉସପାଟଣା ଓ ଷ୍ଟୁଆର୍ଟପାଟଣା ଅଞ୍ଚଳରେ ପାଖାପାଖି ୬ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦିଆଯାଇଛି ବୋଲି ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଜଳ ନିଷ୍କାସନ ବ୍ୟବସ୍ଥା, ଲୋକଙ୍କ ସମସ୍ୟା ବୁଝିବା ପାଇଁ ବିଭିନ୍ନ ଜୋନକୁ ନେଇ ୭ଟି ଟିମ୍ ଗଠନ କରାଯାଇଛି । ଏହି ଟିମରେ ତହସିଲଦାର, ଅତିରିକ୍ତ ତହସିଲଦାର ଓ ବିଡିଓମାନଙ୍କୁ ନିୟୋଜିତ କରାଯାଇଛି । ଟିମ ବିଭିନ୍ନ ସ୍ଥାନ ପରଦର୍ଶନ କରି ସିଏମ୍ସି ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏବେ ବି ୨୦ରୁ ଊଦ୍ଧ୍ୱର୍ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । ସିଏମ୍ସି କମିଶନର ଖାନନଗର, ମାତୃଭବନ ଆଦି ଅଞ୍ଚଳର ସ୍ଥିତି ପରାଖିବା ସହିତ ଲୋକଙ୍କ ସମସ୍ୟା ବୁଝିଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ସହର ସ୍ଥିତି ସମୀକ୍ଷା କରି ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।