ରାଜ୍ୟ ରାଜପଥରୁ ବିଚ୍ଛିନ୍ନ ହେବ ୫ ଗାଁ

DERRABISA--rasta-bidhyosta

ଡେରାବିଶ (ଆପ୍ର): କଟକ-ଚାନ୍ଦବାଲୀ ରାଜ୍ୟରାଜପଥ ନିର୍ମାଣକାରୀ ଠିକା ସଂସ୍ଥାର ବେପରୁଆ ନୀତି ଯୋଗୁ ଚାନେ୍ଦାଳ ବଜାରଠାରୁ ଅନୁ୍ୟନ ପାଞ୍ଚଟି ଗ୍ରାମ ବିଚ୍ଛିନ୍ନ ହେବା ସମ୍ଭାବନା ରହିଛି । ଠିକାସଂସ୍ଥାର ମନମାନି ଓ ସରକାରୀ ଅନୁମୋଦିତ ଢଙ୍ଗରେ କାର୍ଯ୍ୟ ନହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଞ୍ଚଳର ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି । ଘଟଣାରୁ ପ୍ରକାଶ, ଚାନେ୍ଦାଳ ବଜାର ଡେରାବିଶ ବ୍ଲକ୍ ଅଞ୍ଚଳର ଏକ ମୁଖ୍ୟ ବ୍ୟବସାୟସ୍ଥଳ ହୋଇଥିବାରୁ ପ୍ରତ୍ୟେହ ହଜାର ହଜାର ଜନସାଧାରଣ ଏହି ବଜାର ଉପରେ ନିର୍ଭର କରିଥାନ୍ତି । କଟକ-ଚାନ୍ଦବାଲୀ ରାସ୍ତା ନିର୍ମାଣ ସମୟରେ କେତେଜଣ ଲୋକଙ୍କ ଚକ୍ରାନ୍ତ ବା ଠିକାସଂସ୍ଥାର ଅଧିକାରୀଙ୍କୁ ପ୍ରଲୋଭିତ କରି ବଜାର ବସଷ୍ଟାଣ୍ଡ ଠାରେ ନିର୍ମିତ ପୋଲକୁ ନିଚା କରାଇବାରେ ସକ୍ଷମ ହୋଇଥିଲେ । ଏହି ପୋଲ ଦେଇ କେନାଲ ପାଣି ଠିକ ଢଙ୍ଗରେ ଯାଇପାରିବ ନାହିଁ ବୋଲି ଅଞ୍ଚଳବାସୀ ହୃଦୟଙ୍ଗମ କରି ପ୍ରତିବାଦ ସ୍ୱରୁପ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ । ପୋଲର ଗୋଟିଏ ପଟ କଲଭର୍ଟ ପଡିଥିବା ବେଳେ ଅନ୍ୟଗୋଟିଏ ପଟକୁ ଛାଡିଦେଇ ଠିକାସଂସ୍ଥା କାମ ବନ୍ଦକରି ବସିରହିଛି । ତଡା ହୋଇଥିବା ପାଣିଓଳା ରାସ୍ତା କଡରୁ ମାଟି ଅତଡା ଖସି ରାସ୍ତାକୁ ଅର୍ଦ୍ଧାଧିକ ଗ୍ରାସ କରିସାରିଥିବା ଦେଖିବାକୁ ମିଳିଛି । ରାସ୍ତାଟି ଚାନେ୍ଦାଳ ବଜାର ବସଷ୍ଟାଣ୍ଡଠାରୁ କେନାଲ ବନ୍ଧ ଦେଇ ପାଣିଓଳାକୁ ଯାଇଥିବା ବେଳେ ମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ, ପାଣିଓଳା ବିଦୁ୍ୟତ୍ କାର୍ଯ୍ୟାଳୟ ସମେତ ମୁକୁନ୍ଦପୁର, ଅର୍ତ୍ତାମୂଳ, ଶ୍ରୀଧରପୁର ଓ ନଚ୍ଛିପୁରା ଗ୍ରାମବାସୀ ଦୈନନ୍ଦିନ ଯାତାୟାତ ପାଇଁ ନିର୍ଭର କରିଥାନ୍ତି । ମାଟି ଅତଡା ଖସି ରାସ୍ତାରୁ ଅଧେ ଖାଇଯାଇଥିବା ବେଳେ ଉକ୍ତ ରାସ୍ତା ଦେଇ ଚାରିଚକିଆ ଯାନ ଯିବା ବନ୍ଦ ହୋଇଯାଇଛି । ଚଳିତ ଲଗାଣ ବର୍ଷା ଯଦି ଆଉ ଦୁଇଦିନ ହୁଏ ତେବେ ପାଞ୍ଚଟି ଗ୍ରାମ ରାଜ୍ୟରାଜପଥରୁ ବିଛିନ୍ନ ହୋଇଯିବା ସମ୍ଭାବନା ଦେଖାଦେଇଛି ।