ଲଗାଣ ବର୍ଷାରେ ନିମାପଡା ଏନ୍ଏସି ଉବୁଟୁବୁ

nimapada

ନିମାପଡା (ଆପ୍ର): ଲଘୁଚାପ ପ୍ରଭାବରେ ୨ଦିନ ଧରି ଲଗାଣ ବର୍ଷା ହେବା ଯୋଗୁ ନିମାପଡା ପୌରାଞ୍ଚଳର ବହୁ ଅଂଚଳ ଜଳମଗ୍ନ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରକାଶ ଥାଉକି ଆଜକୁ ୪୬ ବର୍ଷ ତଳେ ୨ଟି ଗ୍ରାମପଞ୍ଚାୟତକୁ ନେଇ ନିମାପଡା ବିଜ୍ଞାପିତ ଅଂଚଳ ଗଠିତ ହୋଇଥିଲା । ଇତି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ କ୍ଷମତା ଦଖଲ କରିଥିଲେ ମଧ୍ୟ ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା ଓ ପ୍ରତିବଦ୍ଧତାର ଅଭାବ ଯୋଗୁଁ ଏହି ବିଜ୍ଞାପିତ ଅଂଚଳ ପରିଷଦରେ ଏକ ନିଦ୍ଧିଷ୍ଟ ମାଷ୍ଟରପ୍ଲାନ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ପାରିନାହିଁ । ଯାହା ଫଳରେ ଅସରାଏ ବର୍ଷାରେ ୧୧ଟି ଓ୍ୟାର୍ଡର ସମସ୍ତ ତଳି ଅଂଚଳ ବାସିନ୍ଦା ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସ୍କୁଲ କଲେଜ ଛାତ୍ରଛାତ୍ରୀ ଆଣ୍ଠୁଏ ପାଣିରେ ବର୍ଷା ୪ମାସ ପର୍ଯ୍ୟନ୍ତ ଯାଆସ କରୁଛନ୍ତି । ଦୀର୍ଘ ୪ମାସ କାଳ ପାଣି ନିଷ୍କାଷିତ ନହୋଇ ପାଣି ଜମି ରହିବା ଫଳରେ ପରିବେଶ ପ୍ରଦୂଷିତ ହୋଇ ନାନା ପ୍ରକାର ସଂକ୍ରାମକ ରୋଗ ବ୍ୟାପିଥାଏ । ନିମାପଡାର ମଠସାହି, ମହାବୀର କଲୋନୀ, ଶ୍ରୀରାମ ନଗର, ଅମଲାପଡା, ଗୁହାଳପଡା ଇତ୍ୟାଦି ଅଂଚଳରୁ ଜଳ ନିଷ୍କାସନ ନହୋଇ ଜମିରହୁଛି । ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।