ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା

Kalaynsinghpur-flood-(1)

ରାୟଗଡା, ୧୬ ।୭ (ଆପ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ରାୟଗଡ଼ାର କଲ୍ୟାଣସିଂହପୁର ବ୍ଲକ୍ରେ ବନ୍ୟା ବିତ୍ପାତ ଦେଖାଦେଇଛି । ନାଗାବଳୀ ଓ କଲ୍ୟାଣୀ ନଦୀରେ ବନ୍ୟା ଆସିବା ଦ୍ୱାରା କଲ୍ୟାଣସିଂହପୁର ରାୟଗଡ଼ା ବ୍ଲକ୍ର ୧୨ ଗାଁ ପ୍ରଭାବିତ ହୋଇଛି । ୩ଟି ପୋଲ ଭାସିଯିବା ସହ ଗମନାଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ରାୟଗଡ଼ା ଓ ଆନ୍ଧପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଥିରୁବାଲି ଓ ସିଂହପୁର ଷ୍ଟେସନ ମଧ୍ୟରେ ଥିବା ରେଳ ବ୍ରିଜ୍ଟି ଭାସିଯାଇଛି । ସୂଚନା ଅନୁଯାୟୀ, ୧୫ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ କଲ୍ୟାଣୀ ପୋଲ, ଜିନିଷପୁର ଝୋଲା ପୋଲ ଓ କୁମ୍ଭାରଗଡା ପୋଲ ଭାସିଯାଇଛି । ବିଶେଷକରି ତହସିଲ ଅଫିସ, ସାନବ୍ରାହ୍ମଣୀ ଓ ବଡବ୍ରାହ୍ମଣୀ ରୋଡ୍ ତଥା କାମ୍ପୁର ରୋଡ୍, ବଡଦୁଆର ସାହି, ବେହେରା ସାହି, ମେଦିରି ସାହି ପ୍ରଭୃତି ଜଳମଗ୍ନ ହୋଇଛି । ପାଖାପାଖି ଶତାଧିକ ଗ୍ରାମବାସୀ ପାଣି ମଧ୍ୟରେ ଫସି ରହିଥିବା ତହସିଲଦାର ଗୌରଚନ୍ଦ୍ର ପଟ୍ଟନାୟକ କହିଛନ୍ତି । ବୁଗୁଡା ଆଶ୍ରମ ସ୍କୁଲ୍ରେ ବନ୍ୟା ଜଳ ପ୍ରବେଶ କରିବା ପରେ ଲୋକେ ଆଶ୍ରମ ସ୍କୁଲ ଛାତ ଉପରେ ବିପଦସଙ୍କୁଳ ଅବସ୍ଥାରେ ଆଶ୍ରୟ ନେଇଛନ୍ତି । ଥେରୁବାଲି ନିକଟସ୍ଥ କାର୍ତ୍ତିକାଗୁଡାରେ ପୁରୁଣା ପୋଲ ବନ୍ୟାରେ ଧୋଇ ହୋଇଯିବା ଫଳରେ ଅଞ୍ଚଳଗୁଡ଼ିକ ବାହ୍ୟ ଅଞ୍ଚଳଠାରୁ ବିଚ୍ଛିନ୍ନ ହୋଇପଡିଛି । ବନ୍ୟା ପ୍ରକୋପରେ ବଡି ନାଏକଗୁଡାର ଜଣେ ଶିଶୁ ଭାସିଯାଇଥିବାବେଳେ ମାଝିଗୁଡା ଏବଂ କୋତାଗୁଡା ଗ୍ରାମର ଦୁଇ ବୃଦ୍ଧ ଭାସିଯାଇଛନ୍ତି । କଲ୍ୟାଣସିଂହପୁର ସଦର ମହକୁମାର ୨ ଶହରୁ ଅଧିକ ପରିବାର ବନ୍ୟାରେ ଆକ୍ରାନ୍ତ ହୋଇଥିବାବେଳେ କୋତାଗୁଡା ଗ୍ରାମର ବହୁ ପରିବାର ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ, ସିଆରପିଏଫ୍ ତଥା ଓଡ୍ରାଫ୍ ଟିମ୍ଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନା, ନୌସେନାର ସହାୟତା ମଗାଯାଇଛି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ରାଜ୍ୟ ଆଉ ୪ଟି ହେଲିକପ୍ଟର ଯୋଗାଇ ଦେବା ପାଇଁ ଏସ୍ଆରସିଙ୍କୁ ମଗାଯାଇଛି ବୋଲି ରାୟଗଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରାୟଗଡ଼ାରେ ଗତ ୨୪ଘଣ୍ଟା ମଧ୍ୟରେ ୧୮୯.୮୮ମିମି ବର୍ଷା ହୋଇଛି । ବନ୍ୟା ପରିସ୍ଥିତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସମୀକ୍ଷା କରିଛନ୍ତି । ବୈଠକ ପରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ହଜାରେ ଜଣଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ୧୭ ତାରିଖ ସକାଳ ୬ଟା ୩୦ରୁ ହେଲିକପ୍ଟର ଯୋଗେ ୨ ହଜାର ପ୍ରଭାବିତ ଅଞ୍ଚଳରେ ପକାଯିବ । ୩ଟି ଏନ୍ଡିଆର୍ଏଫ୍ ଦଳ ରାୟଗଡ଼ା ଜିଲ୍ଲାକୁ ପଠାଯାଇଛି । ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ଓ ପରିସ୍ଥିତି ମୁକାବିଲା ନିମନ୍ତେ ସଂପୃକ୍ତ ଅଧିକାରୀଙ୍କୁ ନେଇ ବୈଠକ କରାଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।