ବର୍ଷା ଜଳ ନିଷ୍କାସନ ପାଇଁ ବିଏମ୍ସିର ଜରୁରୀ ବୈଠକ

IMG-20170716-WA0043

ଭୁବନେଶ୍ୱର,(ବୁ୍ୟରୋ): ଲଗାଣ ବର୍ଷାରେ ସୃଷ୍ଟି ଜଳବନ୍ଦୀ ଅବସ୍ଥାକୁ ସମ୍ଭାଳିବା ପାଇଁ ରବିବାର ବିଏମ୍ସିର ୧୨ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ୩୦ଜଣ ଯନ୍ତ୍ରୀ ସକାଳୁ ଡେରା ପକାଇଥିଲେ ବିଭିନ୍ନ ଅଞ୍ଚଳରେ । ବର୍ଷାରେ ଜଳବନ୍ଦୀ ହୋଇଥିବା ସ୍ଥାନଗୁଡ଼ିକରୁ ତୁରନ୍ତ ଜଳ ନିଷ୍କାସନ କରାଯାଇଥିଲା । ଆଜିର ଡ୍ରେନେଜ୍ ଡିସିଲ୍ଟେସନ୍ ଏବଂ ଜଳ ନିଷ୍କାସନ ସମୀକ୍ଷା ସହ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବା ଲାଗି ବିଏମ୍ସି କମିଶନର ଡ. କ୍ରିଷନ କୁମାର ଏକ ଜରୁରୀକାଳୀନ ବୈଠକ ଡାକିଥିଲେ । ବିଡିଏ, ବିଏମ୍ସି ଏବଂ ସ୍ମାର୍ଟ ସିଟି ଅଧିକାରୀଙ୍କ ସହ ଏଥିରେ ସମସ୍ତ ଜୋନାଲ୍ ଡେପୁଟି କମିଶନର, ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ବିଏମ୍ସିର ୬୭ଟି ୱାର୍ଡର ପରିଚାଳନା ପାଇଁ ୧୨ଜଣ ସେକ୍ଟର ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହିସବୁ ସେକ୍ଟର ଅଧିକାରୀମାନେ ନିଜ ଅଧୀନରେ ୱାର୍ଡ ଅଧିକାରୀ, ସାନିଟାରୀ ଇନ୍ସ୍ପେକ୍ଟର ଏବଂ ଜୁନିଅର୍ ଇଞ୍ଜିୟର୍ମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଏହି ଅଧିକାରୀମାନେ ସଂପୃକ୍ତ ଅଞ୍ଚଳରେ ରହିଥିବା ଡ୍ରେନେଜ୍ ଚାନେଲ୍ଗୁଡ଼ିକର ସବିଶେଷ ବିବରଣୀ ସଂଗ୍ରହ କରି ଜଳ ନିଷ୍କାସନଜନିତ ସମସ୍ୟାକୁ ଚିହ୍ନଟ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହି ଅଧିକାରୀମାନଙ୍କ ରିପୋର୍ଟକୁ ଭିତ୍ତିକରି ଏକ ଡ୍ରେନେଜ୍ ଚାନେଲ୍କୁ ଅବରୋଧ କରୁଥିବା ସମସ୍ତ ଜବରଦଖଲକୁ ଉଚ୍ଛେଦକାରୀ ଦଳ ପକ୍ଷରୁ ଜରୁରୀକାଳୀନ ଭିତ୍ତିରେ ହଟାଯିବାକୁ ନିଷ୍ପତ୍ତି ହୋଇଛି । ବିଏମ୍ସି ବ୍ୟତିତ ପିଏଚ୍ଇଓ, ସ୍ୱେରେଜ୍, ସେସୁ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନଙ୍କୁୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେହିପରି ଆଜି ଦିନତମାମ ହୋଇଥିବା ଲଗାଣ ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଜଳବନ୍ଦୀ ଅବସ୍ଥାର ମୁକାବିଲା ପାଇଁ ୧୩ଟି ସ୍କ୍ୱାଡ୍ ତପ୍ତରତା ପ୍ରକାଶ ପାଇଥିଲା । ଏହିସବୁ କାର୍ଯ୍ୟରେ ୧୦ଟି ଜେସିବି ନିୟୋଜିତ କରାଯିବା ସହ ଶତାଧିକ ଟ୍ରାକ୍ଟରରେ ଆବର୍ଜନା ବୋଝେଇ କରାଯାଇ ଅବରୋଧ ହଟାଯାଇଥିଲା । ବିଭିନ୍ନ ସ୍ଥାନରେ ଦୁଇହଜାର ବାଲିବସ୍ତା ପକାଯାଇଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳ ପାଇଁ ଆହୁରି ଏକ ହଜାର ବସ୍ତା ଏବେ ମହଜୁଦ ଅଛି । ସେହିପରି ୧୦ଟି ପମ୍ପ୍ ସହାୟତାରେ ଜଳ ନିଷ୍କାସନ ପାଇଁ କାମ କରାଯାଇଥିଲା । ବୈରାଗୀ ନଗର, ଝାରପଡ଼ା, ଡୁମ୍ଡୁମା, ମେ ଫେୟାର ପଛପାଶ୍ୱର୍ ପ୍ରଭୃତି ଅଞ୍ଚଳରେ ଏହିସବୁ ପମ୍ପ୍ସେଟ୍ ବ୍ୟବହାର କରାଯାଇ କଳ ନିଷ୍କାସନ କରାଯାଇଥିଲା । ଚିନ୍ତାମଣିଶ୍ୱର ଅଞ୍ଚଳ, ଡମଣା, ମଞ୍ଚେଶ୍ୱର, ଜଗନ୍ନାଥ ନଗର ଆଦି ଅଞ୍ଚଳ ନିକଟରେ ଥିବା ମୁଖ୍ୟ ଡ୍ରେନେଜ୍ ଚାନେଲ୍ଗୁଡ଼ିକରେ ଡିସିଲ୍ଟେସନ୍ ହୋଇଥିବା ବେଳେ ଅନ୍ୟାନ୍ୟ ଛୋଟ ନର୍ଦ୍ଦମାର ମଧ୍ୟ ସଫେିଇ ହୋଇଥିଲା । ରବିବାର ବିଳମ୍ବିତ ରାତିରେ ହୋଇଥିବା ଜରୁରୀକାଳୀନ ବୈଠକରେ ବିଏମ୍ସି କମିଶନର ଅଧିକାରୀମାନଙ୍କୁ ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ସମୀକ୍ଷା କରିବା ସହ ଜଳ ନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକରିବାକୁ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ଅତିରିକ୍ତ କମିଶନର ମାନସୀ ନିମ୍ଭାଲ, ଆଲୋକ କର, ଭବାନୀ ଚୟନି, ଦୀପକ ରାଉତରାୟ, ଶ୍ରୀମନ୍ତ ମିଶ୍ର, ସନ୍ତୋଷ ମିଶ୍ର, ସମସ୍ତ ଜେଡିସି ଏବଂ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ ।