ଭୋଟ୍ ଦେବେନି ରାମ ହାଁସଦା, ସୁବଳ ସାହୁ

rastrapati-nirbachana-purabaru-birodhidala-neta--narsingha-mishra--sarakari-basabhavan-re--delhi-ru-asithiba-observer-sidhartha-patel-o-congress-mla-mane-alochana-karuchanti-22-(1)

ଆଜି ରାଷ୍ଟ୍ରପତି ନିର୍ବାଚନ
ଭୁବନେଶ୍ୱର,୧୬ ।୭(ବୁ୍ୟରୋ): ଆସନ୍ତାକାଲି ରାଷ୍ଟ୍ରପତି ପଦ ପାଇଁ ଭୋଟ୍ଗ୍ରହଣ କରାଯିବ । ଏନ୍ଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଓ କଂଗ୍ରେସ ସମେତ ୧୭ ବିରୋଧୀ ଦଳର ପ୍ରାର୍ଥୀ ମୀରା କୁମାରଙ୍କ ଭାଗ୍ୟ ଆସନ୍ତାକାଲି ନିର୍ଦ୍ଧାରଣ ହେବ । ରାଇସିନା ହିଲ୍ର ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବ ତାହା ନିର୍ଦ୍ଧାରଣ କରାଯିବ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ରାଷ୍ଟ୍ରପତି ପାଇଁ ଭୋଟ୍ ଗ୍ରହଣ କରାଯିବ । ତେବେ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା, ନବଦିଗନ୍ତ ଚିଟ୍ଫଣ୍ଡ ଲିଙ୍କ୍ରେ ଜେଲ୍ରେ ଥିବାରୁ ସେ ଭୋଟ୍ ଦେଇପାରିବେ ନାହିଁ । ଭୋଟ୍ ଦେବା ଲାଗି ସେ ଅନୁମତି ଲୋଡ଼ିଥିଲେ ହେଁ ତାହା ତାଙ୍କୁ ମିଳିନାହିଁ । ସେହିଭଳି କଂଗ୍ରେସ ବିଧାୟକ ସୁବଳ ସାହୁ ଗୁରୁତର ଅସୁସ୍ଥ ହୋଇ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେ ମଧ୍ୟ ଭୋଟ୍ ଦେବାକୁ ଆସିପାରିବେ ନାହିଁ । ସେହିଭଳି ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ମଧ୍ୟ ଅସୁସ୍ଥ ଅଛନ୍ତି । ସେ ଭୋଟ୍ ଦେବେକି ନାହିଁ ଜଣାପଡ଼ିନାହିଁ । ଅପରପକ୍ଷରେ ରାଜ୍ୟସଭା ସାଂସଦ ଏଭି ସ୍ୱାମୀ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଦେବେ । ସୂଚନା ଅନୁଯାୟୀ ବିଧାୟକ ଓ ସାଂସଦମାନେ କେଉଁଭଳି ଭାବରେ ଭୋଟ୍ ଦେବେ, ତାହା ସେମାନଙ୍କୁ ସୂଚନା ଦିଆଯାଇଛି । ବିଧାୟକମାନେ ଭୋଟ୍ ଦେବା ପାଇଁ କ’ଣ କରିବେ, ତାହା ସେମାନଙ୍କୁ ସୂଚନା ଦିଆଯାଇଛି । କୌଣସି ବିଧାୟକ ନିଜ କଲମ ବ୍ୟବହାର କରିପାରିବେ ନାହିଁ । ପ୍ରିଜାଇଡିଂ ଅଫିସର ଦେଇଥିବା କଲମରେ ବାଲାଟ୍ ପେପର୍ରେ ନିଜ ପସନ୍ଦ ପ୍ରାର୍ଥୀଙ୍କ ପାଶ୍ୱର୍ରେ ୧ ଉଲ୍ଲେଖ କରିବେ । ଟିକ୍ ଚିହ୍ନ କିମ୍ବା ଛକି ମାରିପାରିବେ ନାହିଁ । ଯଦି ଏଭଳି କରନ୍ତି, ତାହେଲେ ଭୋଟ୍ ନାକଚ ହୋଇଯିବ । ଏହାଛଡ଼ା ଭୋଟ୍ କାହାକୁ ଦେଲେ ଯଦି ଦେଖାଇବେ, ତାହା ମଧ୍ୟ ନାକଚ ହେବ । ବାଲାଟ୍ ଚିରିଗଲେ କିମ୍ବା ନଷ୍ଟ ହୋଇଗଲେ ଆଉ ବାଲାଟ୍ ଦିଆଯିବ ନାହିଁ । ତେଣୁ ଗୋଟିଏ ଥରରେ ଚୂଡ଼ାନ୍ତ ଭୋଟ୍ ପ୍ରଦାନ କରିବେ । ଆଜି କଂଗ୍ରେସ ବିଧାୟକ ଦଳର ବୈଠକ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ସିଦ୍ଧାର୍ଥ ପଟେଲ ଯୋଗଦେଇଥିଲେ । ବୈଠକ ସମ୍ପର୍କରେ ସୂଚନା ଦେଇ ବିଧାୟକ ନବକିଶୋର ଦାସ କହିଛନ୍ତି ଯେ ସମସ୍ତ କଂଗ୍ରେସ ବିଧାୟକମାନେ କଂଗ୍ରେସ ଓ ମିଳିତ ଦଳ ପ୍ରାର୍ଥୀ ମୀରା କୁମାରଙ୍କୁ ସମର୍ଥନ କରିବେ । ଏଥିପାଇଁ ସମସ୍ତଙ୍କ ସହମତି ରହିଛି । ଦଳ ପକ୍ଷରୁ ମୀରା କୁମାରଙ୍କୁ ଜିତାଇବା ଲାଗି ସମସ୍ତ ଉଦ୍ୟମ କରାଯାଉଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, କଂଗ୍ରେସରୁ କ୍ରସ୍ ଭୋଟିଂ ହେବାର ସମ୍ଭାବନା ନାହିଁ । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ ବିଧାୟକ ଦଳର ମତଭେଦ ଥିଲେ ବି କ୍ରସ୍ ଭୋଟିଂ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।