ଲଗାଣ ବର୍ଷାରେ କଟକ ବେହାଲ୍

ctc-photo-2

କଟକ (ବୁ୍ୟରୋ): ଅବିଶ୍ରାନ୍ତ ବର୍ଷା ଜାରି ରହିବା ଫଳରେ ସିଏମସିର ଭୌଗୋଳିକ ଦୃଶ୍ୟ ବଦଳିଯାଇଛି । ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ବର୍ଷା ହେବା ପରେ ସହରର ରାସ୍ତା ଘାଟ ଅବସ୍ଥା ବେହାଲ ହୋଇପଡ଼ିଛି । ରାସ୍ତା ଉପରେ ବର୍ଷା ପାଣି ଜମି ରହିବା ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ମଧ୍ୟ ଜଳାଶୟର ଭ୍ରମ ସୃଷ୍ଟି କରିଥିଲା । ବାଦାମବାଡ଼ି ସରକାରୀ ବସ ଷ୍ଟାଣ୍ଡ ବର୍ଷା ଜଳରେ ଏକ ହ୍ରଦ ଭଳି ଦେଖାଯାଉଥିବାବେଳେ ଏହି ଅଞ୍ଚଳର ରାସ୍ତାଘାଟରେ ମଧ୍ୟ ଆଣ୍ଠୁଏ ପାଣି ପ୍ରବାହିତ ହୋଇଥିଲା । ଏହି ବର୍ଷାର ପ୍ରଭାବରେ ଜଳ ନିଷ୍କାସନ ହୋଇନପାରିବାରୁ ବାଦାମବାଡ଼ି ରକ୍ସି ଲେନଠାରୁ ଅନେକ ରାସ୍ତା ଘାଟରେ ଦୀର୍ଘ ସମୟ ଧରି ଆଣ୍ଠୁଏ ପାଣି ଜମିରହିଥିଲା । ସେହିପରି ସହରର ରାଜାବଗିଚା ପୁଲିସ କଲୋନୀ, ରୋଭରଷ୍ଟିଟ, ଗହ୍ମାଡ଼ିଆ, ପଟ୍ଟାପୋଲ, ବାଉଁଶ ଗଳି, ଦରଘା ବଜାର, ଭଗତପୁର, ପେନସନ ଲେନ, ସଇତାନ ବଗିଚା, ଶ୍ରୀବିହାର କଲୋନୀ, କାଫଲା ବଜାର, କେବିକେ ରୋଡ଼, ଚାନ୍ଦିନଚୌକ, ମାନସିଂହ ପାଟଣା, ମହମ୍ମଦିଆ ବଜାର, ଓଏମପି, କେଶରପୁର, ମଙ୍ଗଳାବାଗ, ରାଣୀହାଟ, ଯୋବ୍ରା ସମେତ ତଳିଆ ଅଞ୍ଚଳରେ ଥିବା ବିଭିନ୍ନ ସାହି ବସ୍ତି ଜଳ ମଗ୍ନ ହୋଇଥିଲା । ସିଏମସି ପକ୍ଷରୁ ପମ୍ପ ଦ୍ୱାରା ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅନବରତ ବର୍ଷା ଲାଗି ରହିଥିବାରୁ ଜଳ ନିଷ୍କାସନ ଅସମ୍ଭବ ହୋଇପଡ଼ିଥିଲା । ରାସ୍ତାଘାଟ ଓ ନଳା ଏକାକାର ହୋଇଯାଇଥିଲା । ଲୋକମାନେ ଯାତାୟତ କରିବାରେ ଅସମ୍ଭବ ହୋଇଥିଲା । ବସ ଷ୍ଟାଣ୍ଡରୁ ବସ ବାହାରିଥିବାବେଳେ ଯାତ୍ରୀ ବସ ପାଖକୁ ଯିବା ପାଇଁ ଭୟ କରିଥିଲେ । ବର୍ଷା ସହ ଘଡ଼ଘଡି ଲାଗି ରହିବା ଫଳରେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଅବସ୍ଥା କହିଲେ ନସରେ । ଅନେକ ଲୋକଙ୍କ ଘରେ ସଂଧ୍ୟା ପରଠାରୁ ଆଉ ଚୂଲି ଜଳିନଥିଲା । ଲୋକେ ରାତିରେ ଉପବାସ ରହିବାକୁ ବାଧ୍ୟ ହୋଇଥିଲେ ।