ମତ ଦେବା ପୂର୍ବରୁ ପରାମର୍ଶ ନିଅ: ନବୀନ

asanta-17-tarikha-re-delhi-parliament-arambha-hebaku-jauchi,-ahi-paripekhire-nabin-niwasre-bjd-suprimo-nabin-patnaik-nkn-adhyakhata-re-M.P

ସାଂସଦଙ୍କ ପାଇଁ ଗାଇଡ୍ଲାଇନ୍
ଭୁବନେଶ୍ୱର, ୧୫ା୭(ବୁ୍ୟରୋ): ଜୁଲାଇ ୧୭ରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ବିଜେଡି ସାଂସଦମାନେ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା, ଜିଏସ୍ଟିରେ ସବୁଜ ଟିକସ ଅନ୍ତର୍ଭୁକ୍ତ ଓ ମହାନଦୀ ପ୍ରସଙ୍ଗ ଉତ୍ଥାପନ କରିବେ । ଏହାଛଡା ଦଳର କୌଣସି ସାଂସଦ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସଙ୍ଗରେ ମତ ଦେବା ପୂର୍ବରୁ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ ନେବେ । ଶ୍ରୀ ପଟ୍ଟନାୟକ ଆଜି ଦଳର ସମସ୍ତ ସାଂସଦଙ୍କୁ ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି । ଜୁଲାଇ ୧୭ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ବିଜେଡି କ’ଣ ପ୍ରସଙ୍ଗ କରିବ, ସେ ସମ୍ପର୍କରେ ନିଷ୍ପତ୍ତି କରିବା ଲାଗି ଆଜି ନବୀନ ନିବାସରେ ବିଜେଡିର ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସଂସଦୀୟ ଦଳର ମୁଖପାତ୍ର କଳିକେଶ ସିଂହଦେଓ କହିଲେ ଯେ ଉଭୟ ଲୋକସଭା ଓ ରାଜ୍ୟସଭାରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉତ୍ଥାପନ କରାଯିବ । ବିଶେଷକରି ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ଦାବିକୁ ଜୋରଦାର କରାଯିବ । ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଁ କେବଳ ସୀମା ସର୍ତ୍ତକୁ ଛାଡିଦେଲେ ଆଉ ଅନ୍ୟ ସମସ୍ତ ସର୍ତ୍ତ ଓଡିଶା ପୂରଣ କରୁଛି । ଏହା ଓଡିଶାର ଦୀର୍ଘଦିନର ଦାବି । କେନ୍ଦ୍ର ସରକାର ଏହାକୁ ପୂରଣ କରୁନାହାନ୍ତି । ଏହାକୁ ଦଳ ପକ୍ଷରୁ ପ୍ରସଙ୍ଗ କରାଯିବ । ସେହିଭଳି କେନ୍ଦ୍ର ସରକାର ଲାଗୁ କରିଥିବା ଦ୍ରବ୍ୟ ଓ ସେବା କର (ଜିଏସ୍ଟି)ରେ ସବୁଜ ଟିକସକୁ ଅନ୍ତର୍ଭୁକ୍ତ କରିବା ଲାଗି ମଧ୍ୟ ଦାବି ଉଠିବ । ଖଣିଜ ପଦାର୍ଥରୁ କେନ୍ଦ୍ର ସରକାର ସବୁଜ ଟିକସ ନେଉଛନ୍ତି । ଏଥିରେ ରାଜ୍ୟର ଅଂଶ ରହୁନାହିଁ । ତେଣୁ ଏଥିରୁ ଖଣିଜଭିତ୍ତିକ ରାଜ୍ୟକୁ ତା’ର ଅଂଶ ଦେବା ପାଇଁ ଦାବି କରାଯିବ । ସେହିଭଳି ମହାନଦୀ ପ୍ରସଙ୍ଗ ଏବେ ଜ୍ୱଳନ୍ତ ପ୍ରସଙ୍ଗ ହୋଇ ରହିଛି । ଛତିଶଗଡର ମନମୁଖୀ କାର୍ଯ୍ୟ ଯୋଗୁଁ ଅଣ-ମୌସୁମୀରେ ମହାନଦୀ ଶୁଖିଲା ପଡିଲା । ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ଲୋକମାନେ ପାଣି ପାଇଁ ହନ୍ତସନ୍ତ ହେଲେ । ସେହିଭଳି ମହାନଦୀ ଏକ ଆନ୍ତଃରାଜ୍ୟ ନଦୀ ହୋଇଥିବାବେଳେ ଓଡିଶାକୁ ନଜଣାଇ ଛତିଶଗଡ ସରକାର କଲମା ବ୍ୟାରେଜ୍ର ଫାଟକ ଖୋଲିଦେଲେ । ଫଳରେ ମୌସୁମୀରେ ଓଡିଶାରେ ବନ୍ୟା ସମ୍ଭାବନା ସୃଷ୍ଟି ହେବ । ମହାନଦୀ ଜଳ ବିବାଦ ସମାଧାନ ଲାଗି ରାଜ୍ୟ ସରକାର ଟ୍ରିବୁ୍ୟନାଲ୍ ଗଠନ ପାଇଁ ଦାବି କରିଛନ୍ତି । ମାତ୍ର ତାହା ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଗ୍ରହଣ କରିନାହାନ୍ତି । ମାମଲା ସୁପ୍ରିମ୍ କୋର୍ଟରେ ମଧ୍ୟ ବିଚାରାଧୀନ ଅଛି । ହେଲେ ଛତିଶଗଡ ସରକାରକୁ ତା’ର ବ୍ୟାରେଜ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଲାଗି ନିଦେ୍ର୍ଦଶ ଦିଆଯାଇନାହିଁ । ଫଳରେ ଓଡିଶା କ୍ଷତିଗ୍ରସ୍ତ ହେଉଛି । ଏତଦ୍ଭିନ୍ନ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ସଂସଦର ଉଭୟ ଗୃହରେ ଉପସ୍ଥାପନ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କ ମତ ଓ ମନ୍ତବ୍ୟ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଯେକୌଣସି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଯଦି କୌଣସି ସାଂସଦ ତାଙ୍କ ମତ ରଖିବାକୁ ଚାହୁଁଛନ୍ତି, ତାହେଲେ ପ୍ରଥମେ ଉକ୍ତ ସାଂସଦ ତାଙ୍କ ସହ ଆଲୋଚନା କରିବା ଉଚିତ୍ । ଆଲୋଚନା ପରେ ମତ ରଖିବେ । ସୂଚନାଯୋଗ୍ୟ, କିଛିଦିନ ହେବ ସାଂସଦମାନେ ବିଭିନ୍ନ ଗଣମାଧ୍ୟମରେ ନିବନ୍ଧ ଲେଖିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସଙ୍ଗରେ ମତ ରଖିଥିଲେ । ଯାହା ପାଇଁ ବିଜେଡି ଅଡୁଆରେ ପଡିଥିଲା । ଏଣିକି ସାଂସଦମାନଙ୍କ ପାଇଁ ଲକ୍ଷ୍ମଣରେଖା ଟଣା ଯାଇଛି । ତେବେ ସାଂସଦମାନେ କେତେଦୂର ଏହାକୁ ପାଳନ କରିବେ, ତାହା ଦେଖିବାକୁ ବାକି ରହିଲା ।