କର୍ତ୍ତୃପକ୍ଷଙ୍କ ଅସ୍ୱୀକାର

ଆଇଆଇଟି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା
ଭୁବନେଶ୍ୱର, ୧୫ା୭(ବୁ୍ୟରୋ): ଭୁବନେଶ୍ୱର ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ଜଣେ ପିଏଚ୍ଡି ଛାତ୍ରୀଙ୍କୁ ପ୍ରଫେସର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗକୁ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ଅନ୍ୟପକ୍ଷରେ ନ୍ୟାୟ ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଛାତ୍ରୀ କହିଛନ୍ତି । ପଶ୍ଚିମବଙ୍ଗର ଜଣେ ଛାତ୍ରୀ ୨ଠ୧୧ ମସିହାରେ ଭୁବନେଶ୍ୱର ଆଇଆଇଟିରେ ପିଏଚ୍ଡି ଶିକ୍ଷାଗ୍ରହଣ କରୁଥିଲେ । ତାଙ୍କ ସ୍ୱାମୀ ମଧ୍ୟ ପିଏଚ୍ଡି କରୁଥିଲେ । ଜଣେ ପ୍ରଫେସରଙ୍କ ତତ୍ତ୍ୱାବଧାନରେ ସେ ଏହି ଶିକ୍ଷା ଗ୍ରହଣ କରୁଥିଲେ । ଲାବ୍ରୋରେଟୋରୀରେ ପ୍ରାକ୍ଟିସ୍ ନାଁରେ ପ୍ରଫେସର ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ବିରୋଧ କରିବାରୁ ପତି-ପତ୍ନୀଙ୍କ ରେଜିଷ୍ଟ୍ରେସନ୍କୁ ନାକଚ କରିଦିଆଯାଇଥିଲା ବୋଲି ଛାତ୍ରୀ ୨ଠ୧୬ରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଆଇଆଇଟି କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିବାକୁ ଆଭ୍ୟନ୍ତରୀଣ କମିଟିକୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଗତ ଜାନୁଆରୀରେ ଉକ୍ତ କମିଟି ପ୍ରଫେସରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସତ୍ୟତା ନାହିଁ ବୋଲି ରିପୋର୍ଟ ଦେଇଥିଲା । ଏହାପରେ ସେ ଓକିଲଙ୍କ ମାଧ୍ୟମରେ କୁଳସଚିବ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ମହିଳା କମିଶନଙ୍କୁ ଛାତ୍ରୀ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଜାଣିବା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପସଚିବ ଆଇଆଇଟି କୁଳସଚିବଙ୍କୁ ରିପୋର୍ଟ ମାଗିଛନ୍ତି । କେଉଁ ତଥ୍ୟ ପ୍ରମାଣ ଆଧାରରେ ଆଭ୍ୟନ୍ତରୀଣ କମିଟି ପ୍ରଫେସରଙ୍କୁ କ୍ଲିନ୍ଚିଟ୍ ଦେଲେ, ଏହାପରେ ଛାତ୍ରୀ ପୁଣି କିପରି ଅଭିଯୋଗ କଲେ ଏ ସଂକ୍ରାନ୍ତରେ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ଉପସଚିବ ନିଦେ୍ର୍ଦଶ ଦେଇଛନ୍ତି । ସବୁ ସ୍ଥାନରେ ଅଭିଯୋଗ କରି ବିଫଳ ହେବାପରେ ପୀଡ଼ିତା ତାଙ୍କ ଫେସ୍ବୁକ୍ ଆଇଡିରେ ଘଟଣା ସମ୍ପର୍କରେ ଅଭିଯୋଗ ରଖିଥିଲେ । ଏହାପରେ ଘଟଣା ପଦାକୁ ଆସିଥିଲା । ଛାତ୍ରୀଙ୍କୁ ନିର୍ଯାତନା ଦେବା ସହ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଉକ୍ତ ପ୍ରଫେସର ଧମକଚମକ ଦେଇଥିଲେ । ନ୍ୟାୟ ନପାଇବାରୁ ତାଙ୍କ ସ୍ୱାମୀଙ୍କ ବ୍ରେନ୍ ହାମ୍ରେଜ୍ ହୋଇଯାଇଥିବା ଛାତ୍ରୀ ଅଭିଯୋଗ କରିଛନ୍ତି । ତେବେ ଛାତ୍ରୀଙ୍କ ଅଭିଯୋଗକୁ ଆଧାର କରି ମହିଳା କମିଶନଙ୍କୁ ଆଭ୍ୟନ୍ତରୀଣ କମିଟିର ରିପୋର୍ଟ ଦିଆଯାଇଥିବା ଆଇଆଇଟିର ଡେପୁଟି ରେଜିଷ୍ଟ୍ରାର ଦେବରାଜ ରଥ ସୂଚନା ଦେଇଛନ୍ତି । ଛାତ୍ରୀଙ୍କ ଅଭିଯୋଗର ସତ୍ୟତା ନଥିବା ଶ୍ରୀ ରଥ କହିଛନ୍ତି ।