ପଦକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

10-7-2017=6

ଭୁବନେଶ୍ୱର, ୧୦ା୭ (ବୁ୍ୟରୋ): ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ରେ ଇତିହାସ ରଚିଥିବା ଭାରତୀୟ ପଦକ ବିଜେତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ଉତ୍ସବରେ ଆର୍ଥିକ ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି । ସ୍ୱସ୍ତି ପ୍ରିମିୟମ୍ରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ସ୍ୱର୍ଣ୍ଣ ବିଜେତାଙ୍କୁ ୧୦ଲକ୍ଷ ଟଙ୍କା, ରୌପ୍ୟ ବିଜେତାଙ୍କୁ ୭.୫ଲକ୍ଷ ଏବଂ ବ୍ରୋଞ୍ଜ ବିଜେତାଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶାରେ ଆୟୋଜିତ ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ମାତ୍ର ୩ମାସର ସ୍ୱଳ୍ପ ସମସ ସୀମା ମଧ୍ୟରେ ଏସିଆନ୍ ଗେମ୍ସ ଆୟୋଜନ କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ୨୨ତମ ସଂସ୍କରଣ ଏହି କ୍ରୀଡ଼ା ଇତିହାସର ସର୍ବଶ୍ରେଷ୍ଠ ପ୍ରତିଯୋଗିତା ଥିଲା ବୋଲି ବିଭିନ୍ନଆଡ଼ୁ ମତାମତ ଆସୁଛି । ଯାହାହେଉ ଏଥିପାଇଁ ଭୁବନେଶ୍ୱର ନିଶ୍ଚିତ ଭାବେ ଲକି ସାବ୍ୟସ୍ତ ହୋଇଛି । ଏସୀୟ ଦୌଡ଼କୁଦର ୪୪ବର୍ଷର ଇତିହାସରେ ଭାରତ ପ୍ରଥମ ଥର ପାଇଁ ପଦକ ତାଲିକାର ଶୀର୍ଷରେ ପହଞ୍ଚିଛି । ଆସନ୍ତାମାସରେ ଲଣ୍ଡନରେ ହେବାକୁ ଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ସ୍ରେ ଭାରତୀୟ ଖେଳାଳିମାନେ ଆହୁରି ଭଲ ପ୍ରଦର୍ଶନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶୁଭକାମନା କରିଛନ୍ତି । ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, ଆଥ୍ଲେଟ୍ ଅନୁରାଧା ବିଶ୍ୱାଳ, ଅଞ୍ଜୁ ବବି ଜର୍ଜ ଓ ଏଏସିର ବହୁ ଅଧିକାରୀ ଉପସ୍ଥିତ ଥିଲେ ।