Acharya-Harihar-Cancer-Centre-Ra-Governing-Body-Meeting-(11)

ପିପିପି ମୋଡରେ ବସିବ ଏମ୍ଆର୍ଆଇ ମେସିନ

34

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କର୍କଟ ଗବେଷଣା କେନ୍ଦ୍ର ପରିଦର୍ଶନ
କଟକ (ବୁ୍ୟରୋ): ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ରର ପରିଚାଳନା କମିଟି ବୈଠକ ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କେନ୍ଦ୍ରରେ ଏମଆରଆଇ ଓ ପେଟ ସ୍କାନ ମେସିନ ନଥିବାରୁ ବହୁ ରୋଗୀ ଘରୋଇ ଚିକିତ୍ସାଳୟର ଶୋଷଣର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କର୍କଟ କେନ୍ଦ୍ର ପରିସରରେ ଘରୋଇ ସହଭାଗିତାରେ ଏମଆରଆଇ ଓ ପେଟ ସ୍କାନ ମେସିନ ସ୍ଥାପନ କରାଯିବ । ଅଗଷ୍ଟ ସୁଦ୍ଧା ଏକ ଅତ୍ୟାଧୁନିକ ସି-ଆର୍ମ ମେସିନ ବସାଯିବ । ତୁରନ୍ତ ଟେଣ୍ଡର ଡାକିବାକୁ ଓଡ଼ିଶା ମେଡିକାଲ କର୍ପୋରେସନକୁ ସରକାର ନିର୍ଦେଶ ଦେଇଥିବା ମନ୍ତ୍ରୀ ଶ୍ରୀ ଜେନା ବୈଠକରେ ସୂଚନା ଦେଇଥିଲେ । କର୍କଟ କେନ୍ଦ୍ରର ବିଭିନ୍ନ ବିଭାଗରେ ଖାଲି ପଡିଥିବା ଡାକ୍ତର ପଦ ୩ମାସ ମଧ୍ୟରେ ପୂରଣ କରାଯିବ ବୋଲି ସେ କହିଥିଲେ । ବହିର୍ବିଭାଗ ସ୍ଥାନରେ ଏକ ୬ମହଲା ଅଟ୍ଟାଳିକା ନିର୍ମାଣ କରାଯିବ । ଏ ସଂକ୍ରାନ୍ତରେ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଥିଲେ । ସେହିପରି ଲିନାକ ଭବନରେ ହେବାକୁ ଥିବା ଜି+୬ମହଲା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଏକାଥରକେ ନିର୍ମାଣ କାର୍ଯ୍ୟ ଶେଷ ନ କରି ପର୍ଯ୍ୟାୟକ୍ରମେ ନିର୍ମାଣ ଶେଷ କରି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ସେ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସହିତ କଟକ ବଡ଼ ଡାକ୍ତରଖାନାରେ ଦଲାଲଙ୍କୁ ନିୟନ୍ତ୍ରଣ କରିବା ପାଇଁ କଠୋର ପଦକ୍ଷେପ ନିଆଯିବ । ପୁଲିସ ଏ ଦିଗରେ ବିଶେଷ ସଫଳ ହେଉନଥିବାରୁ କ୍ରାଇମବ୍ରାଞ୍ଚକୁ ଦଲାଲଙ୍କ ଉପରେ ନଜର ରଖିବାକୁ ପ୍ରସ୍ତାବ ଦେବାକୁ ବୈଠକରେ ମତପ୍ରକାଶ ପାଇଥିଲା ।
ସେହିପରି ବର୍ଦ୍ଧିତ କର୍କଟରୋଗୀଙ୍କୁ ଦୃଷ୍ଟିରେ ରଖି ସରକାର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ଜମି ଚିହ୍ନଟ କରି ଜଣାଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ କୁହାଯାଇଥିଲା । ଏଥିମଧ୍ୟରେ ପ୍ରଶାସନ ପକ୍ଷରୁ ବାରଙ୍ଗ ଓ କୁଷ୍ଠାଶ୍ରମ ନିକଟରେ ଦୁଇଟି ଜମି ଚିହ୍ନଟ କରି ସରକାରଙ୍କୁ ଅବଗତ କରିଛି । ଏ ଦିଗରେ ଚୂଡାନ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ଏଥିସହିତ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଆସୁଥିବା କର୍କଟରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ର କର୍ତ୍ତୃପକ୍ଷ ଏସସିବିରେ ଥିବା ଟେଲିମେଡିସିନ କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ଦେଇଥିଲେ । ବହିର୍ବିଭାଗରେ ରୋଗୀ ସେବାକୁ ଶୃଙ୍ଖଳିତ କରିବାକୁ ସେ କେନ୍ଦ୍ର ନିର୍ଦେଶକଙ୍କୁ କହିଥିଲେ । ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସହକାରୀ ସଚିବ ସୁରଜିତ ଦାସ, ଡିଏମଇଟି ଡା. ପ୍ରକାଶ ମହାପାତ୍ର, କେନ୍ଦ୍ର ନିର୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ, ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷ ଡା. ସିଦ୍ଧାର୍ଥ ଦାସ, ମେଡିକାଲ ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ର, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଏମ.ଆର. ଖାନଙ୍କ ସମେତ ବିଭିନ୍ନ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ମନ୍ତ୍ରୀ ବୈଠକରେ ଯୋଗଦେବା ପୂର୍ବରୁ କର୍କଟ କେନ୍ଦ୍ର ପରିସରରେ ଥିବା ନିରାମୟ କେନ୍ଦ୍ର ଅନୁଧ୍ୟାନ କରିଥିଲେ । କେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ଅଶୋକ ପାଢୀଙ୍କୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ଜଣେ କ୍ଲିନିକାଲ ଡାକ୍ତରଙ୍କୁ କ’ଣ ପାଇଁ ନିରାମୟ କେନ୍ଦ୍ର ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ନିର୍ଦେଶକଙ୍କୁ ପ୍ରଶ୍ନ କରିଥିଲେ । ତୁରନ୍ତ ଡାକ୍ତର ପାଢୀଙ୍କୁ ଦାୟିତ୍ୱରୁ ଅପସାରଣ କରିବାକୁ ନିର୍ଦେଶ ଦେଇଥିଲେ । ନିରାମୟ କେନ୍ଦ୍ରରେ ରୋଗୀ ଓ ସେମାନଙ୍କ ସହାୟକଙ୍କୁ ତୁରନ୍ତ ଔଷଧ ପ୍ରଦାନ କରିବାକୁ ଉପସ୍ଥିତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ନିରାମୟ କେନ୍ଦ୍ର ଅନୁଧ୍ୟାନ କରିବା ପରେ ମନ୍ତ୍ରୀ ୱାର୍ଡରେ ଚିକିତ୍ସାଧୀନ ରୋଗୀଙ୍କ ସମସ୍ୟା ବୁଝିଥିଲେ । କେତେକ ରୋଗୀ ନିରାମୟରେ ମାଗଣା ଔଷଧ ମିଳୁଥିବା ମନ୍ତ୍ରୀଙ୍କୁ କହିଥିଲେ । କେମୋଥେରାପି ମିଳୁଥିଲେ ମଧ୍ୟ ନିରାମୟରେ ସିରିଞ୍ଜଟିଏ ବି ମିଳୁନି । ଏଥିପାଇଁ ସେମାନଙ୍କୁ ଘରୋଇ କେନ୍ଦ୍ରକୁ ଦୌଡିବାକୁ ପଡୁଛି । ଏହି ଅଭିଯୋଗ ଶୁଣିବା ପରେ ତୁରନ୍ତ ନିରାମୟରେ ସମସ୍ତ ସୁବିଧା ଉପଲବ୍ଧ କରିବାକୁ ସେ କେନ୍ଦ୍ର ନିର୍ଦେଶକଙ୍କୁ କହିଥିଲେ । ଜଣେ ଗରିବ ରୋଗୀ ଟଙ୍କା ଅଭାବରୁ ବାହାରୁ ସିରିଞ୍ଜଟିଏ କିଣି ପାରୁନଥିବା କହିବାରୁ ମନ୍ତ୍ରୀ ଶ୍ରୀ ଜେନା ତାଙ୍କୁ ୨୦୦୦ଟଙ୍କା ସହାୟତା ପ୍ରଦାନ କରିଥିଲେ । ତେବେ ମନ୍ତ୍ରୀଙ୍କ ଏହି ବାଦନ୍ୟତାକୁ ଅନେକ ସେଠାରେ ପ୍ରଶଂସା କରିଥିଲେ ।

ସେଆର କରନ୍ତୁ:



Powered by odothemes.com