kalma

ଓଡ଼ିଶାକୁ ନଜଣାଇ ଖୋଲିଲା ଗେଟ୍

15

ବଢ଼ୁଛି ଛତିଶଗଡ଼ ଦାଦାଗିରି
ଭୁବନେଶ୍ୱର, ୨୮ା ୬ (ବୁ୍ୟରୋ): ‘ମହାନଦୀ ଆମର ଓ ଏହାର ପାଣି ବି ଆମର’ ବୋଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ମନ୍ତ୍ରୀମାନେ କରୁଥିବା ଦାବିକୁ ଯଥାର୍ଥରେ ପ୍ରତିପାଦିତ କରିବାରେ ଲାଗିଛନ୍ତି । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ରହୁଥିବାରୁ ଆନ୍ତଃରାଜ୍ୟ ନଦୀ ପରିଚାଳନା ନିୟମକୁ ଉଲ୍ଲଂଘନ କରି ମନଇଚ୍ଛା କାର୍ଯ୍ୟ କରୁଥିବାର ଯେଉଁ ଅଭିଯୋଗ ଓଡ଼ିଶା ସରକାର କରିଆସୁଥିଲେ, ତାହା ଧୀରେ ଧୀରେ ପ୍ରମାଣିତ ହେଉଛି । ଗ୍ରୀଷ୍ମଋତୁରେ ମହାନଦୀ ପାଣିକୁ ଅଟକାଇ ଓଡ଼ିଶାର ୪ରୁ ଊଦ୍ଧ୍ୱର୍ ଜିଲ୍ଲାକୁ ଶୁଷ୍କ କରିଥିଲା । ଏବେ ବର୍ଷା ଆରମ୍ଭ ହେଉ ହେଉ କଲ୍ମା ବ୍ୟାରେଜ୍ର ଗେଟ୍କୁ ରାଜ୍ୟ ସରକାରଙ୍କୁ ନଜଣାଇ ଖୋଲି ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ଛତିଶଗଡ଼ର ଏହି ମନମୁଖୀ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଜଳସଂପଦ ସଚିବ ପ୍ରଦୀପ ଜେନା ବର୍ଣ୍ଣନା କରିବା ସହ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁ୍ୟସି) ନିକଟରେ ଏ ସଂପର୍କରେ ଅଭିଯୋଗ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ କଲମା ବ୍ୟାରେଜର ୪୬ଟି ଗେଟକୁ ଖୋଲିଦେଇଛନ୍ତି । ଏସଂପର୍କରେ ଓଡ଼ିଶା ସରକାରଙ୍କୁ କୌଣସି ସୂଚନା ଦେଇନାହାନ୍ତି । ଜଳସଂପଦ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ମହାନଦୀ ଏକ ଆନ୍ତଃରାଜ୍ୟ ନଦୀ ହୋଇଥିବାରୁ ବନ୍ୟା ପରିଚାଳନା ପାଇଁ ଗତ ମେ ମାସରେ ଉଭୟ ରାଜ୍ୟର ପଦାଧିକାରୀଙ୍କ ବୈଠକ ହୋଇଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଛତିଶଗଡ଼ରୁ କେତେବେଳେ ପାଣି ଛଡ଼ାଯିବ, ତାହା ଓଡ଼ିଶାକୁ ଜଣାଇବା କଥା । ମାତ୍ର ବ୍ୟାରେଜର ୪୬ଟି ଗେଟ୍ ଖୋଲି ମଧ୍ୟ ରାଜ୍ୟକୁ ଜଣାଯାଇନାହିଁ । ବନ୍ୟାପରିଚାଳନା ଲାଗି କେତେ ପାଣି ଛଡ଼ାଯିବ ଓ କେଉଁ ସମୟରେ ଛଡ଼ାଯିବ, ତାହା ସ୍ଥିର ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରେ ସିଡବ୍ଲୁ୍ୟସିରେ ଆବେଦନ କରାଯିବ । ଏକ ଯୁଗ୍ମ କମିଟି ଗଠନ କରାଯାଇ ଏସଂପର୍କରେ ସ୍ଥିର ନିଷ୍ପତ୍ତି ନେବାକୁ ଦାବି କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।
ସୂଚନାଯୋଗ୍ୟ, ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ଓଡ଼ିଶାର ବିନା ଅନୁମତିରେ ୬ଟି ବୃହତ ପ୍ରକଳ୍ପ ନିର୍ମାଣ କରିଛି । ଶିଳ୍ପସଂସ୍ଥାଠାରୁ ଆଗୁଆ ଅର୍ଥ ଆଣି ମହାନଦୀର ପାଣିକୁ ସେମାନଙ୍କୁ ବିକ୍ରି କରିଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଂପର୍କରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏପରିକି ଗ୍ରୀଷ୍ମଋତୁରେ ମହାନଦୀର ତଳଅଞ୍ଚଳ ଶୁଖିଲା ପଡ଼ି ଜଳସଂକଟ ସୃଷ୍ଟିହେବାରୁ କଲ୍ମା ବ୍ୟାରେଜ ଗେଟ୍ ଖୋଲିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ହେଲେ କୌଣସି ଲାଭ ମିଳିଲାନି । ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ପରେ ନିଜର ସୁରକ୍ଷା ପାଇଁ ସେମାନେ ଗେଟ୍ ଖୋଲିଛନ୍ତି । ମହାନଦୀ ଜଳକୁ ନେଇ ଛତିଶଗଡ଼ କରୁଥିବା ଦାଦାଗିରି ବିରୋଧରେ ରାଜ୍ୟ ସରକାର ମଧ୍ୟ ସୁପ୍ରିମକୋର୍ଟ ଯାଇଛନ୍ତି । ହେଲେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଓ ଛତିଶଗଡ଼ରେ ବିଜେପି ସରକାର ଥିବାରୁ ଦଳୀୟ ସଂପର୍କକୁ ଗୁରୁତ୍ୱ ଦେଇ ସଂଘୀୟ ବ୍ୟବସ୍ଥାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ।
ଛତିଶଗଡ଼ର ଏଭଳି ମନମୁଖୀ କାର୍ଯ୍ୟ ବିରୋଧରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି ଯେ, ଜଳବଣ୍ଟନ ନେଇ ଉଭୟ ରାଜ୍ୟ ମଧ୍ୟରେ ଚୁକ୍ତି ରହିଛି । ଏହାର ସମାଧାନ କରିବା ଲାଗି ସିଡବ୍ଲୁ୍ୟସିର ହସ୍ତକ୍ଷେପ ଲୋଡ଼ାଯିବ । ଛତିଶଗଡ଼ ସରକାର ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ଛତିଶଗଡ଼ ସରକାର ମନମୁଖୀ ଭାବେ ଗେଟ୍ ଖୋଲିଥିବାରୁ ବନ୍ୟା ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହେବ । ମହାନଦୀର ତଳିଆ ଅଞ୍ଚଳ ବୁଡ଼ିଯିବ । ବିରୋଧ ସତ୍ତ୍ୱେ ବି କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ ନକରିବା ଦୁର୍ଭାଗ୍ୟଜନକ । ତେବେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଛତିଶଗଡ଼ ଗେଟ୍ ଖୋଲିଲେ ଓଡ଼ିଶାରେ ବନ୍ୟା ଆଶଙ୍କା ସୃଷ୍ଟିହେବା ସେ କାହିଁ ଲକ୍ଷ୍ୟ କରିପାରୁନାହାନ୍ତି । ବୈଷୟିକ ଦୃଷ୍ଟିକୋଣରୁ ଏଭଳି ହେବା ସେ ଅନୁଭବ କରୁନାହାନ୍ତି । ବନ୍ୟା ପରିଚାଳନା ନେଇ ଉଭୟ ରାଜ୍ୟ ମଧ୍ୟରେ ଚୁକ୍ତି ହେଉ ବୋଲି ସେ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସଂପଦ ବିଭାଗର ଦାୟିତ୍ୱରେ ଅଛନ୍ତି । ଉଭୟ ରାଜ୍ୟ ମଧ୍ୟରେ ଜଳ ବଣ୍ଟନ ନେଇ କିଭଳି ସମନ୍ୱୟ ରହିପାରିବ, ସେଥିଲାଗି ସେ ପଦକ୍ଷେପ ନିଅନ୍ତୁ ।




Powered by odothemes.com