SOCIAL-CONNECT-OLLY---DAY-1-(1)

ଆରମ୍ଭ ହେଲା ନାଗରିକ ସଂଯୋଗ କାର୍ଯ୍ୟକ୍ରମ

30

ଏସୀୟ ଦୌଡ଼କୁଦ ଚାମ୍ପିଅନସିପ୍
ଭୁବନେଶ୍ୱର (ବୁ୍ୟରୋ): ୨୨ ତମ ଏସିଆନ୍ ଆଥ୍ଲେଟିକ୍ ଚମ୍ପିଅନସିପ୍ର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାଗରିକ ସଂଯୋଗ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମାସ୍କଟ୍ ଓଲି, ସହରରେ ବୁଧବାର ତାର ପ୍ରଥମ ନାଗରିକ ସଂଯୋଗ ଅଭିଯାନରେ ଅଭୁତପୂର୍ବ ଜନସମର୍ଥନ ଲାଭ କରିବା ସହ ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କ ମଧ୍ୟରେ ଅପୂର୍ବ ଉନ୍ମାଦନା ସୃଷ୍ଟି କରିପାରିଛି ।ଆଜିର ପଦାର୍ପଣରେ ଓଲି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ଓଡିଏମ୍ ପବ୍ଳିକ୍ ସ୍କୁଲ୍, କିଟ୍ ବିଶ୍ୱବିଦ୍ୟାଳୟ ଓ ପଟିଆ ସ୍ଥିତ ବିଗ୍ ବଜାର ଠାରେ ଜନସମ୍ପର୍କ କାର୍ଯ୍ୟକ୍ରମଗୁଡିକରେ ଭାଗନେବା ସହିତ, ଛାତ୍ରଛାତ୍ରୀମାନଙ୍କ ଉତ୍ସାହକୁ ବହୁଗୁଣିତ କରିଥିଲା । କେତେକ ସ୍ଥାନରେ ଓଲିକୁ ପାଛୋଟି ନେବାପାଇଁ ସ୍କୁଲ୍ ବ୍ୟାଣ୍ଡ୍ ପ୍ରସ୍ତୁତ ହୋଇ ରହିଥିଲା ତ ଆଉ କେତେକ ସ୍ଥାନରେ ଥିଲା ସୁଦୀର୍ଘ ମାନବ ଶୃଙ୍ଖଳର ଅଭିନବ ସ୍ୱାଗତ ଓ ପୁଷ୍ପବୃଷ୍ଟି ହୋଇଥିଲା । ଏହି ନାଗରିକ ସଂଯୋଗ ଅଭିଯାନରେ ବିଡିଏ ଏନ୍ଫୋର୍ସମେଣ୍ଟ୍ ସଦସ୍ୟ ଭବାନୀ ଶଙ୍କର ଚୟନି ଓ ବିଏମ୍ସି ଜୋନାଲ୍ ଡେପୁଟି କମିଶନର ଶୁଭ୍ରାଂଶୁ ମିଶ୍ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ । ବିଏମ୍ସି ଦ୍ୱାରା ଆୟୋଜିତ ହେଉଥିବା ନାଗରିକ ସଂଯୋଗ ଅଭିଯାନକୁ ମୁଖ୍ୟମନ୍ତ୍ରୀ ୨୫ ରେ ଅନୁଷ୍ଠିତ ହୋଇଥିବା ପଥଉତ୍ସବରେ ଶୁଭାରମ୍ଭ କରିଥିଲେ । ଜୁଲାଇ ୨ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଦପ୍ତର ଏବଂ ଜନଗହଳିପୂର୍ଣ୍ଣ ସ୍ଥାନ, ମଲ୍ ଗୁଡିକରେ ବିଧିବିଧ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି ।
ସାଇ ଇଂଟରନ୍ୟାସନାଲ୍ ସ୍କୁଲ୍, ଓଡିଏମ୍ ପବ୍ଳିକ୍ ସ୍କୁଲ୍ ଏବଂ କିଟ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଏସିଆନ୍ ଆଥ୍ଲେଟିକ୍ସ ଚାମ୍ପିୟନସିପ୍ର ସ୍ୱତନ୍ତ୍ର ଭିଡିଓ, ସଙ୍ଗୀତ ଏବଂ ଓଲି ସହ ନିଆରା ମୂହୁର୍ତ୍ତର ମଜା ନେଇଥିଲେ । ବିଭିନ୍ନ ସ୍ଥାନରେ ଓଲି ସହ ଫଟୋ ଉଠାଇବାର ଲମ୍ବା ଧାଡି ଲାଗିଥିଲା । ଏଥିସହିତ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ, ବ୍ୟାଜ୍ ଏବଂ ଓଲି ମୁଖା ପ୍ରଦାନ କରାଯାଇଥିଲା ।
କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଓଲିର ଆଗମନ ସହିତ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା ଏବଂ ହଜାର ହଜାର ଛାତ୍ରଛାତ୍ରୀ ଓଲିକୁ ସ୍ୱାଗତ କରିବାପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଧାଡିବାନ୍ଧି ପୁଷ୍ପ ବୃଷ୍ଟି କରିଥିଲେ । କିଟ୍ ଏବଂ କିସ୍ର ପ୍ରତିଷ୍ଠାତା ଡଃ ଅଚୁ୍ୟତ ସାମନ୍ତ କିଟ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଉପସ୍ଥିତ ରହି ଓଲିକୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରର ଉଦୀୟମାନ କ୍ରୀଡାବିତ୍ ଉପସ୍ଥିତ ରହିଥିଲେ । ଓଲିକୁ ଛୁଇଁବା ପାଇଁ ଓ ଫଟୋ ଉଠାଇବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଲାଗିରହିଥିଲା । ଆଜି ଦିନର ଶେଷ କାର୍ଯ୍ୟକ୍ରମ ଭାବରେ ପଟିଆସ୍ଥିତ ବିଗ୍ବଜାରରେ ଶତାଧିକ ସାଧାରଣ ଲୋକ ମାସ୍କଟ୍ ଓଲିକୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡିଥିଲେ ଏବଂ ଅନେକ ସମୟ ଧରି ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମକୁ ହୃଦୟଭରି ଉପଭୋଗ କରିଥିଲେ । କୁନି କୁନି ପିଲାମାନେ ଓଲି ସାଙ୍ଗରେ ଫଟୋ ଉଠାଇବା ସହିତ ଓଲି ମୁଖା ଓ ବ୍ୟାଜ୍ ପିନ୍ଧି ଖୁସି ଜାହିର୍ କରିଥିଲେ । ଏଠାରେ ଅନ୍ୟଏକ ପ୍ରମୁଖ ଆକର୍ଷଣ ରହିଥିଲା ଡ୍ୟାନ୍ସ ୱାର୍କ୍ ଜେଡ୍ର କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ଫ୍ଲାଶ୍ ମବ୍ ଓ ସୋଲୋ ଡ୍ୟାନ୍ସ ।

ସେଆର କରନ୍ତୁ:



Powered by odothemes.com