Homeguard-punished

ମହିଳା ଗୃହରକ୍ଷୀଙ୍କ ସମେତ ୪ ଆଣ୍ଠେଇଲେ

62

ବାରିପଦା, ୨୮ ।୬ (ଆପ୍ର): ଜଣେ ମହିଳା ଗୃହରକ୍ଷୀଙ୍କ ସମେତ ୪ ଜଣ ଗୃହରକ୍ଷୀଙ୍କୁ ଭଞ୍ଜପୁରସ୍ଥିତ ଗୃହରକ୍ଷୀ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆଣ୍ଠେଇବା ଫଟୋକୁ ନେଇ ଏବେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୃହରକ୍ଷୀ ବିଭାଗର ରିଜର୍ଭ ଇନ୍ସ୍ପେକ୍ଟରଙ୍କ ନିଦେ୍ର୍ଦଶମତେ ଏମାନଙ୍କୁ ଆଣ୍ଠେଇ ଦିଆଯାଇଥିଲା ବୋଲି କୁହାଯାଉଛି । ଆଣ୍ଠେଇବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି । ଗୃହରକ୍ଷୀ ବିଭାଗ ମହାନିଦେ୍ର୍ଦଶକ ବିନୟ କୁମାର ବେହେରା ଏସଂପର୍କରେ ମୟୂରଭଞ୍ଜ ଜିଲ୍ଲା ଏସ୍ପିଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି ।ଘଟଣାରୁ ପ୍ରକାଶ ଯେ, ଗତ ୨୫ ତାରିଖ ଦିନ ଗୃହରକ୍ଷୀ ବିଭାଗର ଭଞ୍ଜପୁରସ୍ଥିତ କାର୍ଯ୍ୟାଳୟରେ ଜଣେ ମହିଳାଙ୍କ ସମେତ ୪ ଜଣ ଗୃହରକ୍ଷୀ କାର୍ଯ୍ୟାଳୟ ସାମ୍ନାରେ ଆଣ୍ଠେଇ ରହିଥିବାର ଫଟୋ ସୋସିଆଲ୍ ମିଡିଆରେ ପ୍ରକାଶ ପାଇଥିଲା । ସୋସିଆଲ୍ ମିଡିଆରେ ପ୍ରକାଶ ହେଲାପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା । ଏସଂପର୍କରେ ଗୃହରକ୍ଷୀ ବିଭାଗର ରିଜର୍ଭ ଇନସ୍ପେକ୍ଟର ଅଶୋକ କୁମାର ସେଠୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣାର ସତ୍ୟତା ଥିବା ଉଲ୍ଲେଖ କରିଛନ୍ତି । ସେଦିନ ରଥଯାତ୍ରା ଡୁ୍ୟଟିପାଇଁ ଗୃହରକ୍ଷୀମାନଙ୍କୁ ନିଯୁକ୍ତି କରାଯାଇଥିଲା । ମାତ୍ର ୪ଜଣ ଗୃହରକ୍ଷୀ ଧାର୍ଯ୍ୟ ପୋଷାକପତ୍ର ପିନ୍ଧି ଆସିନଥିବାରୁ ଶୃଙ୍ଖଳା ଭଙ୍ଗ ଲାଗି ତାଙ୍କୁ ଏଭଳି ଦଣ୍ଡ ଦିଆଯାଇଛି । ସେମାନଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ଆଣ୍ଠେଇବା ପାଇଁ କୁହାଯାଇଥିଲା । ଏଭଳି ଦଣ୍ଡ ଶୃଙ୍ଖଳାର ଅଂଶବିଶେଷ ବୋଲି ସେ ମତ ପ୍ରକାଶ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଏସ୍ପି ଆର୍ ପ୍ରକାଶ ଗଣମାଧ୍ୟମକୁ ସୂଚନାଦେଇଛନ୍ତି ଯେ, ଏହି ୪ ଜଣ ଗୃହରକ୍ଷୀଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶ ଠିକ୍ ହୋଇନାହିଁ । କାର୍ଯ୍ୟରେ ଖିଲାପ କରିଥିବାହେତୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଉଚିତ୍ ପଦକ୍ଷେପ ହୋଇଥାଆନ୍ତା ବୋଲି ସେ କହିଛନ୍ତି । ଡିଜିଙ୍କ ନିଦେ୍ର୍ଦଶ ଅନୁଯାୟୀ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ରିପୋର୍ଟ ଦିଆଯିବ । ଉଲ୍ଲେଖଯୋଗ୍ୟ, ଭଞ୍ଜପୁରରେ ଥିବା ଗୃହରକ୍ଷୀ ବିଭାଗର କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟଟି ମୁଖ୍ୟ ରାସ୍ତାକଡ଼ରେ ରହିଛି । ତେବେ ପୋଷାକ ପିନ୍ଧିନଥିବାରୁ ଏହି ଗୃହରକ୍ଷୀମାନଙ୍କୁ ଆଣ୍ଠେଇ ଦେବା ଘଟଣାର ଫଟୋ କୌଣସି ପଥଚାରୀ ଉଠାଇ ନେଇଛନ୍ତି । ପ୍ରସାରିତ ଫଟୋରେ ଗୃହରକ୍ଷୀମାନେ ପୋଷାକ ପିନ୍ଧିଥିବା ଲକ୍ଷ୍ୟ କରାଯାଇଛି । ତେବେ କେଉଁ ପରିସ୍ଥିତିରେ ସେମାନଙ୍କୁ ଆଣ୍ଠେଇ ଦିଆଯାଇଥିଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟିକରୁଛି । ସ୍ୱାଧୀନତା ପୂର୍ବରୁ ବ୍ରିଟିଶ୍ ଶାସନ ସମୟରେ ଏଭଳି ଶାରୀରିକ ନିର୍ଯାତନା କର୍ମଚାରୀମାନଙ୍କୁ ଦିଆଯାଉଥିଲା । ପୁଲିସ ବିଭାଗରେ ଗୃହରକ୍ଷୀମାନେ ହେଉଛନ୍ତି ଅସ୍ଥାୟୀ କର୍ମଚାରୀ । ଦୈନନ୍ଦିନ ଭତ୍ତାରେ ସେମାନେ କାର୍ଯ୍ୟ କରିଥାନ୍ତି । ମାତ୍ର ବାରିପଦା ରଥଯାତ୍ରା ସମୟରେ ଆଇନ୍ଶୃଙ୍ଖଳା ପାଇଁ ନିୟୋଜିତ ହୋଇଥିବା ଏହି ଗୃହରକ୍ଷୀମାନଙ୍କୁ କ’ଣ ପାଇଁ ଏଭଳି ଦଣ୍ଡ ଦିଆଯାଇଛି, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।




Powered by odothemes.com