୨୯କୁ ଘୁଞ୍ଚିଲା +୩ କଟ୍ ଅଫ୍ ମାର୍କ ଘୋଷଣା

30

ଭୁବନେଶ୍ୱର, (ବୁ୍ୟରୋ): ଘୁଞ୍ଚିଲା ଯୁକ୍ତ ତିନି କଟ୍ ଅଫ୍ ପ୍ରକାଶ ତାରିଖ । ଗୋଟିଏ ଦିନ ବିଳମ୍ବରେ ପ୍ରକାଶ ପାଇବ କଟ୍ ଅଫ୍ ତାଲିକା । ପୂର୍ବରୁ ଜୁନ୍ ୨୮ରେ +୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏବେ ୨୯କୁ ଘୁଞ୍ଚିଛି । ଏନେଇ ସମସ୍ତ ସାମ୍ସ ସେଣ୍ଟରଗୁଡ଼ିକୁ ମଧ୍ୟ ଜଣାଇଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଆଡ୍ମିଶନ୍ ତାରିଖରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁନ୍ ୩୦ରୁ ୩ ଜୁଲାଇ ମଧ୍ୟରେ ନାମ ଲେଖାଇପାରିବେ । ପରେ ଜୁଲାଇ ୭ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ତାଲିକା ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୦ ଓ ୧୧ରେ ନାମ ଲେଖାଇପାରିବେ । ୨ ପର୍ଯ୍ୟାୟ ପରେ ବଳକା ସିଟ୍ ପାଇଁ ଜୁଲାଇ ୧୬ ରେ ତୃତୀୟ ପର୍ଯ୍ୟାୟ ନାମଲେଖା ତାଲିକା ବାହାରିବ । ଏଥିପାଇଁ ଜୁଲାଇ ୧୭ ଓ ୧୮ରେ ନାମଲେଖା ହେବ । ସବୁ ଛାତ୍ରଛାତ୍ରୀ ନାମଲେଖାଇ ସାରିବା ପରେ ଜୁଲାଇ ୧୯ରୁ +୩ ରେ ପାଠପଢ଼ା ଆରମ୍ଭ ହେବ । ଜୁନ୍ ୬ରୁ ଛାତ୍ରଛାତ୍ରୀ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଆବେଦନ କରିଥିଲେ । ଏଥିପାଇଁ ସାରା ରାଜ୍ୟର ବିଭିନ୍ନ କଲେଜରେ ୫୦୨ଟି ସାମ୍ସ ସେଣ୍ଟର କରାଯାଇଥିଲା । ୮୩୪ ଡିଗ୍ରୀ କଲେଜରେ ୨ ଲକ୍ଷ ୧୭ ହଜାର ୯୭୩ ସିଟ୍ ରହିଛି । ୧୩୯ଟି ସଂସ୍କୃତ କଲେଜରେ ୯,୦୮୪ ସିଟ୍ ରହିଛି ।

ସେଆର କରନ୍ତୁ:



Powered by odothemes.com