IMG-20170627-WA0029

ମରୁଡ଼ି ପର୍ଯ୍ୟବେକ୍ଷଣ କେନ୍ଦ୍ର ପ୍ରତିଷ୍ଠା

44

ଭୁବନେଶ୍ୱର (ବୁ୍ୟରୋ): ବନ୍ୟା ଓ ବାତ୍ୟା ପରିଚାଳନା କ୍ଷେତ୍ରରେ ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ ରାଜ୍ୟ ସରକାର ମରୁଡ଼ି ସ୍ଥିତିର ସଠିକ୍ ଆକଳନ ଓ ପରିଚାଳନା ନିମନ୍ତେ ମରୁଡ଼ି ପର୍ଯ୍ୟବେକ୍ଷଣ କେନ୍ଦ୍ର ସ୍ଥାପନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏ ବିଷୟରେ ଆଲୋଚନା ହୋଇଥିଲା । ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ତଥ୍ୟ ଓ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ରାଜ୍ୟ ମରୁଡ଼ି ପର୍ଯ୍ୟବେକ୍ଷଣ କେନ୍ଦ୍ର ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡେମା)ରେ ପ୍ରତିଷ୍ଠା କରାଯାଇଛି । ଏଥିନିମନ୍ତେ ଓସ୍ଡେମାର ପରିଚାଳନା ନିଦେ୍ର୍ଦଶକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଏହି କମିଟିରେ ପାଣିପାଗ ବିଶାରଦ, ଜଳ ବିଜ୍ଞାନୀ, କୃଷି ବିଜ୍ଞାନୀ, ମୂର୍ତ୍ତିକା ବିଶେଷଜ୍ଞଙ୍କୁ ସଦସ୍ୟ ଭାବେ ରଖାଯାଇଛି । କେନ୍ଦ୍ରର କାର୍ଯ୍ୟ ପଦ୍ଧତି ବିଷୟରେ ସୂଚନା ଦେଇ ଓ ଓସ୍ଡେମାର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ମହାପାତ୍ର କହିଥିଲେ ଯେ, ମରୁଡ଼ା ଅନୁଧ୍ୟାନ ନିମନ୍ତେ ବୈଷୟିକ ସହଯୋଗିତା ପାଇଁ ଇତିମଧ୍ୟରେ ଓସ୍ଡେମା କର୍ଣ୍ଣାଟକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସହ ବୁଝାମଣା କରିଛନ୍ତି । ବର୍ଷର ପ୍ରତି ସପ୍ତାହରେ କ୍ଷେତ୍ରସ୍ତରରୁ ପାଣିପାଗ ସ୍ଥିତି, ବୃଷ୍ଟିପାତ, ମୂର୍ତ୍ତିକାର ଆର୍ଦ୍ରତା, ପାଗର ଶୁଷ୍କତା ଆଦି ବିଷୟରେ ତଥ୍ୟ ସଂଗ୍ରହ କରାଯିବ । ଧାନକ୍ଷେତର ସ୍ଥିତି ବିଷୟରେ ମଧ୍ୟ ନିୟମିତ ପ୍ରତି ସପ୍ତାହରେ ରିପୋର୍ଟ ସଂଗ୍ରହ କରାଯିବ । ଏହି ରିପୋର୍ଟ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଟେଲିମାଟ୍ରିକ୍ ସ୍ୱୟଂକ୍ରିୟ ବୃଷ୍ଟିମାପକ ଯନ୍ତ୍ର ମାନ ସ୍ଥାପନ କରାଯିବ । କୌଣସି ଅଞ୍ଚଳ ମରୁଡ଼ି ଦ୍ୱାରା କେତେ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ତାହା ଏସବୁ ରିପୋର୍ଟ ଭିତ୍ତିରେ ଆକଳନ କରାହେବ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ରାଜ୍ୟରେ ମରୁଡ଼ି ଆକଳନ, ଚାଷୀଙ୍କୁ ସହାୟତା ପ୍ରଦାନ, ଫସଲ ବୀମା ଏବଂ ମରୁଡ଼ି ସ୍ଥିତିର ସଠିକ୍ ପରିଚାଳନାରେ ଗୁଣାତ୍ମକ ବିକାଶ ହେବ ।
ବୈଠକରେ ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ୍, ପୁଲିସ୍ ମହାନିଦେ୍ର୍ଦଶକ କନ୍ୱର୍ ବ୍ରଜେଶ ସିଂ, କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ କୁମାର ଆହୁଜା, ଶକ୍ତି ସଚିବ ହେମନ୍ତ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।




Powered by odothemes.com