rath-khala-ru-singhdwara-re-tini-rath-1

ଅପେକ୍ଷାରେ ରଥ ଓ ଭକ୍ତ

49

ପୁରୀ, ୨୪ା୬(ଆପ୍ର): ଆସନ୍ତା କାଲି ଘୋଷଯାତ୍ରା । ରଥ ପଥ ପ୍ରସ୍ତୁତ, ଶ୍ରୀ ଜିଉଙ୍କୁ ରଥରେ ଦର୍ଶନ ପାଇଁ ଭକ୍ତ ବ୍ୟାକୁଳିତ । ଘୋଷ ଯାତ୍ରା ପୂର୍ବରୁ ଆଜି ପରମ୍ପରା ଅନୁଯାୟୀ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ସହିତ ରଥଖଳାରୁ ୩ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ରଖାଯାଇଛି । ୧୫ଦିନ ଅନବସର ଗୁପ୍ତ ପୂଜା ପାଇବା ପରେ ଦାରୁଦେବତା ଅଣସର ପିଣ୍ଡି ଉପରୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ନବଯୌବନ ଦର୍ଶନ ଅବସରରେ ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ, ବେଶ ଆଦି ବଢ଼ାଯିବା ପରେ ଦଶାବତାର ପଟି ଦିଅଁ ବାହୁଡା ବିଜେ କରିଥିଲେ । କୋଠ ସୁଅାଁସିଆ ସେବକ ଅଣସର ଗୃହର ତାଟି ଖୋଲିବା ପରେ ଠାକୁରମାନେ ଚକା ଉପରେ ବିରାଜମାନ କରିଥିବା ସମ୍ମୁଖସ୍ଥାନକୁ ଧୌତ କରାଯାଇଥିଲା । ପରେ ପରିମାଣିକ ଦର୍ଶନ ଆରମ୍ଭ ହୋଇଥିଲା । ପରିମାଣିକ ଟି୍ରକେଟ କ୍ରୟ କରିଥିବା ଭକ୍ତ ଦକ୍ଷିଣ ଦ୍ୱାର ଦେଇ ବଡ଼ ଦେଉଳରେ ପ୍ରବେଶ କରିଥିଲେ । ତିନିଘଣ୍ଟା ବିଳମ୍ବରେ ପ୍ରାୟ ପୂର୍ବାହ୍ନ ସାଢ଼େ ୧୧ଟାରୁ ଏହି ଦର୍ଶନ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଧରି ଝିପିଝିପି ବର୍ଷା ସତ୍ତ୍ୱେ ଲକ୍ଷାଧିକ ଭକ୍ତ ସିଂହଦ୍ୱାର ସମ୍ମୁଖରେ ଅପେକ୍ଷା କରିଥିଲେ । ଏକ ଘଣ୍ଟା ପାଇଁ ସାହାଣ ମେଲା ଦର୍ଶନ ଜାରି ରହିଥିଲା । ଦର୍ଶନ ପାଇଁ ଦକ୍ଷିଣ ଦ୍ୱାରରେ କିଛି ସମୟ ଠେଲାପେଲା ହେବାରୁ ବ୍ୟାରିକେଡ ଭାଙ୍ଗି ଯାଇଥିଲା । ଏଥିରେ ୧୦ରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ରାତି ୧୦ଟା ପର୍ଯ୍ୟନ୍ତ ବାହାର କାଠ ପାଖରୁ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିବା ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ସୂଚନା ଦେଇଛନ୍ତି । ନବଯୌବନ ନୀତିରେ କିଛି ବିଳମ୍ବ ହୋଇଥିଲେ ମଧ୍ୟ ଆସନ୍ତା କାଲି ମହାପ୍ରଭୁଙ୍କ ଦେବନୀତି ଠିକଣା ସମୟରେ ଅନୁଷ୍ଠିତ ହେବ । ଏପରିକି ଏକ ଘଣ୍ଟା ପୂର୍ବରୁ ନୀତି ସମ୍ପନ୍ନ କରାଯିବ ବୋଲି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଆଜ୍ଞାମାଳ ନେଇ ତିନି ପୂଜାପଣ୍ଡା ରଥଖଳାରେ ବିଜେ ପରିବା ପରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପରେ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ସର୍ବଶେଷରେ ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥକୁ ଆରକ୍ଷୀ ଓ ସ୍ୱେଚ୍ଛାସେବୀ ଟାଣି ସିଂହଦ୍ୱାର ସମ୍ମୁଖକୁ ଆଣିଥିଲେ । ରଥଗୁଡ଼ିକରେ ଆକର୍ଷଣୀୟ ପୁଷ୍ପ ଓ ସୋଲର କାରୁକାର୍ଯ୍ୟ ସଜ୍ଜା କାର୍ଯ୍ୟ ଆରମ୍ଭ ହୋଇଛି । ବିଶ୍ୱକର୍ମା, ଭୋଇ ସେବକ ରଥକାମର ଚୂଡ଼ାନ୍ତ ତନଖି ସାରିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଓ ଶ୍ରୀମନ୍ଦିର ଭିତରେ ପୁଲିସ ମୁତୟନ ହୋଇଛନ୍ତି । ଟ୍ରାଫିକ୍ ବ୍ୟବସ୍ଥା କଡାକଡ଼ି କରାଯାଇଛି । ନବଯୌବନ ଦର୍ଶନ ସମୟରେ ସହରରେ କୌଣସି ଅପି୍ରତିକର ଘଟଣା ଘଟିନି । ରଥ ଯାତ୍ରା କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ, ଆସନ୍ତା କାଲି ପୂର୍ବାହ୍ଣ ୯.୩୦ରେ ପହଣ୍ଡି, ଅପରାହ୍ଣ ୧.୩୦ରେ ଛେରାପହଁରା, ୨.୩୦ରେ ରଥଟଣା ହେବ । ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ ପାଇଁ ଶକରୀ କ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଯାତାୟାତର ସୁବିଧା ପାଇଁ ଶତାଧିକ ସ୍ୱତନ୍ତ୍ର ଟ୍ରେନ ଓ ବସ ବ୍ୟବସ୍ଥା ସହିତ ରହଣୀ ଏବଂ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଛି । ମୋଟ ଉପରେ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ଓ ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ରହିଛି ।




Powered by odothemes.com