SECRETARIAT-sachibalaya-re-rajyastariya-prakrutika-bipajaya---commitee-baithak(1)

ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

42

ବନ୍ୟା ନିୟନ୍ତ୍ରଣ ପାଇଁ ବୈଠକ
ଭୁବନେଶ୍ୱର(ବୁ୍ୟରୋ): ମହାନଦୀ ଅବବାହିକାରେ ପ୍ରବାହିତ ବିଭିନ୍ନ ନଦୀ ମୁହାଣରେ ବନ୍ୟା ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରି ପୁରୀ ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ କରିବା ଉଦେ୍ଦଶ୍ୟରେ ନଦୀ ମୁହାଣରୁ ଦଳ ଓ ଆବର୍ଜନା ସଫା କରିବା ସହ ଖନନର ଆବଶ୍ୟକତା ରହିଥିବାରୁ ଏ ଦିଗରେ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତ୍ୱାରୋପ କରିଛନ୍ତି । ମହାନଦୀର ପ୍ରମୁଖ ଶାଖାନଦୀ କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ରତ୍ନଚିରା, ମକରା ଆଦି ପୁରୀ ଜିଲ୍ଲାରେ ପ୍ରବାହିତ ହୋଇ ସମୁଦ୍ରରେ ଓ ଚିଲିକାରେ ମିଶିଛନ୍ତି । ଏହି ନଦୀଗୁଡ଼ିକର ମୁହାଣ ଦଳ, ଆବର୍ଜନା ଓ ପଟୁରେ ପୋତି ହେବା ଫଳରେ ସମୁଦ୍ରକୁ ବନ୍ୟା ଜଳ ଠିକ୍ ଭାବରେ ନିଷ୍କାସନ ହୋଇପାରୁନଥିବାରୁ ଏହାର ନିରାକରଣ ପାଇଁ ସୋମବାର ସଚିବାଳୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଦୀ ମୁହାଣଠାରୁ ଅନ୍ତତଃପକ୍ଷେ ସର୍ବନିମ୍ନ ୫ଠଂ ମିଟର ପର୍ଯ୍ୟନ୍ତ ଖନନ ଓ ଦଳ, ଆବର୍ଜନାକୁ ସଫଳ କରାଯାଇ ଜଳ ନିଷ୍କାସନ ପ୍ରକ୍ରିୟାକୁ ସୁଗମ କରାଗଲେ ଏହା ବନ୍ୟା ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।
ପୁରୀ ଜିଲ୍ଲାରେ ପ୍ରବାହିତ ହେଉଥିବା କୁଶଭଦ୍ରା ନଦୀ ବାଲିଅନ୍ତାଠାରେ କୁଆଖାଇ ନଦୀରୁ ବାହାରି ପୁରୀର ରାମଚଣ୍ଡୀଠାରେ ସମୁଦ୍ରରେ ମିଶିଛି । ସେହିପରି ଦୟା ଓ ଭାର୍ଗବୀ ନଦୀ ବାଳକାଟିଠାରୁ କୁଆଖାଇ ନଦୀରୁ ବାହାରି ପୁରୀ ଜିଲ୍ଲାରେ ପ୍ରବାହିତ ହେଉଛି । ଏହି ନଦୀଦ୍ୱୟ ବଡ଼ଗୋଠଠାରେ ଲୁଣାନଦୀରେ ମିଶି ଚିଲିକାରେ ମିଶିଛି । ସେହିପରି ଲୁଣଶ ଓ ରତ୍ନଚିରା ନଦୀଦ୍ୱୟ ପ୍ରମୁଖ ଜଳ ନିଷ୍କାସନ ପଥ ଭାବରେ ପରିଗଣିତ ହୋଇଥାଏ । ଧନୁଆ ନଦୀ କୁଶଭଦ୍ରା ନଦୀର ପ୍ରମୁଖ ମୁହାଣରେ ଜଳ ନିଷ୍କାସନ କରିଥାଏ । ଏଥିସହିତ କାଦୁଆ ନାଳଦ୍ୱାରା ପ୍ରାଚୀ ନଦୀରେ ଏବଂ ମୁଶା ନଈ ଦ୍ୱାରା ମଙ୍ଗଳା ନଦୀରେ ଜଳ ନିଷ୍କାସନ ହୋଇଥାଏ । ତେବେ ଅବବାହିକାରେ ପ୍ରବାହିତ ଏହିସବୁ ନଦୀ ଏବଂ ଜଳ ନିଷ୍କାସନ ଚ୍ୟାନେଲ୍ଗୁଡ଼ିକ ପ୍ରାୟତଃ ସମତଳ ହୋଇଥିବାରୁ ବନ୍ୟାଜଳ ଶୀଘ୍ର ସମୁଦ୍ର ଓ ଚିଲିକାକୁ ଖଲାସ ହୋଇନପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଏଥିସହିତ ନଦୀ ମୁହାଣଗୁଡ଼ିକ କ୍ରମଶଃ ଜଳ ଓ ଆବର୍ଜନା ଆଦିରେ ପୋତି ହୋଇଯାଉଥିବାରୁ ଶୀଘ୍ର ନିଷ୍କାସନ ନିମନ୍ତେ ଏଗୁଡ଼ିକର ଖନନର ଆବଶ୍ୟକତା ରହିଛି । ତେଣୁ ଏହାର ନିରାକରଣ ନିମନ୍ତେ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ସର୍ଭେ କରାଯାଇ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହାଦ୍ୱାରା ପୁରୀ ଜିଲ୍ଲାରେ ସହଜରେ ବନ୍ୟାର ସମ୍ଭାବନାକୁ ହ୍ରାସ କରାଯାଇପାରିବ ।
ଜଳସମ୍ପଦ ବିଭାଗ ଦ୍ୱାରା ଉପରୋକ୍ତ ସମସ୍ତ ନଦୀ ଜଳ ନିଷ୍କାସନ ପଥକୁ ସର୍ଭେ କରାଯାଇ ଖୁବ୍ଶୀଘ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର କୁମାର ସେଠୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କ ସମେତ ଜଳସମ୍ପଦ ବିଭାଗର ଇଞ୍ଜିନିୟର୍ ଇନ୍ ଚିଫ୍ ଓ ଚିଫ୍ ଇଞ୍ଜିନିୟର୍ ଏବଂ ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ ।




Powered by odothemes.com