BJP-PRESS-MEET-(2)

ଅଣ୍ଡାମାଡ଼ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିବ ବିଜେପି

15

ଭୁବନେଶ୍ୱର, (ବୁ୍ୟରୋ): କେନ୍ଦ୍ରପଡା ଜିଲ୍ଲା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଯେଉଁ ଭଳି ଭାବେ ଆକ୍ରମଣ କରାଗଲା, ତାହା ନିଶ୍ଚିତ ଭାବେ ସଭ୍ୟ ସମାଜ ଓ ଗଣତନ୍ତ୍ର ବ୍ୟବସ୍ଥାରେ ଅତି ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି କହିବା ସହ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଘଟଣାର ଦୃଢ ନିନ୍ଦା କରିଛନ୍ତି । ପାର୍ଟିର ବରିଷ୍ଠ ନେତା ତଥା ଆଦିବାସୀ ସମାଜର ନେତୃତ୍ୱର ପ୍ରତୀକ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ୩ ବର୍ଷ ପୁର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରର ବିଭିନ୍ନ ଗରିବକଲ୍ୟାଣ ଯୋଜନାର ବାର୍ତା ପହଞ୍ଚାଇବା ଉଦେ୍ଦଶ୍ୟରେ କେନ୍ଦ୍ରପଡା ଜିଲ୍ଲା ରାଜକନିକା ଗସ୍ତ ସମୟରେ ହୋଇଥିବା ଆକ୍ରମଣ, ସଂପୂର୍ଣ୍ଣ ଭାବେ ବିଜେଡି ଦ୍ୱାରା ପ୍ରାୟୋଜିତ ଏବଂ କଂଗ୍ରେସ ଦ୍ୱାରା ଆୟୋଜିତ ବୋଲି ରାଜ୍ୟ ସଭାପତି ଶ୍ରୀ ପଣ୍ଡା କହିଛନ୍ତି । ରାଜ୍ୟ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାର ଗୁରୁ ଦାୟିତ୍ୱ ହେଲା ମୁଖ୍ୟମନ୍ତ୍ରୀଙ୍କର । ତାଙ୍କ ନିଜ ଉପରେ ଅଣ୍ଡା ମାଡ ହେଲେ ଅଭିଯୁକ୍ତଙ୍କୁ ୩୦୭ ଦଫା ଅନୁଯାୟୀ ଗିରଫ କରାଯାଉଛି । ଅନ୍ୟ ପକ୍ଷରେ ପୋଲିସ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ହେବା ସତ୍ୱେ ନିଜ ଆଡୁ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଶ୍ର ପଣ୍ଡା ପ୍ରଶ୍ନ ପଚାରିଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଆଇନ ଶୃଙ୍ଖଳା ସଂପର୍କରେ ଆସନ୍ତା କାଲି ତାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଅବଗତ କରାଇବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ପଣ୍ଡା ସୁଚନା ଦେଇଛନ୍ତି ।




Powered by odothemes.com