କେନ୍ଦ୍ରର ଅବିଚାର ମହଙ୍ଗା ପଡ଼ିବ

IMG-20170613-WA0107

ଯୁବ ବିଜେଡିର ଉତ୍ତର ଓଡ଼ିଶା ସମ୍ମିଳନୀ
ବାଲେଶ୍ୱର, ୧୩ ।୬(ଆପ୍ର): ମଙ୍ଗଳବାର ପୂର୍ବାହ୍ନରେ ସହର ଉପକଣ୍ଠ ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଅନୁଷ୍ଠିତ ହୋଇଯାଇଛି ବିଜୁ ଯୁବଜନତା ଦଳର ଉତ୍ତର ଓଡ଼ିଶା ସମ୍ମିଳନୀ । ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ବହୁ ବରିଷ୍ଠ ମନ୍ତ୍ରୀ ଓ ବିଧାୟକ ଏଥିରେ ଯୋଗଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ଅବହେଳା ତଥା ବୈମାତୃକ ମନୋଭାବକୁ ଦୃଢ଼ ସ୍ୱରରେ ନିନ୍ଦା କରିବା ସହିତ ଏଥିନେଇ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ସ୍ୱତନ୍ତ୍ର ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । କେନ୍ଦ୍ରର ବିଜେପି ଶାସନାଧୀନ ଏନଡିଏ ସରକାରଙ୍କ ତିନି ବର୍ଷର କାର୍ଯ୍ୟଧାରା ଓ ଓଡ଼ିଶା ପ୍ରତି କରାଯାଇଥିବା ଅନ୍ୟାୟ ଅବିଚାର ଆଗାମୀ ଦିନରେ ମହଙ୍ଗା ପଡ଼ିବ ବୋଲି ସେମାନେ କହିଥିଲେ । ଭାରତର ସଂଘୀୟ ସାମ୍ବିଧାନିକ ବ୍ୟବସ୍ଥାରେ ଗତ ୩ ବର୍ଷ ଧରି କେନ୍ଦ୍ର ସରକାର କରି ଚାଲିଥିବା ଅସହଯୋଗ ତୀବ୍ର ହୋଇଛି । ପ୍ରାଚୁର୍ଯ୍ୟ ମଧ୍ୟରେ ଦାରିଦ୍ର୍ୟ ଭଳି ଓଡ଼ିଶାକୁ ପଛୁଆ କରି ରଖିବା ନେଇ କେନ୍ଦ୍ର ସରକାର ହୀନ ଉଦ୍ୟମ ଅତ୍ୟନ୍ତ ଦୁର୍ଭାଗ୍ୟ ବୋଲି ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା କହିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଦୁଇଗୋଟି ‘ଇଣ୍ଡଷ୍ଟ୍ରିଆଲ କରିଡର’ରେ ଓଡ଼ିଶାକୁ ସାମିଲ କରା ନଯିବା, ଓଡ଼ିଶାର ବିକାଶ ପାଇଁ ବିଆରଜିଏଫ୍, କେବିକେ ପ୍ରଭୃତି ୮ ଗୋଟି ଯୋଜନାକୁ ବନ୍ଦ କରିବା, ବିଭିନ୍ନ ଯୋଜନାରେ କେନ୍ଦ୍ରର ଶତ ପ୍ରତିଶତ ଅନୁଦାନକୁ ହ୍ରାସ କରିବା, ଓଡ଼ିଶା ରେଳ ବିଭାଗରୁ ବାର୍ଷର୍ିକ ୧୪ ହଜାର କୋଟ ଟଙ୍କା କେନ୍ଦ୍ରକୁ ପ୍ରଦାନ କରାଯାଉଥିବା ବେଳେ ରାଜ୍ୟରେ ରେଲୱେ ଭିତ୍ତିଭୂମି ବିକାଶ ପ୍ରତି ଦୃଷ୍ଟି ନଦେବା, ମହାନଦୀ ଓ ପୋଲାଭରମ ବିବାଦ ସମାଧାନ ପରିବର୍ତ୍ତେ ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶକୁ ସମର୍ଥନ ଦେବା ଆଦି କେନ୍ଦ୍ର ସରକାରଙ୍କ ଦୂରଭିସନ୍ଧିଯୁକ୍ତ କାର୍ଯ୍ୟର ଉଚିତ ଜବାବ ଆଗାମୀ ଦିନରେ ରାଜ୍ୟବାସୀ ଦେବେ ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟମକେଶ ରାୟ, ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସୋର ବିଧାୟକ ପର୍ଶୁରାମ ଧଡ଼ା, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଅମରେଶ ପତ୍ରି, ଶିଶିର ପରିଜା, ପ୍ରୟାସକାନ୍ତି ସାମଲ, ଜୟରାମ ଦାସ, ଶୁବ୍ରମନୁ୍ୟମ୍ ମହାନ୍ତି ପ୍ରମୁଖଙ୍କ ସମେତ ଜିଲ୍ଲା ଯୁବ ବିଜେଡି ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଉପ-ସଭାପତି ସତ୍ୟରଂଜନ ଦାସ ପ୍ରମୁଖଙ୍କ ସମେତ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାର ନିର୍ବାଚିତ ବିଜେଡି ସାଂସଦ ଓ ବିଧାୟକମାନେ ଏହି ସମ୍ମିଳନୀରେ ଯୋଗଦେଇ ସଂଘୀୟ ବ୍ୟବସ୍ଥାକୁ ପଦାଘାତ କରି ଯେପରି କେନ୍ଦ୍ର ସରକାର ଓଡ଼ିଶା ରାଜ୍ୟକୁ ଅଣଦେଖା କରୁଛି ତାର ଦୃଢ଼ ନିନ୍ଦା କରିବା ସହିତ ଯୁବଶକ୍ତିକୁ ଅଧିକ ସକ୍ରିୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉତ୍ତର ଓଡ଼ିଶାର ୪ ଜିଲ୍ଲାରୁ ବିଜୁ ଯୁବଜନତା ଦଳର ୧୦ ହଜାରରୁ ଅଧିକ ଯୁବକର୍ମୀ ଆଜିର ସମ୍ମିଳନୀରେ ଯୋଗ ଦେଇଥିଲେ ।