DERABISSA--poklin-podi

ବାଲିଉଠାକୁ ବିରୋଧ, ପୋକ୍ଲିନ୍ ଜାଳିଦେଲେ

62

ଡେରାବିଶ (ଆପ୍ର): ଡେରାବିଶ ବ୍ଲକ୍ ହରିଅଙ୍କ ପଞ୍ଚାୟତ ଲୁଣାନଦୀର କୂଳସାହି ଶନିମନ୍ଦିରରେ ରବିବାର ବାଲିଉଠାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ବୃତ୍ତଙ୍କ ଦ୍ୱାରା ପୋକଲିନ ପୋଡି ଦିଆଯାଇଥିବା ଜଣାପଡ଼ିଛି । କୂଳସାହି ଘାଟ ସମେତ ପାଣତର ଘାଟ ନିଲାମ ଦିଆଯାଇନଥିବା ବେଳେ ଗତକାଲି ପାଣତର ଘାଟରୁ କେତେକ ଯୁବକ ଏକ ନିର୍ଦ୍ଧିଷ୍ଟ ଦଳର ବୋଲି କହି ବାଲି ଉଠାଇବାକୁ ଜେସିବି ମେସିନ ସହିତ ଟ୍ରକ ଆଣି ଉଦ୍ୟମ ଆରମ୍ଭ କରିଥିଲେ । ମାତ୍ର ଗ୍ରାମବାସୀ ଏହାକୁ ବିରୋଧ କରିଥିବା ବେଳେ ବାଲି ଉଠାଇବାରେ ସେମାନେ ସକ୍ଷମ ହୋଇନପାରି ଫେରିଯାଇଥିଲେ । ପୋକଲିନକୁ ଶନିବାର ଅପରାହ୍ଣରେ କୂଳସାହି ଘାଟକୁ ନେଇ କିଛି ବାଲି ଉଠାଇ ଚାଲଣ କରିଥିଲେ । ରବିବାର ଅପରାହ୍ଣରେ ଯୁବକ ସେଠାରେ ନଥିବାବେଳେ କେତେକ ଦୁର୍ବୃତ୍ତ ପୋକଲିନ ପାଖକୁ ଯାଇ ଚାଳକକୁ ଧମକଦେଇ ଓହ୍ଲାଇଦେବା ପରେ ପେଟ୍ରୋଲ ଢାଳି ନିଆଁଲଗାଇ ଦେଇଥିଲେ । ପୋକଲିନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଛି । ଖବରପାଇ କେନ୍ଦ୍ରାପଡା ଏସଡିପିଓ କେଦାରନାଥ ସାହୁ, ସଦରଥାନା ଆଇଆଇସି ନୀଳକଣ୍ଠ ପ୍ରସାଦ ପାତ୍ର ସମେତ ପୁଲିସ ଟିମ୍ ପହଞ୍ଚô ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଉତେଜନା ଲାଗିରହିଛି । ଡେରାବିଶ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ପଚାରିବାରୁ ଉକ୍ତ ଘାଟ ନିଲାମ ଯୋଗ୍ୟ ନୁହେଁ ବୋଲି କହିଥିଲେ । ରିପୋର୍ଟ ଲେଖାହେଲା ବେଳକୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

ସେଆର କରନ୍ତୁ:



Powered by odothemes.com