ସୁଧୁରୁନି ପାରାଦୀପ ଟ୍ରାଫିକ୍ ସମସ୍ୟା

PARADEEPTRAFIC-JAMA-PARDEEPPHOTO

ଜିଲ୍ଲାପାଳଙ୍କ କଟକଣାକୁ ବେଖାତିର
ପାରାଦୀପ (ଆପ୍ର): ବନ୍ଦର ନଗରୀ ପାରାଦୀପ ଅଠରବାଙ୍କୀ ଠାରୁ ଦୋଛକି ଓ ଟର୍ମିନାଲ ଠାରୁ ତୈଳ ବିଶୋଧନାଗାର ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉଭୟ ପାଶ୍ୱର୍ରେ ବେଆଇନ୍ ଭାବେ ଭାରିଯାନ ପାର୍କିିଂ ହେଉଥିବା ଦେଖାଯାଉଛି । ଏନେଇ ଦୀର୍ଘଦୀନ ହେବ ଘୋର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସାମୟିକ ଭାବେ ନୋ-ପାର୍କିିଂ ଜୋନ୍ ଘୋଷଣା କରାଯାଉଛି । ମାତ୍ର ଏଥିପ୍ରତି କର୍ଣ୍ଣପାତ କରିବା ବଦଳରେ ଏହାକୁ ବେଖାତିର କଲା ପରି ମନେହେଉଛି । ପ୍ରକାଶଯୋଗ୍ୟ, ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଭାରିଯାନ ପାର୍କିଂ ହଟାଇବା ପାଇଁ ଜିଲ୍ଲାପାଳ ଯାମିନୀ ଷଡଙ୍ଗୀ ଗତ ମାର୍ଚ୍ଚ ୧୫ରୁ ୩ଥର ଉଦ୍ୟମ କରିଥିଲେ । ମାତ୍ର ଏନେଇ କୌଣସି ସୁଫଳ ମିଳିନଥିଲା । ସେହିପରି ଗତ ଏପି୍ରଲ ୨୫ରୁ ମେ’ ୨୫ ପର୍ଯ୍ୟନ୍ତ ନୋ-ପାର୍କିଂ କଟକଣା ଜାରି ହୋଇଥିବା ସତ୍ତ୍ୱେ ଏହା ଏଯାବତ୍ କାର୍ଯ୍ୟକାରୀ ହୋଇପାରିନାହିଁ । ଶତାଧିକ ଟ୍ରକ୍, ହାଇୱା, ଟ୍ୟାଙ୍କର ଓ ଟ୍ରେଲର ରାସ୍ତାର ଉଭୟ ପାଶ୍ୱର୍ରେ ପୂର୍ବପରି ଅଟକି ରହୁଛି । ଏହାଦ୍ୱାରା ରାସ୍ତା ସଙ୍କୁଚିତ ହୋଇ ସାଧାରଣ ଯାନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ଏସବୁ ସମସ୍ୟାରେ ସୁଧାର ଆଣିବା ପାଇଁ ପୁନଶ୍ଚ ଜିଲ୍ଲାପାଳ ପାର୍କିଂ କଟକଣା ଜାରି କରିଥିଲେ । କିନ୍ତୁ ଏଥିରେ ସାମାନ୍ୟତମ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ସୂଚନାନୁଯାୟୀ, ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ସମସ୍ୟା ହଟାଇବା ପାଇଁ ପୁଲିସ ଓ ପୌର କର୍ମଚାରୀଙ୍କୁ ନେଇ ଏକ ସ୍କ୍ୱାର୍ଡ ଗଠନ ହୋଇଛି । କିନ୍ତୁ ସ୍କ୍ୱାର୍ଡ ପକ୍ଷରୁ ଏସବୁ ଯାଞ୍ଚ ହେଉନଥିବା କୁହାଯାଉଛି ।