Define-provident-fund-and-explain-various-kinds-and-their-working-system

ଚାକିରିର ଦଶବର୍ଷ ପରେ ଫାଇନାଲ ଉଠାଣ ହୋଇପାରିବ

37

ଜିପିଏଫ୍ ଉଠାଣ ନିୟମ କୋହଳ
ଭୁବନେଶ୍ୱର (ବୁ୍ୟରୋ): ଭବିଷ୍ୟନିଧି ପାଣ୍ଠିରୁ କର୍ମଚାରୀମାନେ ଟଙ୍କା ଉଠାଣ ପାଇଁ ରହିଥିବା ନିୟମାବଳୀର ସରଳୀକରଣ କରାଯାଇଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅନୁମୋଦନ ପରେ ଏ ବାବଦରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଫଳରେ କର୍ମଚାରୀଙ୍କୁ ଭବିଷ୍ୟନିଧି ପାଣ୍ଠିରୁ ଅର୍ଥ ଉଠାଣ ଅଧିକ ସହଜ ଓ ସରଳ ହେବ । ଓଡ଼ିଶା ଭବିଷ୍ୟନିଧି ପାଣ୍ଠି ନିୟମାବଳୀ-୧୯୩୮ରେ ରହିଥିବା ସର୍ତ୍ତାବଳୀକୁ କୋହଳ ଓ ସରଳ କରାଯାଇଛି । କର୍ମଚାରୀମାନେ ପ୍ରାଥମିକ, ମାଧ୍ୟମିକ ତଥା ଉଚ୍ଚଶିକ୍ଷା ବ୍ୟୟ, ପୁଅଝିଅଙ୍କ ବିବାହ, ନିଜର କିମ୍ବା ପରିବାରର ସଦସ୍ୟଙ୍କ ଶ୍ରାଦ୍ଧ କିମ୍ବା ଅନ୍ୟାନ୍ୟ ଉତ୍ସବାନୁଷ୍ଠାନ ନିମନ୍ତେ ଉଦ୍ଦିଷ୍ଟ ଅର୍ଥ ଚାକିରିର ଦଶବର୍ଷ ପୂରଣ ପରେ ଉଠାଣ କରିପାରିବେ । ଜଣେ କର୍ମଚାରୀ ୧୨ ମାସର ଦରମା ଅଥବା ତାଙ୍କ ଜିପିଏଫ୍ରେ ରହିଥିବା ଜମାରାଶିର ତିନିଚତୁର୍ଥାଂଶରୁ ଯେଉଁଟି ଊଣା, ସେହି ପରିମାଣର ଅର୍ଥ ଉଠାଣ କରିପାରିବେ । ଅସୁସ୍ଥତା କାରଣରୁ ଜମା ରାଶିର ୯୦% ଉଠାଣ କରାଯାଇପାରିବ । ଯାନବାହନ କ୍ରୟ, ପୂର୍ବରୁ ସେ ବାବଦରେ ନେଇଥିବା ଋଣ ପରିଶୋଧ ଅଥବା ନୂତନ ଯାନ ନିମନ୍ତେ ଅର୍ଥ ଜମାକରିବା ଉଦେ୍ଦଶ୍ୟରେ ଜଣେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରୁ ସମ୍ପୂର୍ଣ୍ଣ ମୂଲ୍ୟ କିମ୍ବା ତାଙ୍କ ପାଣ୍ଠିରେ ରହିଥିବା ଅର୍ଥର ତିନିଚତୁର୍ଥାଂଶରୁ ଯେଉଁଟି ଊଣା, ସେହି ପରିମାଣର ଅର୍ଥ ଉଠାଣ କରିପାରିବେ । ଦର୍ଶବର୍ଷ ଚାକିରି ଅବଧି ପୂରଣ ପରେ ଜମାକାରୀ ଏହି ସୁବିଧା ପାଇପାରିବେ । ଏହା ବ୍ୟତୀତ ଜଣେ କର୍ମଚାରୀ ଅବସର ନେବାର ଦୁଇବର୍ଷ ପୂର୍ବରୁ କୌଣସିି କାରଣ ନଦର୍ଶାଇ ଭବିଷ୍ୟନିଧି ପାଣ୍ଠିରୁ ୯୦% ଅର୍ଥ ଉଠାଣ କରିପାରିବେ ବୋଲି ସଂଶୋଧିତ ନିୟମାବଳୀରେ ବ୍ୟବସ୍ଥା କରାଯାଇଛି । ଉଠାଣ ନିମନ୍ତେ ଜମାକାରୀଙ୍କୁ କୌଣସି ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ । ଆବେଦନ ସମୟରେ କେବଳ ଉଠାଣର କାରଣ ଦର୍ଶାଇ ସ୍ୱଘୋଷଣାପତ୍ର ପ୍ରଦାନ କରିବେ ଓ ବିଭାଗୀୟ ମୁଖ୍ୟ ଉଠାଣ ଆବେଦନ ମଞ୍ଜୁର କରିବା ପାଇଁ କ୍ଷମତାପନ୍ନ ରହିବେ । ଭବିଷ୍ୟନିଧି ପାଣ୍ଠିରୁ ଉଠାଣ ପାଇଁ ଆବେଦନର ମଞ୍ଜୁରି ତଥା ଅର୍ଥ ପ୍ରଦାନ ନିମନ୍ତେ ସମୟ ସୀମା ଆଗରୁ ନିର୍ଦ୍ଧାରିତ ହୋଇନଥିବାବେଳେ ଏବେ ନୂଆ ବ୍ୟବସ୍ଥାରେ ୩୦ ଦିନ ମଧ୍ୟରେ ଏହି ମଞ୍ଜୁରି ଓ ଅର୍ଥ ପ୍ରଦାନ କରାଯିବ ବୋଲି ନିର୍ଦ୍ଦିଷ୍ଟ କରାଯାଇଛି । ଅସୁସ୍ଥତା କ୍ଷେତ୍ରରେ ଏହି ସମୟସୀମାକୁ ୧୦ ଦିନ ରଖାଯାଇଛି ।




Powered by odothemes.com