H

ମା’-ମାଟି ପାଇଁ ସମୟ ଦିଅ

84

ଭୁବନେଶ୍ୱର, ୫ା୬(ବୁ୍ୟରୋ): ସମାଜ, ନିଜ ମା’ ଓ ମାଟି ପାଇଁ କିଛି ସମୟ ଦେବା ଦରକାର । ମା’-ମାଟିର ଉନ୍ନତି ଓ ଗୌରବ ପାଇଁ କାମ କଲେ ତାହା ହେବ ସବୁଠାରୁ ବଡ ସଫଳତା ବୋଲି ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଇଂରାଜୀରେ ଗୋଟିଏ କଥା ଅଛି ଯେ ଆଶୀର୍ବାଦକୁ ରୁଣ୍ଡାଅ । ତେଣୁ ଆମର ଯାହା ସୁବିଧା, ସଫଳତା ଓ ଦକ୍ଷତା ଅଛି, ତାହା ତୁମେମାନେ ଉପସ୍ଥାପନ କର । ଫଳରେ ମା’-ମାଟି ପାଇଁ କିଛି କରିପାରିବ । ଓଡିଆ ପିଲାମାନେ ଶିକ୍ଷାଠାରୁ ଆରମ୍ଭ କରି କ୍ରିଡା, ଫେସନ୍ ଓ କଳାରେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ରାଜ୍ୟର ସୁନାମ ବୃଦ୍ଧି କରୁଛନ୍ତି । ଓଡିଆ ଛାତ୍ରଛାତ୍ରୀମାନଙ୍କୁ ଯେତେବେଳେ ସମ୍ବର୍ଦ୍ଧିତ କରିବାର ସୁଯୋଗ ପାଏ, ସେତେବେଳେ ଖୁସି ଅନୁଭବ କରିବା ସହ ଆମ ପିଲାଙ୍କ ସଫଳତା ଲାଗି ବି ଗର୍ବ ଅନୁଭବ କରିଥାଏ । ପ୍ରତି ଛାତ୍ର ଭିତରେ ପ୍ରତିଭା ଓ ଦକ୍ଷତା ରହିଛି । ତା’ର ବିକାଶ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହେଲେ, ସେମାନେ ଗୋଟିଏ ଗୋଟିଏ ସଫଳତାର କାହାଣୀ ହୋଇପାରିବେ । ଶିକ୍ଷା, ତାଲିମ ଓ ନିଯୁକ୍ତି ହେଉଛି ଆମର ପ୍ରାଥମିକତା । ଶିକ୍ଷା କ୍ଷେତ୍ରରେ ଓଡିଶା ଏବେ ପୂର୍ବାଞ୍ଚଳର ହବ୍ ପାଲଟିଛି । ସମସ୍ତଙ୍କ ଲାଗି ଉଚ୍ଚଶିକ୍ଷାର ସୁବିଧା ଦେବା ପାଇଁ ତାଙ୍କ ସରକାର ୧% ସୁଧରେ ଶିକ୍ଷା ଋଣ ଦେଉଛନ୍ତି । କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭରସା ଆଣିଛି । ବୃତ୍ତିଗତ ପାଠ୍ୟକ୍ରମ ପାଇଁ ବୃତ୍ତି ଦିଆଯାଉଥିବାବେଳେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶାକୁ ଏକ ମଡେଲ୍ ରାଜ୍ୟ କରିବା ଆମର ଲକ୍ଷ୍ୟ ରହିଛି । ୮ ଲକ୍ଷ ପିଲାଙ୍କୁ ବିଶ୍ୱସ୍ତରୀୟ ତାଲିମ ଦେବା କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ପିଲା ତାଲିମ ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ପୁଞ୍ଜି ନିବେଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁ, ମୁମ୍ବାଇ ଓ ଭୁବନେଶ୍ୱରରେ ଯେଉଁ ଇନ୍ଭେଷ୍ଟରସ୍ ମିଟ୍ ହୋଇଥିଲା, ସେଥିରେ ରାଜ୍ୟ ପାଇଁ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିଛି । ଏବେ ସେଥିମଧ୍ୟରୁ ୧୦ଟି କମ୍ପାନୀର ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିରେ ୪୬ ହଜାର ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗତ ୩ ବର୍ଷରେ ବିଭିନ୍ନ କ୍ଷେତ୍ରରେ ୫ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି । ସରକାରୀ ସ୍ତରରେ ୫୦ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି ଓ ଖାଲି ଥିବା ପଦବୀ ନିଯୁକ୍ତି ପ୍ରକ୍ରିୟାର ସେ ନିୟମିତ ସମୀକ୍ଷା କରୁଛନ୍ତି । ୨୦୨୫ ସୁଦ୍ଧା ବିଭିନ୍ନ କ୍ଷେତ୍ରରେ ୩୦ ଲକ୍ଷ ପିଲାଙ୍କୁ ନିଯୁକ୍ତି ଦେବା ଆମର ଲକ୍ଷ୍ୟ ରହିଛି । କ୍ରୀଡା କ୍ଷେତ୍ରରେ ଆଜି ଭୁବନେଶ୍ୱରର ଗୁରୁତ୍ୱ ବଢିଛି । ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା, ଆଥେଲେଟିକ୍ସ କାର୍ଯ୍ୟକ୍ରମ ରାଜ୍ୟରେ ଆୟୋଜନ କରାଯାଇ ଗୁରୁତ୍ୱ ବଢିଛି । ରାଜ୍ୟର ବିଭିନ୍ନ ସାମାଜିକ ସୂଚାଙ୍କ ଉନ୍ନତି ହୋଇଛି । ଆଇଟି ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ରପ୍ତାନୀ ୧୧୪% ବୃଦ୍ଧି ପାଇଛି । ରାଜ୍ୟରେ ଅର୍ଥନୈତିକ ବିବିଧୀକରଣ ହୋଇଛି । ରାଜ୍ୟ ଆଜି ସଫଳତାର ସହ ଆଗକୁ ବଢୁଛି । ରାଜ୍ୟର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ଛାତ୍ର ଓ ଯୁବ ସମାଜର ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com