ସ୍ୱେଚ୍ଛାସେବୀ କରିବେ ଟ୍ରାଫିକ୍ ନିୟନ୍ତ୍ରଣ

Traffic ra Voluntary  (13)

ଭୁବନେଶ୍ୱର,୨୩ା୪(ବୁ୍ୟରୋ): ସହରରେ ଟ୍ରାଫିକ୍ ବ୍ୟବସ୍ଥା ବିଗିଡିଯାଇଛି । କର୍ମଚାରୀଙ୍କ ଅଭାବ ରହିଛି । ଦୁର୍ଘଟଣା ବଢ଼ୁଛି । ଅସଜଡା ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବାକୁ ଆଜି ୬୦ ଜଣ ସ୍ୱେଛାସେବୀ ପୁଲିସ୍ ସହ ଯୋଡି ହୋଇଛନ୍ତି । ସେମାନଙ୍କୁ ୩ ଦିନିଆ ପ୍ରଶିକ୍ଷଣ ଦିଆଯାଇଛି । ଆଗାମୀ ଦିନରେ ୩୦୦ ସ୍ୱେଛାସେବୀଙ୍କୁ ସାମିଲ୍ କରିବାକୁ ପୁଲିସ୍ ଟାର୍ଗେଟ୍ ରଖିଛି । ସ୍ୱେଛାସେବୀମାନଙ୍କୁ ପୁଲିସ୍ ଲୋଗୋ ଥିବା ଟି-ସାର୍ଟ ଓ ଟୋପି ଯୋଗାଇଦିଆଯାଇଛି । ସେମାନଙ୍କ ମଧ୍ୟରେ କିନ୍ନର ମଧ୍ୟ ରହିଛନ୍ତି । ଏଥିପାଇଁ ୨ଟି ସ୍ୱେଛାସେବୀ ଅନୁଷ୍ଠାନ ପୁଲିସ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । କୋଲକାତା ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ଦେଖିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ପୁଲିସ୍ କମିଶନର ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ଅନୁଷ୍ଠିତ ଉତ୍ସବରେ କହିଥିଲେ । ଏହି ଉତ୍ସବରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ସ୍ୱେଛାସେବୀ ନମ୍ରତା ଚଢ଼ା, ଲିଙ୍କନ୍ ସୁବୁଦ୍ଧି, ଭୁବନେଶ୍ୱର- କଟକ ଡିସିପି ଓ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗଦେଇଥିଲେ ।
ଭୁବନେଶ୍ୱରରେ ଲୋକ ସଂଖ୍ୟା ୧୪ ଲକ୍ଷରେ ପହଞ୍ଚିଲାଣି । ୯ ଲକ୍ଷ ଗାଡି ବ୍ୟବହାର ହେଉଛି । ଏଥି ସହିତ ପ୍ରତ୍ୟକ ଦିନ ହଜାର ହଜାର ଲୋକ ରାଜଧାନୀ ଆସୁଛନ୍ତି, ଯାଉଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ପୁଲିସ୍ ନୟାନ୍ତ ହେଉଛି । କାରଣ କର୍ମଚାରୀ ସଂଖ୍ୟା କମ୍ ରହିଛି । ସୂଚନା ଅନୁଯାୟୀ, ୫୭ଟି ଟ୍ରାଫିକ୍ ପୋଷ୍ଟ୍ ରହିଛି । ସେଥିମଧ୍ୟରୁ ୧୯ଟି ସ୍ଥାନରେ ଡିଜିଟାଲ୍ ଲାଇଟ୍ ବ୍ୟବସ୍ଥା ଅଛି । ଅଧିକ ୧୯ଟି ସ୍ଥାନରେ ନୂଆ ଭାବେ ଟ୍ରାଫିକ୍ ପୋଷ୍ଟ ଆବଶ୍ୟକ ହେଉଛି । ଏଥିପାଇଁ କର୍ମଚାରୀଙ୍କ ସଂଖ୍ୟା କମ୍ ରହିଛି । କର୍ମଚାରୀଙ୍କ ସଂଖ୍ୟା ୨୫୦ ଜଣ । ତେଣୁ ନୂଆ ଟ୍ରାଫିକ୍ ପୋଷ୍ଟ ପରିଚାଳନା କରିବା ସମ୍ଭବ ହେଉନାହିଁ । ସ୍ୱେଛାସେବୀମାନଙ୍କ ସହଯୋଗରେ ଟ୍ରାଫିକ୍ ସମସ୍ୟା ଦୂର ହୋଇପାରିବ ବୋଲି ପୁଲିସ୍ ଆଶା ବାନ୍ଧିଛି ।