ବିଜେଡିରେ ହିଂସାର ସ୍ଥାନ ନାହିଁ: ନବୀନ

44

ବୈଜୟନ୍ତଙ୍କୁ ଅଣ୍ଡାମାଡ଼ ଘଟଣା
ଭୁବନେଶ୍ୱର, ୩୧ା୫(ବୁ୍ୟରୋ): ବିଜେଡିରେ କୌଣସି ପ୍ରକାର ହିଂସାର ସ୍ଥାନ ନାହିଁ । ଦଳ ହିଂସା ଓ ବିଶୃଙ୍ଖଳାକୁ ବରଦାସ୍ତ କରିବ ନାହିଁ । ତେବେ ଦଳୀୟ ଅନୁଶାସନ ମଧ୍ୟରେ ସବୁ ନେତାମାନେ ରହିବା ଉଚିତ । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାରିବା ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ସଂପୃକ୍ତ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ନିଦେ୍ର୍ଦଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।ସୂଚନାଯୋଗ୍ୟ, ଗତକାଲି ସାଂସଦ ବୈଜୟନ୍ତ ନିଜ ସଂସଦୀୟ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗାକୁ ଯାଇଥିବାବେଳେ ସେଠାରେ ଜନଅସନ୍ତୋଷର ଶିକାର ହୋଇଥିଲେ । ତାଙ୍କୁ ଅଣ୍ଡା, ଜୋତା ଓ ଢେଲାମାଡ଼ କରାଯାଇଥିଲା । ଏହି ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଘଟଣା ଦିନ ସେ ଭୁବନେଶ୍ୱରରେ ନଥିଲେ । ଶିରିଡ଼ି ଯାଇଥିଲେ । ଏହା ଏବେ ତାଙ୍କ ଦୃଷ୍ଟିକୁ ଆସିଛି । ଏମିତି କାହିଁକି ଘଟିଲା, ତା’ର ଅନୁଧ୍ୟାନ ହେବ ଦରକାର । ଏଭଳି ଘଟଣାକୁ ଏଡ଼ାଇ ଦିଆଯାଇପାରିଥାନ୍ତା । ସାଂସଦ ଗଣମାଧ୍ୟମରେ ଯେଉଁ ମନ୍ତବ୍ୟ ଦେଉଛନ୍ତି, ତାହା ଦଳକୁ କ୍ଷତି ପହଞ୍ଚାଉଛି । ଏଥିପାଇଁ ତାଙ୍କ ଉପରେ ଜନଅସନ୍ତୋଷ ଥିଲା । ଏମିତି ଘଟିବା ନେଇ ପୂର୍ବଦିନ ସାଂସଦ ମଧ୍ୟ ଆଶଙ୍କା କରି ଟ୍ୱିଟ୍ କରିଥିଲେ । ଜିଦ୍ଖୋର ମନୋଭାବ ନରଖି ଅସନ୍ତୋଷକୁ ସମାଧାନ କରିବା ଉଚିତ ବୋଲି ଶ୍ରୀ ଜେନା କହିଛନ୍ତି ।
ସେ କହିଛନ୍ତି ଯେ, ତାଙ୍କ ପାଖରେ ଥିବା ସୂଚନା ଅନୁଯାୟୀ ସାଂସଦଙ୍କ ସାଙ୍ଗରେ ସ୍ଥାନୀୟ ଲୋକମାନେ କେହି ଉପସ୍ଥିତନଥିଲେ । ଅନ୍ୟ ଅଞ୍ଚଳରୁ ୧୦ଟି ବୋଲେରୋ ଗାଡ଼ିରେ ଲୋକମାନେ ଯାଇଥିଲେ । ସେମାନେ ସ୍ଥାନୀୟ ବାସିନ୍ଦାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାଛଡ଼ା ସାଂସଦ ଟ୍ୱିଟ୍ ଓ ଗଣମାଧ୍ୟମ ଜରିଆରେ ଯେଉଁ ବୟାନ ରଖୁଛନ୍ତି, ତାହା ଦଳକୁ କ୍ଷତି ପହଞ୍ଚାଉଛି । ଯାହା ସାଧାରଣ ଲୋକଙ୍କ ମନରେ ପ୍ରତିକ୍ରିୟା ପ୍ରକାଶ କରୁଛି । ଘଟଣା ସମ୍ପର୍କରେ ଅନୁଧ୍ୟାନ ହେବା ଉଚିତ । ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ, ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।
କଟକ ବିଜେଡି ଜିଲ୍ଲାର ପର୍ଯ୍ୟବେକ୍ଷକ ଉଷାଦେବୀ କହିଛନ୍ତି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ଜିଲ୍ଲା ସଭାପତି ଓ ନିର୍ବାଚନମଣ୍ଡଳୀ କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ । ଏହାପରେ ସେ ରାଜ୍ୟ ସଭାପତିଙ୍କୁ
ରିପୋର୍ଟ ଦେବେ । ସାଂସଦ ବୈଜୟନ୍ତଙ୍କ ଉପରେ ଅଣ୍ଡାମାଡ଼ ଘଟଣାକୁନେଇ ଆରୋପ-ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି । ବିଜେପି ପକ୍ଷରୁ ସାଂସଦଙ୍କୁ ଅଣ୍ଡାମାଡ଼ ହୋଇଥିବା ଘଟଣାକୁ ରାଜନୈତିକ ଉଦେ୍ଦଶ୍ୟରେ ପ୍ରଚାର କରାଯାଉଛି । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣା ପାଇଁ ବିଜେଡିକୁ ଦାୟୀ କରିଛନ୍ତି । କଂଗ୍ରେସ ମୁଖପାତ୍ର ଶରତ ରାଉତ ମଧ୍ୟ ସାଂସଦଙ୍କୁ ହୋଇଥିବା ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୩୦୭ ଦଫା ଲାଗିବକି ନାହିଁ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ଏହାର ପାଲଟା ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି ଯେ, ଏହା ହେଉଛି ବିଜେଡିର ଆଭ୍ୟନ୍ତରୀଣ ଘଟଣା । ଏଥିରେ ଅନ୍ୟ ଦଳମାନେ କାହିଁକି ମୁଣ୍ଡ ପୂରାଉଛନ୍ତି? ସେମାନଙ୍କ ଦଳରେ ହେଉଥିବା ଘଟଣା ସମ୍ପର୍କରେ ବିଜେଡି ମତ ଓ ମନ୍ତବ୍ୟ ରଖେନାହିଁ । କୌଣସି ଘଟଣାରୁ କିଭଳି ରାଜନୈତିକ ଫାଇଦା ନେଇହେବ ତାହା କରିବା ଲାଗି ବିରୋଧୀ ଉଦ୍ୟମ କରୁଛନ୍ତି । ଘଟଣା ସମ୍ପର୍କରେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ମତ ରଖିସାରିଛନ୍ତି । ଏହାର ଅନୁଧ୍ୟାନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକ ଏହାର ଅନୁଧ୍ୟାନ କରିବେ । ରିପୋର୍ଟ ଆସିଲା ପରେ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଦେବ କହିଛନ୍ତି ।




Powered by odothemes.com