phulbani_minor-kidnaping-case

୫ ନାବାଳକ ଉଦ୍ଧାର, ୩ ଦଲାଲ ଗିରଫ

36

ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରିବା ପରେ…
ଭୁବନେଶ୍ୱର/ଫୁଲବାଣୀ/ବ୍ରହ୍ମପୁର, ୨୩ା୫(ବୁ୍ୟରୋ): ଗଞ୍ଜାମ ଜିଲ୍ଲାରୁ ଝାରସୁଗୁଡା ଅଞ୍ଚଳକୁ ଚାଲାଣ କରାଯାଉଥିବା ୫ ଜଣ ନାବାଳକଙ୍କୁ ଆଜି ଫୁଲବାଣୀ ଟାଉନ ପୁଲିସ ଉଦ୍ଧାର କରିବା ସହ ଏହି ଚାଲାଣରେ ସଂପୃକ୍ତ ତିନି ଜଣ ଦଲାଲଙ୍କୁ ଗିରଫ କରିଛି । ନାବାଳକ ଚାଲାଣ ସଂପର୍କରେ ଜଣେ ସ୍ଥାନୀୟ ଯୁବକ ଅମିତ ନନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବାରୁ ଅମିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଘଟଣା ସଂପର୍କରେ ସୂଚନା ଦେଇ ଅତିରିକ୍ତ ଏସ୍ପି ଲକ୍ଷ୍ଣଣ ପଟେଲ କହିଛନ୍ତି, ସୋମବାର ରାତି ପ୍ରାୟ ସାଢେ ଗୋଟାଏରେ ନାବାଳକ ଚାଲାଣ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆରୁ ଖବର ପାଇ ତୁରନ୍ତ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ଫୁଲବାଣୀ ଟାଉନ ପୁଲିସ ପକ୍ଷରୁ ସଙ୍ଗେ ସଙ୍ଗେ ଏକ ଟିମ୍ ଗଠନ କରି ତନଖି ଆରମ୍ଭ କରିଦେଇଥିଲେ । ଫୁଲବାଣୀ ଚାଇଲ୍ଡ ଲାଇନ୍ ସହଯୋଗରେ ସ୍ଥାନୀୟ ଏଫସିଆଇ ଛକ ଠାରେ ପୁଲିସ ଯାଞ୍ଚ କରୁଥିବା ବେଳେ ସମ୍ବଲପୁର ଯାଉଥିବା ବସ୍ରୁ ଚାଲାଣ ହେଉଥିବା ନାବାଳକମାନଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ବାଳକଙ୍କ ବୟସ ୧୪-୧୫ ବର୍ଷ ମଧ୍ୟରେ ଏବଂ ସମସ୍ତଙ୍କ ଘର ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳରେ । ସେମାନଙ୍କୁ ଚାଲାଣ କରୁଥିବା ତିନି ଜଣ ଦଲାଲଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ଚାଲାଣକାରୀମାନେ ହେଲେ ଗଞ୍ଜାମ ଜିଲା କବି ସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଝିଟିକାବାଡି ଗ୍ରାମର ବୈଦ୍ୟ ନାରାୟଣ ଦାସ, ଗାଙ୍ଗପୁର ଥାନା ଅନ୍ତର୍ଗତ ନୂଆଗଡ ଗ୍ରାମର ବୁଲୁ ନାୟକ ଓ ସନ୍ତୋଷ କୁମାର ପାଢୀ । ପିଲାମାନଙ୍କୁ ବିଭିନ୍ନ କାମରେ ଖଟାଇବା ପାଇଁ ଝାରସୁଗୁଡା ଅଞ୍ଚଳକୁ ନିଆଯାଉଥିଲା । ସେମାନେ ଆସ୍କାରୁ ଦଲାଲ ମାନଙ୍କ ସହ ବସ୍ରେ ଚଢିଥିଲେ । ଠିକ୍ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଦେ୍ର୍ଦଶ ଦିଆଯିବାରୁ ପିଲାମାନଙ୍କୁ ଉଦ୍ଧାର କରାଯାଇପାରିଲା । ଏହି ସଫଳତା ପାଇଁ ଅତିରିକ୍ତ ଏସ୍ପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଧନ୍ୟବାଦ ଦେଇଛନ୍ତି । ଏହି ମାମଲାରେ ଟାଉନ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କ୍ସେ ନଂ ୮୯/୧୭ରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଉଦ୍ଧାର କରାଯାଇଥିବା ନାବାଳକମାନଙ୍କୁ ଶିଶୁ ସୁରକ୍ଷା କମିଟି ଆଗରେ ହାଜର କରାଯିବା ପରେ ସ୍ଥାନୀୟ ଗୋପବନ୍ଧୁୁ ବାଳାଶ୍ରମରେ ସାମୟିକ ଭାବେ ଥଇଥାନ କରାଯାଇଛି ।




Powered by odothemes.com