ପିଆଜକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

47

ଭୁବନେଶ୍ୱର, ୨୨ା୫(ବୁ୍ୟରୋ): ପିଆଜ ଅଭାବୀ ବିକ୍ରିକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି । ଅଭାବୀ ବିକ୍ରି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଯାଇନି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି । ଅପରପକ୍ଷରେ ଏଭଳି ବ୍ୟବସ୍ଥା ଥିବା ସେ ଜାଣିନାହାନ୍ତି ବୋଲି ରାଜ୍ୟ କୃଷିମନ୍ତ୍ରୀ ଦାମୋଦର ରାଉତ ସୂଚନା ଦେଇଛନ୍ତି । କିଛିଦିନ ହେବ ରାଜ୍ୟରେ ପିଆଜର ଅଭାବୀ ବିକ୍ରି ଦେଖାଦେଇଛି । ପିଆଜ ଚାଷୀମାନେ କିଲୋ ପ୍ରତି ୫ ଟଙ୍କାରୁ କମ୍ରେ ପିଆଜ ବିକ୍ରି କରୁଥିବାର ଅଭିଯୋଗ ଆସିଛି । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ପିଆଜର ଅଭାବୀ ବିକ୍ରି ନେଇ କେନ୍ଦ୍ର ସରକାରଙ୍କୁ ଜଣାଯାଇନି । କେନ୍ଦ୍ର ସରକାରଙ୍କୁ ଜଣାଯାଇଥିଲେ ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନିଆଯାଇଥାନ୍ତା । ୧୦%ରୁ କମ୍ ମୂଲ୍ୟରେ କୃଷି ଉତ୍ପାଦିତ ସାମଗ୍ରୀ ବିକ୍ରି ହେଲେ କେନ୍ଦ୍ର ସରକାର ସହାୟତା ଦେଇଥାନ୍ତି । କେନ୍ଦ୍ରର ବଜାର ହସ୍ତକ୍ଷେପ ଯୋଜନା ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଏ । ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ହୋଇନଥିବା ଖାଦ୍ୟଶସ୍ୟ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହୁଏ । ଏଥିଲାଗି କେନ୍ଦ୍ର ସରକାର ଖାଦ୍ୟଶସ୍ୟ କ୍ରୟ ପାଇଁ ରାଜ୍ୟକୁ ଅନୁଦାନ ଦିଅନ୍ତି । କେନ୍ଦ୍ର ଓ ରାଜ୍ୟ ୫୦:୫୦ ଅନୁପାତ ଭିତ୍ତିରେ ସାମଗ୍ରୀ କ୍ରୟ କରିଥାନ୍ତି । ବିଗତବର୍ଷରେ କର୍ଣ୍ଣାୟକ, ଗୋଆ, ଆନ୍ଧ୍ର, ତେଲେଙ୍ଗାନାକୁ ଲଙ୍କା ଓ ଆନ୍ଧ୍ର ଓ ତାମିଲନାଡୁକୁ ତାଳତେଲ ଓ ଉତ୍ତର ପ୍ରଦେଶକୁ ଆଳୁ କିଣିବା ପାଇଁ ଅନୁଦାନ ଦିଆଯାଇଥିଲା । ଓଡିଶା ସରକାର ପିଆଜ ଅଭାବୀ ବିକ୍ରି ନେଇ ପ୍ରସ୍ତାବ ଦେଇନଥିବାରୁ ବଜାର ହସ୍ତକ୍ଷେପ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି । ଅପରପକ୍ଷରେ ଏହାର ଜବାବ୍ରେ ରାଜ୍ୟ କୃଷିମନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି ଯେ ଏଭଳି ବ୍ୟବସ୍ଥା ଥିବା ସେ ଜାଣିନାହାନ୍ତି । କାହିଁକି କେନ୍ଦ୍ରକୁ ଅବଗତ କରାଗଲା ନାହିଁ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିବେ । ଏଭଳି ବ୍ୟବସ୍ଥା ଥିଲେ କେନ୍ଦ୍ରକୁ ଚିଠି ଲେଖାଯିବ । ପିଆଜକୁ ସଂରକ୍ଷଣ କରିବା ଲାଗି ବ୍ୟବସ୍ଥା କରାଯିବ । ରାଜ୍ୟରେ ପିଆଜ ଅଭାବୀ ବିକ୍ରି ସବୁବେଳେ ଥାଏ ବୋଲି ଶ୍ରୀ ରାଉତ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com