ବାଜି ମାରିଲେ ଛାତ୍ରୀ

45

+୨ ବିଜ୍ଞାନରେ ୮୧.୧୧% କୃତକାର୍ଯ୍ୟ
ଭୁବନେଶ୍ୱର, ୧୨ ।୫(ବୁ୍ୟରୋ): ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ପରିଷଦଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ପାସ୍ ହାର ୮୧.୧୧ପ୍ରତିଶତ ରହିଛି । ମୋଟ୍ ୯୦,୬୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୩,୫୨୩ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ରେଗୁଲାରରେ ୬୮,୮୯୫ ଜଣ ଓ ଏକ୍ସରେଗୁଲାରରେ ୪,୬୨୮ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଚଳିତ ବର୍ଷ ପୁଣି ଛାତ୍ରଙ୍କ ପଛରେ ପକାଇ ଛାତ୍ରୀ ବାଜିମାତ୍ କରିଛନ୍ତି । ଛାତ୍ରୀଙ୍କ ପାସ୍ହାର ୮୨.୩୬ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୦.୨୯ପ୍ରତିଶତ ରହିଛି । ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୩,୮୭୩ ଜଣ ଛାତ୍ର ଓ ୨୯,୬୫୦ଜଣ ଛାତ୍ରୀ ରହିଛନ୍ତି । ତେବେ ଏବର୍ଷ ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୩.୬୧ପ୍ରତିଶତ ରହିଛି । ସେହିପରି ଝାରସୁଗୁଡାରେ ପାସ୍ହାର ସର୍ବନିମ୍ନ ୫୨.୫୧ ପ୍ରତିଶତ ରହିଛି । ଅନ୍ୟପଟେ ୩ଟି କଲେଜରେ ଫଳାଫଳ ଶୂନ ହୋଇଛି ।
ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ କରିଥିବା ୭୩,୫୨୩ ଜଣଙ୍କ ମଧ୍ୟରୁ ୧୯,୦୮୭ ଜଣ ପ୍ରଥମ ଶ୍ରେଣୀ, ୨୬,୩୧୧ଜଣ ଦ୍ୱିତୀୟ ଶ୍ରେଣୀ, ୨୭,୫୯୭ ଜଣ ତୃତୀୟ ଶ୍ରେଣୀ ଓ ୫୧୭ ଜଣ କମ୍ପାର୍ଟମେଣ୍ଟାଲରେ ପାସ୍ କରିଛନ୍ତି । ଚଳିତ ବର୍ଷ ମାତ୍ର ୨୭ଜଣ ପରୀକ୍ଷାର୍ଥୀ ୯୦ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ଏମାନଙ୍କ ମଧ୍ୟରେ ୧୮ ଛାତ୍ର ଓ ୯ଜଣ ଛାତ୍ରୀ ରହିଛନ୍ତି । ଗତବର୍ଷ ୪୩ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିଲେ । ସେହିପରି ମୋଟ୍ ୧୦,୪୦୮ଜଣ ଅନୁସୂଚିତ ଜାତି ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୭,୬୫୯ ଜଣ ପାସ୍ କରିଛନ୍ତି ଓ ପାସ୍ ହାର ୭୩.୫୮ ପ୍ରତିଶତ ରହିଛି । ୧୨,୦୧୨ଜଣ ଅନୁସୂଚିତ ଜନଜାତି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭,୯୨୪ ଜଣ ପାସ୍ କରିଥିବା ବେଳେ ପାସ୍ ହାର ୬୫.୯୬ ପ୍ରତିଶତ ହୋଇଛି । ୧୧୨୫ଜଣ ପରୀକ୍ଷାର୍ଥୀ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଥିବା ବେଳେ ଏଥିରେ ଛାତ୍ରଙ୍କ ସଂଖ୍ୟା ୭୭୫ ଓ ଛାତ୍ରୀଙ୍କ ସଂଖ୍ୟା ୩୫୦ ରହିଛି । ସେହିପରି ୪୯୪୩ ଜଣ ପରୀକ୍ଷାର୍ଥୀ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ସେମାନଙ୍କ ମଧ୍ୟରେ ୩,୦୦୯ଜଣ ଛାତ୍ର ଓ ୧,୯୩୪ ଜଣ ଛାତ୍ରୀ ଅଛନ୍ତି । ଅନ୍ୟପଟେ ୩ଟି କଲେଜରେ ପରୀକ୍ଷାଫଳ ଶୂନ ରହିଛି । ଜୟପୁର ସ୍ଥିତ ବିନାୟକ ଜୁନିୟର କଲେଜ, ଦଶପଲ୍ଲା ସ୍ଥିତ କୃଷ୍ଣ ପିଡି ମହିଳା କଲେଜ ଓ ତପୋବନ ଜୁନିୟର କଲେଜ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି କଲେଜରେ ଜଣେ ହେଲେ ପାସ୍ କରିନାହାନ୍ତି । ତେବେ ଏସବୁ କଲେଜରେ ମାତ୍ର ଦୁଇ ଜଣ ଲେଖାଏଁ ପରୀକ୍ଷା ଦେଇଥିଲେ । ଗତ ୪ବର୍ଷର ବିଜ୍ଞାନ ପାସହାର ରେକର୍ଡକୁ ନଜର ଦେଲେ ଜଣାପଡେ ଯେ, ଚଳିତ ବର୍ଷ ପାସ୍ ହାର ସର୍ବାଧିକ ରହିଛି । ୨୦୧୬ରେ ପାସହାର ଥିଲା ୮୦.୮୦ପ୍ରତିଶତ, ସେହିପରି ୨୦୧୫ରେ ୮୦.୩୧ ପ୍ରତିଶତ, ୨୦୧୪ରେ ୭୦.୧୩ ପ୍ରତିଶତ ଓ ୨୦୧୩ ମସିହାରେ ୭୨.୦୭ ପ୍ରତିଶତ ରହିଥିଲା । ବାଲେଶ୍ୱର ଜିଲ୍ଲାରେ ମୋଟ୍ ୫୫୨୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୧୭୨ ଜଣ ପାସ୍ କରିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯୨୧ଜଣ, ଦ୍ୱିତୀୟ ଶ୍ରେଣୀରେ ୨୦୯୨ଜଣ, ତୃତୀୟ ଶ୍ରେଣୀରେ ୧୧୩୫ଜଣ, କମ୍ପାର୍ଟମେଣ୍ଟାଲ୍ରେ ୨୪ଜଣ ପାସ୍ କରିଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ମୋଟ୍ ୯୧୪ଜଣ ପରୀକ୍ଷା ଦେଇଥିବା ବେଳେ ୪୮୦ ଜଣ ପାସ୍ କରିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨ଜଣ, ଦ୍ୱିତୀୟ ଶ୍ରେଣୀରେ ୬୯ଜଣ, ତୃତୀୟ ଶ୍ରେଣୀରେ ୩୯୧ଜଣ ଓ କମ୍ପାର୍ଟମେଣ୍ଟାଲରେ ୮ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୦,୯୦୧ ଜଣ ପରୀକ୍ଷା ଦେଇଥିବା ବେଳେ ୧୦,୧୩୧ ଜଣ ପାସ୍ କରିଛନ୍ତି । ଏଠାରେ ପାସ୍ ହାର ଖୋର୍ଦ୍ଧାରେ ୯୨.୯୩ ପ୍ରତିଶତ ରହିଛି ।
ସେହିପରି ନବରଙ୍ଗପୁରରେ ପାସହାର ୫୮.୪୪ ପ୍ରତିଶତ, ରାୟଗଡାରେ ୬୭.୮୦ ପ୍ରତିଶତ, ମୟୁରଭଞ୍ଜରେ ୭୭.୨୫ ପ୍ରତିଶତ, ବୌଦ୍ଧରେ ୭୪.୧୦ ପ୍ରତିଶତ, ଫୁଲବାଣୀରେ ୫୪.୯୦ପ୍ରତିଶତ, ନୟାଗଡରେ ୯୨.୯୨ ପ୍ରତିଶତ, ପୁରୀରେ ୯୨.୮୪ପ୍ରତିଶତ, ବରଗଡରେ ୭୭.୧୦ ପ୍ରତିଶତ, ଦେଓଗଡରେ ୭୫.୦୭ ପ୍ରତିଶତ, ସମ୍ବଲପୁରରେ ୮୨.୭୧ ପ୍ରତିଶତ ଓ ସୁନ୍ଦରଗଡରେ ପାସହାର ୫୯.୯୯ ପ୍ରତିଶତ ରହିଛି ।
ଅନ୍ୟପଟେ ପୁନଃ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମେ’ ୨୯ ସୁଦ୍ଧା ଆବେଦନ କରିପାରିବେ । ଚଳିତ ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।




Powered by odothemes.com