ମିଳିଲା ଏମ୍ସିଆଇ ଅନୁମତି: ଏସ୍ସିବିର ୨୫ଠ ସିଟ୍ରେ ନାମଲେଖା

54

କଟକ (ବୁ୍ୟରୋ): ଏସ୍ସିବିରେ ସିଟ୍ ବୃଦ୍ଧି ପ୍ରସ୍ତାବ ଉପରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମ୍ସିଆଇ) ମୋହର ମାରିଦେଇଛି । ୨୦୧୭-୧୮ ଶିକ୍ଷା ବର୍ଷରେ ୨୫୦ ସିଟ୍ରେ ନାମ ଲେଖା ହେବ ବୋଲି ସ୍ପଷ୍ଟ ହୋଇଛି । ଏମ୍ସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଅନୁମତି ପତ୍ର ମିଳିଥିବା ଜଣାପଡ଼ିଛି । ପୂର୍ବରୁ ଏସ୍ସିବିରେ ୧୫୦ ସିଟ୍ ଥିବାବେଳେ ୨୦୧୩ ମସିହାରୁ ୧୦୦ସିଟ୍ ବୃଦ୍ଧି ପାଇଥିଲା । କିନ୍ତୁ ଗତ ବର୍ଷ ଅଗଷ୍ଟ ୨୮ ଓ ୨୯ତାରିଖରେ ବର୍ଦ୍ଧିତ ସିଟ୍ ବଳବତ୍ତର ରହିବ କି ନାହିଁ ସେଥିପାଇଁ ଏମ୍ସିଆଇ ପକ୍ଷରୁ ଭିତ୍ତିଭୂମି ଯାଞ୍ଚ ନିମିତ୍ତ ଏକ ପ୍ରତିନିଧି ଦଳ ଏସ୍ସିବି ଆସିଥିଲେ । ଏହି ପ୍ରତିନିଧି ଦଳ ଭିତ୍ତିଭୂମି ଯାଞ୍ଚ କରିବା ପରେ ଅସନ୍ତୋଷ ପ୍ରକାଶ କରିବା ସଙ୍ଗେସଙ୍ଗେ ଅଧୀକ୍ଷକଙ୍କ ଦକ୍ଷତାକୁ ନେଇ ଆପତ୍ତି ଉଠାଇଥିଲେ । ଅଧୀକ୍ଷକଙ୍କ ପ୍ରଶାସନିକ ଅଭିଜ୍ଞତା ୧୦ବର୍ଷ ଆବଶ୍ୟକ ହେଉଥିଲା । ହେଲେ ସେ ସେତେବେଳେ ଅଧୀକ୍ଷକ ଥିବା ପ୍ରଫେସର ଡାକ୍ତର ପ୍ରତାପ ରଥଙ୍କ କ୍ଷେତ୍ରରେ ମାତ୍ର ୮ବର୍ଷ ହେଉଥିଲା । ଫଳରେ ୧୦୦ସିଟ୍ ହ୍ରାସ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ସରକାର ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡିଥିଲେ । ଡାକ୍ତର ରଥ ବ୍ରହ୍ନପୁରରେ ସର୍ଜରୀ ମୁଖ୍ୟ ଭାବେ କାମ କରିଥିବାରୁ ଏହାକୁ ମିଶାକୁ ୧୪ବର୍ଷ ଅଭିଜ୍ଞତା ଥିବା ଡିଏମଇଟି ଏମ୍ସିଆଇକୁ ଅବଗତ କରିଥିଲେ । ଏହାପରେ ଏସସିବି ମେଡିକାଲ କଲେଜ ପକ୍ଷରୁ ଡିସେମ୍ବର ୨୯ତାରିଖରେ ଏମ୍ସିଆଇ ଉଠାଇଥିବା ଆପତ୍ତି ଉପରେ ଜବାବ ରଖିଥିଲା । ଏଥିରେ ମଧ୍ୟ ସିଟ ହ୍ରାସ ପାଇବା ଆଶଙ୍କା ହଟି ନଥିଲା । ଏହିି ପରିପ୍ରେକ୍ଷୀରେ ସରକାର ଡାକ୍ତର ରଥଙ୍କୁ ହଟାଇ ତାଙ୍କ ସ୍ଥାନରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଶ୍ୟାମା କାନୁନଗୋଙ୍କୁ ଫେବୃଆରୀ ୧୭ତାରିଖରେ ଅଧୀକ୍ଷକ ନିଯୁକ୍ତ କରିଥିଲେ । ପୁନଶ୍ଚ ଗତମାସରେ ଏମ୍ସିଆଇ ଟିମ୍ ଏସସିବି ଆସି ଭିତ୍ତିଭୂମି ଯାଞ୍ଚ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ଏମ୍ସିଆଇ ରିପୋର୍ଟ ଦାଖଲ କରିବା ପରେ ସିଟ୍ ବୃଦ୍ଧି ନେଇ ସବୁଜ ସଙ୍କେତ ମିଳିଥିଲା । ଏବେ ଏମ୍ସିଆଇ ଲିଖିତ ଆକାରରେ ସିଟ୍ ବୃଦ୍ଧି ନେଇ ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି । ଯାହା ଫଳରେ ଚଳିତ ବର୍ଷ ୨୫୦ ସିଟରେ ନାମ ଲେଖା ହେବ ବୋଲି ସ୍ପଷ୍ଟ ହୋଇଛି ।




Powered by odothemes.com