ଅସମ୍ଭାଳ ତାତି: ଲୋକେ ହନ୍ତସନ୍ତ

70

ଭୁବନେଶ୍ୱର, ୫ା୫(ବୁ୍ୟରୋ): ସାରା ରାଜ୍ୟରେ ଅସମ୍ଭାଳ ତାତି । ସକାଳ ୧୦ଟାରୁ ଅପରାହ୍ନ ପର୍ଯ୍ୟନ୍ତ ତାତି ପ୍ରକୋପରେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି । ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଅଧିକାଁଶ ସହରରେ ତାତିର ପ୍ରକୋପରେ ସତେ ଯେମିତି କର୍ଫୁ୍ୟ ଜାରି ହୋଇଯାଉଛି । ଆଉ ଯିଏ ବି ଜରୁରୀ କାମରେ ଘରୁ ବାହାରୁଛନ୍ତି, ସତର୍କତାର ସହ ବାହାରୁଛନ୍ତି । ବିଶେଷକରି ପଶ୍ଚିମ ଓଡିଶାରେ ଏଭଳି ସ୍ଥିତି ଦେଖା ଦେଇଛି । ଅସମ୍ଭାଳ ତାତିରେ ଲୋକେ ହନ୍ତସନ୍ତ ହୋଇଯାଉଛନ୍ତି । ତାତି ସାଙ୍ଗକୁ ଜଳକଷ୍ଟ ଲୋକଙ୍କ ଯନ୍ତ୍ରଣାକୁ ଦୁଇଗୁଣ କରିଦେଉଛି । ପାଇପ ଯୋଗେ ମିଳୁଥିବା ପାଣି ପର୍ଯ୍ୟାପ୍ତ ହେଉ ନଥିବା ବେଳେ ଅନେକ ସ୍ଥାନରେ ପିଇବା ପାଣି ପାଇଁ ଲୋକେ ମାଇଲ ମାଇଲ ରାସ୍ତା ଯାଉଛନ୍ତି । ଆଜି ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ରହିଛି । ଏହା ସହ ୧୩ଟି ସହରର ତାପମାତ୍ରା ୪୦ଂ ଉପରେ ପହଞ୍ଚିଛି । ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରହିଥିବା ବେଳେ ଅନୁଗୁଳରେ ୪୩.୭ ଡିଗ୍ରୀ ରହିଛି । ସେହିପରି ହୀରାକୁଦରେ ୪୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୩, ଭବାନୀପାଟଣାରେ ୪୩, ସମ୍ବଲପୁରରେ ୪୨, ମାଲକାନଗିରିରେ ୪୨.୬, ସୁନ୍ଦରଗଡ଼ରେ ୪୨.୫, ସୋନପୁରରେ ୪୨,ଚାନ୍ଦବାଲିରେ ୪୦.୨, ଫୁଲବାଣୀରେ ୪୧.୪, କେନ୍ଦୁଝରରେ ୪୦.୫, ଭୁବନେଶ୍ୱରରେ ୩୮.୨ ଓ କଟକରେ ୩୭.୫ ଡିଗ୍ରୀ ରେକର୍ଡ କରାଯାଇଛି । କେବଳ ପଶ୍ଚିମ ଓଡିଶା ନୁହେଁ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ଗ୍ରୀଷ୍ମ ଲହରୀ ଜାରୀ ରହିବା ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଗ୍ରାମାଞ୍ଚଳରେ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଉଛି ।
ଶୁକ୍ରବାର ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିବା ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ବର୍ଷା ହେବା ସହ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିବ । ଅଗାମୀ ୮ ତାରିଖ ବେଳକୁ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଲାଗି ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ହେବା ଦ୍ୱାରା ରାଜ୍ୟର କେତେକ ସ୍ଥାନରେ ପାରଦ ତଳକୁ ଖସିବାର ଆଶଙ୍କା ରହିଛି । ଅଂଶୁଘାତରେ ୩୦ ଜଣଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ସେଥିରୁ ୨୨ଟି କେସ୍ର ତଦନ୍ତ ଚାଲିଥିବା ବେଳେ ୮ଟି କେସ୍ର ତଦନ୍ତ ସରିଛି । ଏଯାବତ୍ ୩ ଜଣ ବ୍ୟକ୍ତିଙ୍କ ଅଂଶୁଘାତ ଜନିତ ମୃତୁ୍ୟ ହୋଇଥିବା ବେଳେ ୫ ଜଣଙ୍କ ଅନ୍ୟ କାରଣରୁ ମୃତୁ୍ୟ ହୋଇଛି ।

ସେଆର କରନ୍ତୁ:



Powered by odothemes.com