bachaspati-niranjan-pujari-nijara-estafa-patra-dy,speecker--sananda-marandi-nku-dei-grharu-baharaku-baharuchanti-(3)

ବାଚସ୍ପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

67

ଭୁବନେଶ୍ୱର, ୫ା୫(ବୁ୍ୟରୋ): ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ସୃଷ୍ଟି ହୋଇଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି । ରବିବାର ପୂର୍ବାହ୍ନରେ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ମନ୍ତ୍ରିମଣ୍ଡଳର ପ୍ରଥମ ଅଦଳବଦଳ ହେବା ପ୍ରାୟ ନିଶ୍ଚିତ ବୋଲି ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ମନ୍ତ୍ରିମଣ୍ଡଳର ସଦସ୍ୟ ଥିବା ୮ ଜଣଙ୍କୁ ବାଦ୍ ଦିଆଯାଇ ୯ ଜଣଙ୍କୁ ନୂଆ ମନ୍ତ୍ରୀଭାବେ ନିଆଯିବ । ବରିଷ୍ଠ ଓ କନିଷ୍ଠ ମନ୍ତ୍ରୀ ବାଦ୍ ପଡିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଆଜି ଘଟଣାକ୍ରମରେ ବାଚସ୍ପତି ନିରଞ୍ଜନ ପୂଜାରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ପୂଜାରୀ ବିଧାନସଭା ସଚିବାଳୟକୁ ଯାଇ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କୁ ତାଙ୍କ ଇସ୍ତଫାପତ୍ର ଦେବା ସହ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଇସ୍ତଫା ପରେ ଶ୍ରୀ ପୂଜାରୀ କହିଛନ୍ତି ଯେ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ଦେବାକୁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ବାଚସ୍ପତି ଶ୍ରୀ ପୂଜାରୀ ଇସ୍ତଫା ଦେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍ଶୀଘ୍ର କରାଯିବ ଓ ଏ ସମ୍ପର୍କରେ ସେ ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ “ଧର୍ଯ୍ୟ ଧରନ୍ତୁ, ଖୁବ୍ଶୀଘ୍ର ଖବର ପାଇବେ” ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ସୂଚନା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଥିଲା । ଆଜି ସଚିବାଳୟରେ ଦିନ ତମାମ ଏ ସମ୍ପର୍କରେ ଆଲୋଚନା ହେଉଥିଲା । ସୂଚନା ଅନୁଯାୟୀ, ରାଜ୍ୟପାଳ ଏସ୍ସି ଜମିର ଆସନ୍ତାକାଲି ଭୁବନେଶ୍ୱର ଫେରୁଛନ୍ତି । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ରାଜଭବନ କାର୍ଯ୍ୟାଳୟକୁ ୬ ଓ ୭ ତାରିଖ ପାଇଁ ପ୍ରସ୍ତୁତ ରହିବାକୁ ସୂଚନା ଦିଆଯାଇଛି । ଏହି ସୂଚନା ସ୍ପଷ୍ଟ କରୁଛି ଯେ ରବିବାର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ । ଏନେଇ ମଧ୍ୟ ଅଙ୍କକଷା ଆରମ୍ଭ ହୋଇଯାଇଛି । ପଞ୍ଚାୟତ ନିର୍ବାଚନ ପରେ ଉଭୟ ସଂଗଠନ ଓ ମନ୍ତ୍ରିମଣ୍ଡଳରେ ନବୀନ ଏକ ବଡଧରଣର ଅଦଳବଦଳ କରିବାକୁ ଚାହୁଁଛନ୍ତି । ଉଭୟ ପ୍ରଶାସନ ଓ ସଂଗଠନକୁ ଲୋକଙ୍କ ନିକଟତର କରିବା ଲାଗି ସେ ପ୍ରାୟସ ଆରମ୍ଭ କରିଛନ୍ତି । ଏଥିଲାଗି ସଦ୍ୟସମାପ୍ତ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଜିଲ୍ଲାୱାରୀ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟାକୁ ଶୁଣୁଛନ୍ତି । ଆସନ୍ତାକାଲି ଜିଲ୍ଲାୱାରୀ ସମୀକ୍ଷା ଶେଷ ହେବ । ଜିଲ୍ଲାୱାରୀ ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ପାଇଥିବା ସୂଚନା ଓ ମତାମତକୁ ଆଧାର କରି ମନ୍ତ୍ରିମଣ୍ଡଳ ଅଦଳବଦଳ କରୁଛନ୍ତି । ଚର୍ଚ୍ଚା ଅନୁଯାୟୀ ମନ୍ତ୍ରିମଣ୍ଡଳରେ ଭାରସାମ୍ୟ ରଖିବା ଲାଗି ମୁଖ୍ୟମନ୍ତ୍ରୀ କିଛି ବରିଷ୍ଠ ଓ ଯୁବ ମନ୍ତ୍ରୀମାନଙ୍କୁ ଅପସାରଣ କରିପାରନ୍ତି । ଏମାନଙ୍କୁ ସଙ୍ଗଠନ କାର୍ଯ୍ୟରେ ନିୟୋଜିତ କରାଯିବ । ଗୁରୁବାର ମୁଖ୍ୟମନ୍ତ୍ରୀ କହିଥିଲେ ଯେ କିଛି ମନ୍ତ୍ରୀ ତାଙ୍କୁ ସାକ୍ଷାତ କରି ସାଙ୍ଗଠନିକ ସ୍ତରରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେହି ମନ୍ତ୍ରୀମାନଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦିଆଯିବ । ସୂଚନା ଅନୁଯାୟୀ ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ଗୋଟିଏ ପଦବୀ ଖାଲି ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀରୁ ଅତନୁ ସବ୍ୟସାଚୀ ନାୟକ ଇସ୍ତଫା ଦେଲା ପରେ ତାଙ୍କ ସ୍ଥାନରେ ଏପର୍ଯ୍ୟନ୍ତ ନୂଆ ମନ୍ତ୍ରୀ ନିଯୁକ୍ତ କରାଯାଇନାହିଁ । ପ୍ରାୟ ୮ ଜଣ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ଆଲୋଚନା ହେଉଛି । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୯ ଜଣ ସଦସ୍ୟଙ୍କୁ ସାମିଲ କରାଯିବ । ବିଶେଷକରି ପଶ୍ଚିମ ଓଡିଶାର ପ୍ରତିନିଧିତ୍ୱକୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱ ଦିଆଯାଉଛି । ପଶ୍ଚିମ ଓଡିଶାରେ ବିଜେପି ଧୀରେ ଧୀରେ ତାର ସାଙ୍ଗଠନିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ବିଜେପି ମଧ୍ୟ ଏହି ଅଞ୍ଚଳକୁ ଫୋକସ୍ କରୁଛି । ତେଣୁ ଏହାକୁ ମୁକାବିଲା କରିବା ଲାଗି କିଛି ଯୁବ ବିଧାୟକଙ୍କୁ ମନ୍ତ୍ରୀଭାବେ ନିଆଯିବ । ସେହିଭଳି ଉପକୂଳ ଓ ଉତ୍ତର ଓଡିଶାରେ ମଧ୍ୟ କିଛି ବରିଷ୍ଠ ନେତାଙ୍କୁ ମନ୍ତ୍ରୀଭାବେ ନିଆଯିବ ବୋଲି ଜଣାପଡିଛି । ଏହାଛଡା ଦୀର୍ଘଦିନ ଧରି ମନ୍ତ୍ରିମଣ୍ଡଳରେ ରହିଥିବା କିଛି ନେତାଙ୍କୁ ବାଦ୍ ଦିଆଯିବ । ଏମାନଙ୍କୁ ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ କରାଯିବ । ପଞ୍ଚାୟତ ନିର୍ବାଚନରେ ଯେଉଁ ମନ୍ତ୍ରୀମାନେ ନିଜ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାରେ ଭଲ ପ୍ରଦର୍ଶନ କରିନାହାନ୍ତି, ସେମାନଙ୍କୁ ବାଦ୍ ଦେବା ପ୍ରାୟ ନିଶ୍ଚିତ ବୋଲି ଜଣାପଡିଛି ।

ସେଆର କରନ୍ତୁ:



Powered by odothemes.com