gslv9

ଦକ୍ଷିଣ-ଏସୀୟ ରାଷ୍ଟ୍ରଙ୍କୁ ଭାରତର ଉପହାର

50

ଶ୍ରୀହରିକୋଟା, ୫ା୫: ମହାକାଶ ଗବେଷଣାରେ କୁଟନୈତିକ ସଫଳତା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆଜି ଜିସାଟ୍ -୯କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଉତକ୍ଷେପଣ କେନ୍ଦ୍ରରୁ ଅପରାହ୍ନ ୪ଟା ୫୭ ମିନିଟରେ ସଫଳଥାର ସହ ଉତକ୍ଷେପଣ କରାଯାଇଥିଲା । ସାଉଥ ଏସିଆ ସାଟେଲାଇଟ ନାଁରେ ପରିଚିତ ଏହି ସାଟେଲାଇଟ କେବଳ ପାକିସ୍ତାନ ବ୍ୟତୀତ ଅନ୍ୟ ସାର୍କ ରାଷ୍ଟ୍ରଗୁଡିକ ପାଇଁ ଲାଭଦାୟକ ହେବ । ଟେଲି-ମେଡିସିନ, ଯୋଗାଯୋଗ, ବିପର୍ଯ୍ୟୟ ପରିଚାଳନା ଭଳି ଜନହିତକର କାର୍ଯ୍ୟରେ ଏହାର ବ୍ୟବହାର କରାଯାଇପାରିବ । ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହ ପାଇଁ ଏହା ଭାରତର ଉପହାର ଭାବେ ବିବେଚନା କରାଯାଉଛି । ୮ ସଦସ୍ୟ ବିଶିଷ୍ଟ ସାର୍କ ରାଷ୍ଟ୍ରଗୁଡିକ ମଧ୍ୟରୁ ପାକିସ୍ତାନ ଏହି ମହାକାଶ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିବା ବେଳେ ଅନ୍ୟ ୭ଟି ରାଷ୍ଟ୍ର ଏହି ସାଟେଲାଇଟ୍ର ସୁଫଳ ପାଇପାରିବେ । ଏହାଦ୍ୱାରା ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ସହ ଭାରତର ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିବ । ଜିସାଟ-୯ର ସଫଳ ଉତକ୍ଷେପଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଏକ ଐତିହାସିକ ମୁହୂର୍ତ୍ତ ଏବଂ ମହାକାଶ ଗବେଷଣାର ସଫଳତା ଆଞ୍ଚଳିକ ସହଯୋଗ ବୃଦ୍ଧିରେ ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଆଫଗାନ ରାଷ୍ଟ୍ରପତି ମହମ୍ମଦ ଆସ୍ରଫ ଘନି ପାରସ୍ପରିକ ସହଯୋଗ ଦ୍ୱାରା ଆମେ ଦେଶର ଗରିବ ଓ ଅସହାୟ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇପାରିବା ବୋଲି କହିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ସେକ୍ ହାସିନା ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶବାସୀଙ୍କ ଉନ୍ନତି ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି । ଭୁଟାନ, ମାଲଦ୍ୱୀପ, ଶ୍ରୀଲଙ୍କା ଓ ନେପାଳ ମଧ୍ୟ ଜିସାଟ-୯ର ସଫଳତାକୁ ନେଇ ଅଭିନନ୍ଦନ ଜଣାଇଛନ୍ତି । ୧୨ ବର୍ଷ ପର୍ଯ୍ୟନ୍ତ ଦକ୍ଷିଣ-ଏସୀୟ ରାଷ୍ଟ୍ରମାନେ ଏହାର ସୁବିଧା ନେଇପାରିବେ ।




Powered by odothemes.com