rath-karya-anukula

ରଥକାଠ ଅନୁକୂଳ

37

ପୁରୀ, ୨୯ା୪(ଆପ୍ର): ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଘୋଷଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି । ଏଥିପାଇଁ ମଧ୍ୟାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ନୀତି ଶେଷ କରାଯାଇଥିଲା । ରାଜଗୁରୁଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପୁରୋହିତ ପଦ୍ମନାଭ ମହାପାତ୍ର ଏହି ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ । ଅପରାହ୍ନ ୪ଟା ୫ମିନିଟ୍ ସମୟରେ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରିଥିଲା । ଯଜ୍ଞ ଚାଳିଆ ନିକଟରେ ଚନ୍ଦନଠାକୁର ପହଞ୍ଚôବା ପରେ ପୂଜାପଣ୍ଡା ସେବାୟତ ରଥଖଳାରେ ଥିବା ତିନୋଟି ଧଉରା ଗଣ୍ଡିରେ ଆଜ୍ଞାମାଳକୁ ଲାଗି କରିଥିଲେ । ଦେଉଳ କରଣ ୩ରଥର ମୁଖ୍ୟ ମହାରଣାଙ୍କ ସମେତ ଭୋଇ ସର୍ଦ୍ଦାରଙ୍କୁ ଶାଢ଼ୀ ବାନ୍ଧିଥିଲେ । ପରେ ଶ୍ରୀମନ୍ଦିର ପୁରୋହିତ କମାର ସେବକଙ୍କ ଦ୍ୱାରା ପ୍ରସ୍ତୁତ ତିନୋଟି ଛୋଟ କୁରାଢ଼ୀରେ କାଠ ଗଣ୍ଡିକୁ ସ୍ପର୍ଶ କରି ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ୍ତ ଦାଶ, ଉନ୍ନୟନ ପ୍ରଶାସକ ପ୍ରସନ୍ନ କୁମାର ହୋତା, ସୁରକ୍ଷା ପ୍ରଶାସକ ପ୍ରଫୁଲ ମିଶ୍ର, ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ରଥ ଅନୁକୂଳ କାର୍ଯ୍ୟରେ ଉପସ୍ଥିତ ଥିଲେ ।




Powered by odothemes.com