ଶିଶୁ ଟିକାକରଣ କାର୍ଯ୍ୟକ୍ରମରେ ଓଡ଼ିଶା ଢେର୍ ଆଗରେ

vacination

ମୋଦିଙ୍କ ରାଜ୍ୟ ଗୁଜରାଟ ଜାତୀୟ ହାରରୁ ବହୁ ପଛରେ
ଭୁବନେଶ୍ୱର, ୨୯ା୪(ବୁ୍ୟରୋ): ‘ବିଜେପି ଯେଉଁଠି ବିକାଶ ସେଇଠି’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ଅନ୍ୟାନ୍ୟ ନେତୃବୃନ୍ଦମାନେ ବାହାସ୍ଫୋଟ ମାରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜରାଟ ଓ ବିଜେପି ଶାସନାଧୀନ ମହାରାଷ୍ଟ୍ର ଏବଂ ତାମିଲନାଡୁ ଭଳି ଧନୀ ରାଜ୍ୟ ସର୍ବନିମ୍ନ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଶିଶୁମାନଙ୍କ ଟିକାକରଣରେ ବେଶ୍ ପଛୁଆ ରହିଛି । ତେବେ ଓଡିଶାରେ ଶିଶୁମାନଙ୍କ ଟିକାକରଣ ହାର ଜାତୀୟ ହାରଠାରୁ ଢେର୍ ଅଧିକ ରହିଛି । ୨୦୦୫ରୁ ୨୦୧୫-୧୬ ମଧ୍ୟରେ ଏହା ୫୧% ବୃଦ୍ଧି ପାଇଥିବା ଜାତୀୟ ହାର ୬୨%ଠାରୁ ଅଧିକ ହୋଇଛି । ଓଡିଶାରେ ଟିକାଦାନ ହାର ୨୦୧୫-୧୬ ସୁଦ୍ଧା ୭୮.୬% ହୋଇଥିବାବେଳେ ଗୁଜରାଟରେ ଏହା ମାତ୍ର ୫୦.୪% । ସେହିଭଳି ବେମାରୀ ରାଜ୍ୟ ଭାବେ କୁହାଯାଉଥିବା ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ଟିକାଦାନ ହାର ବିତ୍ତଶାଳୀ ରାଜ୍ୟଗୁଡ଼ିକର ହାରରୁ ମଧ୍ୟ ଅଧିକା ରହିଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍)ର ସର୍ଭେରୁ ଜଣାପଡିଛି ।
ରୋଗକୁ ପ୍ରତିରୋଧ କରିବା ଓ ଅକାଳ ମୃତୁ୍ୟରୁ ରକ୍ଷା କରିବା ପାଇଁ ଟୀକାଦାନ ହେଉଛି ଜରୁରୀ । ସାମାଜିକ କ୍ଷେତ୍ରରେ ଟିକାକରଣ ଏକ ପ୍ରମୁଖ କାର୍ଯ୍ୟ । ବିଶେଷକରି ଶିଶୁ ମୃତୁ୍ୟହାର ରୋକିବାରେ ଏହା ବେଶ୍ ସହାୟକ ହେବା ସହ ଶିଶୁମାନଙ୍କୁ ବଡ ହେଲେ କୌଣସି ଘାତକ ରୋଗରୁ ରକ୍ଷା କରିବାରେ ଏହା ସହାୟକ ହୋଇଥାଏ । ମାତ୍ର ବିକଶିତ ରାଜ୍ୟଭାବେ ଦାବି କରୁଥିବା ଗୁଜରାଟରେ ଏହି ହାର ଅତ୍ୟନ୍ତ ନୁ୍ୟନ । ଏନ୍ଏଫ୍ଏଚ୍ଏସ୍ ସର୍ଭେ ଅନୁଯାୟୀ ୨୦୧୫-୧୬ରେ ଟିକାଦାନ ହାର ୫୦.୪% ଥିଲା । ବର୍ତ୍ତମାନ ଏହି ହାର ଗତ ୧୦ ବର୍ଷ ମଧ୍ୟରେ ମାତ୍ର ୧୧.୬% ବୃଦ୍ଧି ପାଇଛି । ଯାହା ଜାତୀୟ ହାରଠାରୁ ମଧ୍ୟ ବହୁତ କମ୍ । ୨୦୦୫-୦୬ରେ ଗୁଜରାଟରେ ୪୫.୨% ଟିକାଦାନର ହାର ଥିଲା । ସେତେବେଳେ ଜାତୀୟ ହାର ୪୩.୫% ଥିଲା । ଗୁଜୁରାଟରେ ପ୍ରାୟ ୧୫ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ବିଜେପି କ୍ଷମତାସୀନ । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀଭାବେ ମଧ୍ୟ ୩ ଦଫା କ୍ଷମତାସୀନ ହୋଇଛନ୍ତି । ଏନ୍ଏଫ୍ଏଚ୍ଏସ୍ ପକ୍ଷରୁ ଯେଉଁ ସମୟରେ ସର୍ଭେ କରାଯାଇଛି ସେହି ସମୟରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ । ଗୁଜୁରାଟକୁ ବିକଶିତ ରାଜ୍ୟର ମଡ଼େଲ ଭାବେ ବିଜେପି ପକ୍ଷରୁ ଚିତ୍ରଣ କରାଯାଏ । ଭାତହାଣ୍ଡିରୁ ଗୋଟିଏ ଭଳି ଟିକାକରଣ କାର୍ଯ୍ୟକ୍ରମରୁ ରାଜ୍ୟର ସ୍ୱାସ୍ଥ୍ୟ ଅବସ୍ଥାର ଚିତ୍ର କ’ଣ ହୋଇଥିବା ତାହା ଜଣାପଡ଼ୁଛି ।
ସେହିଭଳି ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ଆସାମ ଓ ମେଘାଳୟରେ ଶିଶୁ ଟିକାକରଣ କାର୍ଯ୍ୟ ବେଶ୍ ପଛରେ ରହିଛି । ସମଗ୍ର ଦେଶରେ ପୋଲିଓ, ବିସିଜିସ, ଡିପିଟି ସମେତ ଅନେକ ମାରାତ୍ମକ ରୋଗର ପ୍ରତିଶେଧକ ପାଇଁ ଟିକା ଦିଆଯାଇଥାଏ । ସେହିଭଳି ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାର ଓ ଝାଡଖଣ୍ଡରେ ୨୦୦୫-୦୬ ସର୍ଭେ ତୁଳନାରେ ଶିଶୁ ଟିକାକରଣ ହାରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଏହି ରାଜ୍ୟଗୁଡିକରେ ଯଥାକ୍ରମେ ୨୩%, ୨୬.୫%, ୩୨.୮% ଓ ୩୪.୮% ଅଭିବୃଦ୍ଧି ହୋଇଛି । ଉତ୍ତର ପ୍ରଦେଶରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ସେହିଭଳି ପଞ୍ଜାବ, ଗୋଆ ଓ ପଶ୍ଚିମବଙ୍ଗରେ ୧୨ରୁ ୨୩ ମାସ ଶିଶୁଙ୍କ ଟିକାକରଣ ହାରରେ ୧୬.୬% ବୃଦ୍ଧି ଘଟିଛି । ଧନୀ ରାଜ୍ୟଭାବେ ଜଣାଶୁଣା ମହାରାଷ୍ଟ୍ରରେ ଟିକାଦାନ ହାର ୪.୩% ହ୍ରାସ ପାଇଛି । ବିହାରରେ ଏହି ହାର ୮୮.୧% ବୃଦ୍ଧି ଘଟିଛି । ତାମିଲନାଡୁରେ ୨୦୦୫-୦୬ରେ ଟିକାକରଣ ହାର ୮୦.୯% ଥିଲାବେଳେ ୨୦୧୫-୧୬ରେ ଏହା ହ୍ରାସ ପାଇ ୬୯.୧%କୁ ଖସିଛି । ଉତ୍ତରାଖଣ୍ଡରେ ମଧ୍ୟ ୩.୮% ହ୍ରାସ ଘଟିଛି । ୨୦୧୪ ଡିସେମ୍ବରରେ ମିଶନ ଇନ୍ଦ୍ରଧନୁଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଯାହାର ଲକ୍ଷ୍ୟ ଥିଲା ପ୍ରତିବର୍ଷ ୫% ଟିକାକରଣ ହାର ବୃଦ୍ଧି ପାଇବ । ଫଳରେ ୨୦୨୦ ସୁଦ୍ଧା ୯୦% ପିଲାଙ୍କୁ ଟିକା ଦିଆଯାଇପାରିବ । ସେହିଭଳି ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ୮୨ ଜିଲ୍ଲାରେ ଏହି ଯୋଜନାରେ ୨୫% ଟିକାକରଣ ହାର ବୃଦ୍ଧି ପାଇଛି । ତେବେ ଗୁଜରାଟରେ ଏହି କାର୍ଯ୍ୟକ୍ରମର ଖରାପ ପ୍ରଦର୍ଶନର କାରଣ ସ୍ୱାସ୍ଥ୍ୟ ଦାୟିତ୍ୱରେ ଥିବା ସଂସ୍ଥା ଓ ନର୍ସମାନେ ଦାୟିତ୍ୱହୀନତାର ସହ କାର୍ଯ୍ୟ କରିଛନ୍ତି । ଯାହା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।