hotel-mayfair-re-MUKHYAMANTRI-NABIN-PATNAIK-banayana-prakalpara-subharambha-karuchanti--(3)

୧୦ ବର୍ଷରେ ବିନିଯୋଗ ହେବ ହଜାରେ କୋଟି

36

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ବନାୟନ ଆରମ୍ଭ
ଭୁବନେଶ୍ୱର, ୨୭ା୪(ବୁ୍ୟରୋ): ବନ ହିଁ ଜୀବନ । ଏହାର ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ଜରୁରୀ । ନୂତନ ଟେକ୍ନୋଲଜିକୁ ଉପଯୋଗ କରି ଜଙ୍ଗଲ ଓ ଜୈବ ବିବିଧତାର ସ୍ଥାୟୀ ପ୍ରବନ୍ଧନ ପାଇଁ କରାଯାଇପାରିବ । ଏଥିପାଇଁ ବନାୟନ ଯୋଜନାର ପରିକଳ୍ପନା କରାଯାଇଛି । ରାଜ୍ୟର ୧୦ଟି ଜିଲ୍ଲାର ୧୪ଟି ଜଙ୍ଗଲ ଓ ବନ୍ୟପ୍ରାଣୀ ଡିଭିଜନରେ କାର୍ଯ୍ୟକାରୀ ହେବ । ୧୦ ବର୍ଷ ମଧ୍ୟରେ ଏହି ପ୍ରକଳ୍ପରେ ଏକ ହଜାର କୋଟି ୩୦ ଲକ୍ଷ ଟଙ୍କା ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ‘ବନାୟନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଏହା ଭାରତର ପ୍ରଥମ ତୃତୀୟ ପିଢ଼ି ବନାଞ୍ଚଳ କ୍ଷେତ୍ର ପରିଯୋଜନା । ନୂତନ ବନାୟନ ପ୍ରକଳ୍ପ ରାଜ୍ୟର ୧୦ଟି ଜିଲ୍ଲାର ୧୪ଟି ଜଙ୍ଗଲ ଓ ବନ୍ୟପ୍ରାଣୀ ଡିଭିଜନରେ କାର୍ଯ୍ୟକାରୀ ହେବ । ଆଠମଲ୍ଲିକ, ବାରିପଦା, ବୌଦ୍ଧ ଢ଼େଙ୍କାନାଳ,ଘୁମୁସର(ଉତ୍ତର), ଘୁମୁସର(ଦକ୍ଷିଣ), ଝାରସୁଗୁଡ଼ା, କରଞ୍ଜିଆ, ରାଇରଙ୍ଗପୁର, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ବାମରା(ବନ୍ୟପ୍ରାଣୀ), ରାଜଗାଙ୍ଗପୁର ବନ୍ୟପ୍ରାଣୀ ଡିଭିଜନ ପରି ବନଖଣ୍ଡରେ ଏହା କାର୍ଯ୍ୟକାରୀ ହେବ । ୨୦୧୭-୧୮ ବର୍ଷରୁ ୧୦ ବର୍ଷ ମଧ୍ୟରେ ଏହି ପ୍ରକଳ୍ପରେ ଏକ ହଜାର କୋଟି ୩୦ ଲକ୍ଷ ଟଙ୍କା ବିନିଯୋଗ ହେବ । ୧୨୦୦ ବନ ସୁରକ୍ଷା ସମିତିକୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବହୁଳ ଜିଲ୍ଲାଗୁଡ଼ିକରେ ବନ ପ୍ରକଳ୍ପ କାର୍ଯ୍ୟରେ ନିଯୋଜିତ କରାଯିବ । ଏଥିସହ ୩୬୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଏହି ବନ ଅଭିବୃଦ୍ଧି ପ୍ରକଳ୍ପ ଯୋଗୁ ଉପକାର ପାଇବେ ଓ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ରାଜ୍ୟରେ ଜଙ୍ଗଲ ସମ୍ପଦର ସଂରକ୍ଷଣ, ଅଭିବୃଦ୍ଧି ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀଙ୍କ ସାମୁହିକ ବିକାଶ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକରିବ । ଏଥିସହ ଏହି ପ୍ରକଳ୍ପରେ ୫୭ ହଜାର ହେକ୍ଟର ଜଙ୍ଗଲ ଜମିରେ ଗୋଷ୍ଠୀ ସହଭାଗିତାରେ ୧୨୦୦ ଗ୍ରାମରେ ବୃକ୍ଷରୋପରଣ କରାଯିବ । ୧୦ ହଜାର ହେକ୍ଟର ବେସରକାରୀ ଓ ଅଣ ଜଙ୍ଗଲ ଜମିରେ କୃଷିଭିତ୍ତିକ ବନୀକରଣ, ୧୮୯୮ ବର୍ଗ କିମି ପରିଧିରେ ଜଙ୍ଗଲ ଜମି କ୍ଷେତ୍ରରେ ସୀମା ନିର୍ଦ୍ଧାରଣ, ଉଚ୍ଚ ପ୍ରଯୁକ୍ତି ବିଦ୍ୟା ସମ୍ପର୍ଣ୍ଣ ୬ଟି ଚାରା ରୋପଣ କେନ୍ଦ୍ର ସୃଷ୍ଟି କରାଯିବ । ଜାଇକା ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
ଜାଇକା ଭାରତୀୟ ମୁଖ୍ୟ ଟାକେମା ସକମୋଟୋ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ୨୦୦୬-୦୭ ଆର୍ଥିକ ବର୍ଷରୁ ୨୦୧୪-୧୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା । ରାଜ୍ୟର ୨୪ ଟି ବନଖଣ୍ଡରେ ଏହା ସଫଳତାର ସହ ଉପଯୋଗ ହୋଇଥିଲା । କ୍ଷତିଗ୍ରସ୍ତ ଜଙ୍ଗଲଗୁଡ଼ିକର ପୁନରୁଦ୍ଧାର ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ‘ବନାୟନ’ ଲୋଗୋ ଉନ୍ମୋଚିତ ହୋଇଥିଲା । ଉତ୍ସବରେ ପ୍ରକଳ୍ପ ନିଦେ୍ର୍ଦଶକ ଡ. ଅଜିତ୍ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଯୁଗ୍ମ ନିଦେ୍ର୍ଦଶକ ପ୍ରଦୀପ ରାଜ କରାତ୍ ଧନ୍ୟବାଦ ଅର୍ପଣ କରିଥିଲେ ।




Powered by odothemes.com