ନାପସନ୍ଦ କଲେ ସାଂସଦ ଓ ବିଧାୟକ

25

ଭର୍ତ୍ତୃହରିଙ୍କ ଲେଖା
ଭୁବନେଶ୍ୱର, ୨୭ା୪(ବୁ୍ୟରୋ): ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ନିଜର ନିବନ୍ଧ ଲାଗି ଏବେ ଦଳୀୟ ନେତାଙ୍କ ରୋଷର ଶିକାର ହୋଇଛନ୍ତି । ବିଧାୟକ ଓ ସାଂସଦମାନେ ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ କଡା ସମାଲୋଚା କରିଛନ୍ତି । ଅପରପକ୍ଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ତ୍ତୃହରିଙ୍କ ନିବନ୍ଧ ଏପର୍ଯ୍ୟନ୍ତ ପଢିନାହାନ୍ତି ବୋଲି ମତ ରଖିଛନ୍ତି । ଭର୍ତ୍ତୃହରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳୀୟ ନେତାମାନେ ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି । ଏକ ନିର୍ଦ୍ଦିଷ୍ଟ ଖବରକାଗଜରେ ସାଂସଦ ଶ୍ରୀ ମହତାବଙ୍କର ଏକ ନିବନ୍ଧ ପ୍ରକାଶ ପାଇଥିଲା । ଏଥିରେ ସେ ବିଜେଡିର ସାଙ୍ଗଠନିକ ସ୍ଥିତିକୁ ନେଇ କେତେକ ମତ ରଖିଥିଲେ । ଯାହା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛି ବୋଲି ବିଜେଡି ନେତାମାନେ ଅଭିଯୋଗ କରୁଛନ୍ତି । ବିଜେଡି ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ଯଦି ବିଜେଡିର ସଙ୍ଗଠନ ନାହିଁ, ତାହେଲେ ଭର୍ତ୍ତୃହରି ବାବୁ ୪ଥର ସାଂସଦ କିଭଳି ହେଲେ । ତାଙ୍କ ମୁହଁ ଦେଖି କ’ଣ ଲୋକେ ଭୋଟ୍ ଦେଇଥିଲେ । ଦଳ ସମ୍ପର୍କରେ ବାହାରେ ମନ୍ତବ୍ୟ ରଖିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ସାଂସଦ କଳିକେଶ ସିଂହଦେଓ ମଧ୍ୟ ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି । ଏଭଳି ମନ୍ତବ୍ୟ ଦଳର କ୍ଷତି କରିବ ବୋଲି ସେ କହିଛନ୍ତି । ରେଢାଖୋଲ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ କହିଛନ୍ତି ଯେ ଭର୍ତ୍ତୃହରିବାବୁ ଯାହା ଅନୁଭବ କଲେ, ତାହା ଦଳର ସଭାପତିଙ୍କ ସହ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା ବୋଲି ସେ ଭାବୁଛନ୍ତି । ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ ଦଳର ସ୍ଥିତି ବେଶ୍ ସୁଦୃଢ ରହିଛି । ଭର୍ତ୍ତୃହରି ବାବୁ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ । ତାହା ସହ ଦଳର କୌଣସି ସମ୍ପର୍କ ନାହିଁ । ଦଳର ରାଜ୍ୟସଭାପତି ତଥା ମୁଖ୍ୟମନ୍ତ୍ରୀ ସବୁ ବିଷୟରେ ଅବଗତ ଅଛନ୍ତି । ପୂର୍ବରୁ ଗଣମାଧ୍ୟମରେ ବିବୃତି ନଦେବା ପାଇଁ ଦଳୀୟ ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମାତ୍ର ଭର୍ତ୍ତୃହରିବାବୁ ତାହା ଗ୍ରହଣ କରିନାହାନ୍ତି । କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ବିଧାୟକ ପଦ୍ମନାଭ ବେହେରା ଦଳର କଥା ବାହାରେ ପ୍ରକାଶ କରିବା ଠିକ୍ ନୁହେଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ମନରେ ଯଦି କିଛି ଅସନ୍ତୋଷ ଥିଲା, ତାହା ସେ ଦଳୀୟ ଫୋରମ୍ରେ କହିପାରିଥାନ୍ତେ । ଗଣମାଧ୍ୟମରେ ଦଳର ସାଂସଦ ହିସାବରେ ଏହା ପ୍ରକାଶ କରିବା ଠିକ୍ ନୁହେଁ । ସେ ନିଜେ ମଧ୍ୟ ତାଙ୍କ ମନରେ ଥିବା ଅସନ୍ତୋଷକୁ ଦଳୀୟ ସଭାପତିଙ୍କୁ ଜଣାନ୍ତି, ବାହାରେ ପ୍ରକାଶ କରନ୍ତି ନାହିଁ । ସାଂସଦ ନଗେନ୍ଦ୍ର ପ୍ରଧାନ ମଧ୍ୟ ଭର୍ତ୍ତୃହରିଙ୍କ ନିବନ୍ଧକୁ ସମାଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ନିବନ୍ଧରେ ସେ ଯାହା ଉଲ୍ଲେଖ କରିଛନ୍ତି, ସେଭଳି ଲେଖିବା ଠିକ୍ ନୁହେଁ । ଦଳର କଥା ଦଳ ମଧ୍ୟରେ ଆଲୋଚନା ହେବା ଆବଶ୍ୟକ ।
ସୂଚନାଯୋଗ୍ୟ, ଗତକାଲି ନୂଆଦିଲ୍ଲୀରୁ ଫେରିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ଭର୍ତ୍ତହରିଙ୍କ ନିବନ୍ଧ ସମ୍ପର୍କରେ ପଚାରିଥିଲେ । ତାହା ସେ ପଢିନାହାନ୍ତି ବୋଲି କହିଥିଲେ । ତେବେ ଦଳ ମଧ୍ୟରେ ଭର୍ତ୍ତୃହରିଙ୍କ ନିବନ୍ଧକୁ ନେଇ ଯେଉଁ ହଟଚମଟ ସୃଷ୍ଟି ହୋଇଛି, ତାହା ଆଗାମୀ ଦିନରେ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚôବ ବୋଲି ଆଲୋଚନା ହେଉଛି ।




Powered by odothemes.com