potato

ଆହୁରି ବଢ଼ିବ ଆଳୁ!

38

କଟକ(ବୁ୍ୟରୋ): ହଠାତ୍ ଆଳୁ ଦର ବଢ଼ଛି । ଖୁଚୁରା ବଜାରରେ କିଲୋ ପିଛା ୨ରୁ ୩ ଟଙ୍କା ବଢିବାରୁ କିଲୋପିଛା ୧୦ରୁ ୧୨ଟଙ୍କାରେ ବିକ୍ରି ହେଉଛି । ଫଳରେ ଗରିବଙ୍କ ଉପରେ ଚଡକ ପଡିଛି । ରାଜ୍ୟରେ ଶୀତଳ ଭଣ୍ଡାର ଅଭାବ ହେତୁ ଚାଷୀ ପର୍ଯ୍ୟାପ୍ତ ପରିମାଣରେ ଚାଷ କରୁଥିଲେ ମଧ୍ୟ ଆଳୁ ପଚି ସଢି ଯାଉଛି । ସେହିପରି ଚାଷୀ ଉତ୍ପାଦନ କରିଥିବା ଆଳୁକୁ ଚାଷୀ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଛି । ଏବେ ଚାଷୀ ହାତରୁ ଆଳୁ ଶେଷ ହେବାରୁ ଅଚାନକ ଦରବୃଦ୍ଧି କରାଗଲଶ କାହା ସ୍ୱାର୍ଥରେ ବୋଲି ଆଲୋଚନା ହେଉଛି । ବର୍ତ୍ତମାନ ଆଳୁ କ୍ୱିଣ୍ଟାଲ ୭୪୦ରୁ ୭୫୦ ପର୍ଯ୍ୟନ୍ତ ବିକ୍ରି କରାଯାଉଛି ବୋଲି ମହାନଗର ଶାନ୍ତି କମିଟି ସଭାପତି ତଥା ଛତ୍ରବଜାର ଆଳୁ ବ୍ୟବସାୟୀ ସଂଘ ସଭାପତି ଦେବେନ୍ଦ୍ର ନାଥ ସାହୁ କହିଛନ୍ତି । ଶ୍ରୀ ସାହୁ ଆହୁରି କହିଛନ୍ତି ଯେ, ଆଗକୁ ଆଳୁ ଦର ଆହୁରି ବଢିବାର ସମ୍ଭାବନା ରହିଛି । କାରଣ ରାଜ୍ୟରେ ଏବେ ଚାଷୀଙ୍କ ପାଖରେ ଆଳୁର ଅଭାବ ରହିଛି । ଯେତିକି ଆଳୁ ଚାଷୀଙ୍କ ପାଖରେ ରହିଛି ସେଥିରେ ଅଧିକାଂଶ ପଚା ସଢା । ସେହିପରି ଆଳୁ ଉତ୍ପାଦନ ସମୟ ସରିଛି । ଉତ୍ପାଦନ ସମୟରେ ଚାଷୀଙ୍କଠାରୁ ଆଳୁ ପ୍ରତ୍ୟକ୍ଷ ଭାବେ କିଣା ଯାଉଥିବାରୁ ସେତେବେଳେ ଦର କମ ରହିଥିଲା । ବ୍ୟବସାୟୀମାନେ ଚାଷୀଙ୍କ ଠାରୁ ଆଳୁ କିଣି ଶୀତଳ ଭଣ୍ଡାରରେ ଗଚ୍ଛିତ ରଖିଛନ୍ତି । ଫଳରେ ପଶ୍ଚିମବଙ୍ଗରୁ ଆଳୁ ଆମଦାନି କରାଯାଉଛି । ସେଠାରେ ଥିବା ଶୀତଳ ଭଣ୍ଡାର ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ । ଅକ୍ଷୟ ତୃତୀୟା ପରେ ଶୀତଳ ଭଣ୍ଡାର ଗୁଡିକ ଖୋଲିବ । ତେବେ ଶୀତଳ ଭଣ୍ଡାର ଖୋଲିବା ପରେ ରାଜ୍ୟ ଯେଉଁ ଆଳୁ ଆମଦାନୀ କରିବ ସେଥିରେ ବିଭିନ୍ନ ଟ୍ୟାକ୍ସ ଲାଗିବା ପରେ ଦର ଆହୁରି ବଢିବ । ଅନ୍ୟପକ୍ଷରେ ଛତ୍ରବଜାର ଜଣେ ଖୁଚୁରା ବ୍ୟବସାୟୀ କହିଛନ୍ତି ଯେ, ଆଳୁ ପ୍ୟାକେଟ୍ ପିଛା ଆମେ ୭୪୦ ଟଙ୍କାରୁ ୭୫୦ ଟଙ୍କା ଦେଇ ହୋଲସେଲରେ କିଣୁଛୁ । ତେବେ ବସ୍ତାରେ ପଚା ସଢା ଆଳୁ ଓ ଖରାପ ଆଳୁ ବାହାରୁ ଥିବାରୁ ବାଧ୍ୟ ହୋଇ ୩କିଲୋ ପ୍ରତି ୩୦ଟଙ୍କାରେ ବିକ୍ରି କରୁଛୁ ।
ତେବେ ରାଜ୍ୟରେ ଶୀତଳ ଭଣ୍ଡାର ଅଭାବ ହେତୁ ପ୍ରତି ବର୍ଷ ଚାଷୀ ବାଧ୍ୟ ହୋଇ ଶାଗ ମୁଗ ଦରରେ ଆଳୁକୁ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି । ଫଳରେ ପ୍ରତି ବର୍ଷ ରାଜ୍ୟରେ ଆଳୁ ସଙ୍କଟ ଲାଗି ରହିବା ସହ ଦର ବୃଦ୍ଧି ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ଖାଉଟି ମତ ପ୍ରକାଶ କରିଛନ୍ତି ।




Powered by odothemes.com