ଅଶାଳୀନ ଅଫିସରଙ୍କୁ ସାବାଡ଼୍ ପାଇଁ ପ୍ରୋଟୋକଲ କମିଟି

ଭୁବନେଶ୍ୱର, ୧୮ ।୪ (ବୁ୍ୟରୋ): ଲୋକ ପ୍ରତିନିଧିଙ୍କୁ ଅସମ୍ମାନ କରୁଥିବା ଅଫିସର ଏଣିକି ସାବାଡ଼୍ ହେବେ । ବୁକ୍ ସର୍କୁଲାର ୪୭କୁ ସମ୍ମାନ ଦେଉନଥିବା ଅଫିସରଙ୍କୁ ଗତିବଧି ଉପରେ ଏବେ ନଜର ରଖିବା ପାଇଁ ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ନିର୍ଦ୍ଧେଶ ମତେ ପ୍ରୋଟକଲ କମିଟି ଗଠନ କରାଯାଇଛି । ବିଧାୟକ ଡ଼ା. ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ୭ଜଣିଆ କମିଟି ଗଠନ ହୋଇଛି । ପ୍ରଥମଥର ଲାଗି ବିଧାନସଭା ପକ୍ଷରୁ ଏହିଭଳି କମିଟି ଗଠନ ହୋଇଛି । ସଂସଦରେ ମଧ୍ୟ ଏହିଭଳି ଏକ କମିଟି ରହିଛି । ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିରେ ବିଧାୟକ ଦେବାଶିଷ ସମାନ୍ତରାୟ, ବିଭୂତି ଭୂଷଣ ହରିଚନ୍ଦନ, ପ୍ରଫୁଲ ମାଝୀ, ମାୟାଧର ଜେନା, ବିଜୟ ମହାନ୍ତି ଓ ମନୋହର ରାନ୍ଧାରି ପ୍ରମୁଖ ଏହାର ସଭ୍ୟ ଅଛନ୍ତି । ସୂଚନାଯୋଗ୍ୟ, ଅଫିସରମାନେ ବିଧାୟକମାନଙ୍କୁ ଅସମ୍ମାନ କରୁଥିବା ନେଇ ବିଧାନସଭାରେ ବାରମ୍ବାର ଅଭିଯୋଗ ହୋଇଛି । ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ବିଧାନସଭା ଅଧିବେଶନ ସମୟରେ ବୁକ୍ ସର୍କୁଲାରର ଉଲ୍ଲଘଂନ ନେଇ ଅଭିଯୋଗ କରିଥାନ୍ତି । ସଚିବଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ବି ଲୋକପ୍ରତିନିଧିଙ୍କୁ ବେଖାତିର କରୁଥିବା ନେଇ ଅଭିଯୋଗ ହୋଇଛି । ଏହି କମିଟି ଏବେ ଏଭଳି ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରିବ । କମିଟିର ଅଧ୍ୟକ୍ଷ ଶ୍ରୀ ସାହୁ କହିଛନ୍ତି, ବିଧାନସଭାର ସ୍ୱାଧିକାର ଓ ଏଥିକ୍ସି କମିଟି ଭଳି ଏହି କମିଟି କାର୍ଯ୍ୟ କରିବ । ବିଧାୟକମାନଙ୍କ ଅଧିକାର ଯେଭଳି କ୍ଷୁର୍ଣ୍ଣ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି ।