naveen-delhi

ନବୀନ-ମମତା ସାକ୍ଷାତକୁ ନେଇ କଳ୍ପନାଜଳ୍ପନା

20

ନୂଆଦିଲ୍ଲୀ, ୧୦ା୪(ବୁ୍ୟରୋ): ସଂସଦୀୟ ଦଳରେ ମତାନ୍ତର ନାହିଁ । ସମସ୍ତେ ଏକ ହୋଇ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହାଛଡା ଶ୍ରୀ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ସଂସଦ ଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି । ନବୀନ-ମମତା ଭେଟ୍ଘାଟ୍କୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ନୂଆଦିଲ୍ଲୀ ଗସ୍ତରେ ଥିବା ବିଜେଡି ରାଜ୍ୟସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂସଦ ଭବନରେ ବିଜେଡିର ରାଜ୍ୟସଭା ଓ ଲୋକସଭା ସାଂସଦଙ୍କ ସହ ବୈଠକ କରିଛନ୍ତି । ବ୍ୟକ୍ତିଗତ କାରଣରୁ ବୈଠକରେ ସାଂସଦ ଦିଲ୍ଲୀପ ତିର୍କୀ ଓ ପ୍ରସନ୍ନ ଆଚାର୍ଯ୍ୟ ଅନୁପସ୍ଥିତ ଥିଲେ । ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜେଡିର ସାଂସଦମାନେ ଏକ ଅଛନ୍ତି । ରାଜ୍ୟ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଂସଦରେ ଉତ୍ଥାପନ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା ଓ କେନ୍ଦ୍ରୀୟ ଯୋଜନାର ଅନୁଦାନ ହ୍ରାସ ପ୍ରସଙ୍ଗ ସଂସଦରେ ଉତ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସୂଚନାଯୋଗ୍ୟ, କିଛିଦିନ ତଳେ ସାଂସଦ ତଥାଗତ ଶତପଥୀ ଓ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ‘ଟ୍ୱିଟ୍ ୱାର୍’ ହୋଇଥିଲା । ସାଂସଦ ଶ୍ରୀ ଶତପଥୀ ଟ୍ୱିଟ୍ ଯୋଗେ କହିଥିଲେ ଯେ ବିଜେପି ଏବେ ବିଜେଡିରେ ବିଭାଜନ ଚାହୁଁଛି । ଜଣେ ସାଂସଦ ଏଥିରେ ପୃଷ୍ଠପୋଷକତା କରୁଛନ୍ତି । ତଥାଗତଙ୍କ ଟ୍ୱିଟ୍ର ଜବାବ୍ରେ ସାଂସଦ ଶ୍ରୀ ପଣ୍ଡା ମଧ୍ୟ ଟ୍ୱିଟ୍ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଏଭଳି କୌଣସି ସୂଚନା ତାଙ୍କ ନିକଟରେ ନାହିଁ । ଯେଉଁମାନେ ଅନ୍ୟ ଦଳ ଛାଡି ବିଜେଡିକୁ ଆସିଛନ୍ତି, ସେମାନଙ୍କର ଦଳ ପରିବର୍ତ୍ତନ କରିବା ଓ ଭାଙ୍ଗିବାର ଅଭିଜ୍ଞତା ଥାଇପାରେ । ତଥାଗତ ଓ ବୈଜୟନ୍ତଙ୍କ ଟ୍ୱିଟ୍କୁ ନେଇ ବିଜେଡି ସଂସଦୀୟ ଦଳରେ ଏକ ବିଭାଜନ ହୋଇପାରେ ବୋଲି ରାଜନୈତିକ ମହଲରେ ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ଆଜିର ବୈଠକ ପରେ ଏହି ଚର୍ଚ୍ଚାର ଅବସାନ ଘଟିଛି । ସାଂସଦଙ୍କୁ ସାକ୍ଷାତ ପରେ ଶ୍ରୀ ପଟ୍ଟନାୟକ ମଧ୍ୟ ଆଜି ସଂସଦ ଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ମମତାଙ୍କ ସହ ନବୀନଙ୍କ ସାକ୍ଷାତ ରାଜନୈତିକ ଗୁରୁତ୍ୱ ବହନ କରିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ ଗତଥର ବିଜେଡି ହିଁ ପିଏ ସାଙ୍ଗ୍ମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀଭାବେ ପ୍ରଥମେ ଘୋଷଣା କରିଥିଲା । ଏହାପରେ ଏନ୍ଡିଏ ତାଙ୍କ ପ୍ରାର୍ଥôତ୍ୱକୁ ସମର୍ଥନ କରିଥିଲା । ଏଥର ରାଷ୍ଟ୍ରପତି ନିର୍ବାଚନରେ କିଏ ପ୍ରାର୍ଥୀ ହେଉଛି, ତାହା ଦେଖିଲା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ତେବେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମମତା ଓ ନବୀନଙ୍କ ଭେଟ ବେଶ୍ ଗୁରୁତ୍ୱ ବହନ କରୁଛି । ଏନ୍ଡିଏରେ ପୂର୍ବରୁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରହିଥିଲା । ଏବେ ଏମାନେ ଏନ୍ଡିଏରେ ନାହାନ୍ତି । ଉଭୟ ଓଡିଶା ଓ ପଶ୍ଚିମବଙ୍ଗରେ ବିଜେପି ତା’ର ସ୍ଥିତି ଜାହିର କରିବା ଲାଗି ଜୋର୍ଦାର୍ ଉଦ୍ୟମ କରୁଛି । ଏଥିପାଇଁ ସିବିଆଇକୁ ରାଜନୈତିକ ଉଦେ୍ଦଶ୍ୟରେ ବ୍ୟବହାର କରାଯାଉଛି ବୋଲି ମତପ୍ରକାଶ ପାଉଛି । ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ଆଗାମୀ ଦିନରେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।




Powered by odothemes.com