binjhrspauara--Ranapur-G.P-Aakraman-ra-Sikar-yubak.

ଯୁବକକୁ ହାଣିଲେ, ପରିସ୍ରା ପିଆଇଲେ!

16

ଥମୁନି ରାଜନୈତିକ ହିଂସା
ବିଞ୍ଝାରପୁର (ଆପ୍ର): ସଦ୍ୟ ପରିସମାପ୍ତ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ହିଂସା ଥମୁନି । ବିଞ୍ଝାରପୁର ବ୍ଲକ୍ ସମ୍ବେଦନଶୀଳ ରଣପୁର ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ରଣପୁର ପଞ୍ଚାୟତ କଣ୍ଟିପୁର ଗ୍ରାମର ଜଣେ ଯୁବକ ଶନିବାର ବିଲରେ ବାଦାମ ଉପାଡୁଥିବା ବେଳେ କେତଜଣ ଲୋକ ତାକୁ ମରଣାନ୍ତକ ଆକ୍ରମଣ କରିଥିଲେ । ମାନବିକତାକୁ ବିସର୍ଜନ ଦେଇ ଛେପ ଚଟାଇବା ଓ ମୁହଁରେ ପରିସ୍ରା କରିବା ଭଳି ଘଟଣା ଘଟିଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ, ରଣପୁର ପଞ୍ଚାୟତ କଣ୍ଟିପୁର ଗ୍ରାମର ପ୍ରଫୁଲ୍ଲ ନାୟକଙ୍କ ପୁଅ ପ୍ରବୋଧ ନାୟକ (୨୫) ପଞ୍ଜାବର ଏକ ଘରୋଇ କମ୍ପାନିରେ ଚାକିରି କରନ୍ତି । ଗତ ୬ ତାରିଖରେ ସେ କଣ୍ଟିପୁର ଫେରିଥିଲେ । ଶନିବାର ସକାଳେ ଜମିରେ ବାଦାମ ଉପାଡୁଥିଲେ । ସେହି ସମୟରେ କଣ୍ଟିପୁର ଗ୍ରାମର ସତ୍ୟସୁନ୍ଦର ଯେନା, ସଂଗ୍ରାମ ଯେନା, ସତ୍ୟରଂଜନ ଯେନା, କାହ୍ନୁଚରଣ ଯେନା, ପବିତ୍ର ଯେନା, ବିଜୟ ଯେନା, ପ୍ରଶାନ୍ତ ଯେନା, ପ୍ରଦୀପ ଯେନା, ପ୍ରକାଶ ଯେନା ଓ ନାଲୁ ଯେନା ପ୍ରମୁଖ ମାରଣାସ୍ତ୍ରରେ ପ୍ରବୋଧକୁ ହାଣି ଥିଲେ । ଆକ୍ରମଣକାରୀ ଠେଙ୍ଗା ଓ ବାଡିରେ ପିଟିବା ପରେ ପ୍ରବୋଧ ତଳେ ସଜ୍ଞାହୀନ ଅବସ୍ଥାରେ ପଡି ଯାଇଥିଲା । ପରେ ପ୍ରବୋଧକୁ ଘର ଖୁଣ୍ଟିରେ ପଛୁଆହାତ କରି ବାନ୍ଧି ପକାଇଥିଲେ । ନାଲୁ ଯେନା ଛେପ ପକାଇ ଚାଟିବାକୁ କହିବା ସହିତ ତାଙ୍କ ମୁହଁରେ ପରିଶ୍ରା କରିଥିଲେ ବୋଲି ସେ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଛନ୍ତି । ବିଞ୍ଝାରପୁର ଥାନା ଅଧିକାରୀଙ୍କୁ ପଚାରିବାରୁ ପୁଲିସ ଘଟଣା ସ୍ଥଳକୁ ଯାଇଛି । ଅଭିଯୋଗର ତଦନ୍ତ ହେଉଛି । ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ । କଣ୍ଟିପୁର ଗ୍ରାମରେ ନିର୍ବାଚନୀ ହିଂହା ପାଉଁଶ ତଳର ନିଆଁ ପରି କୁହୁଳୁଥିବା ବେଳେ ବାରମ୍ବାର ଏହିପରି ଘଟଣା ଘଟି ଚାଲୁଥିବାରୁ ସାଧାରଣରେ ଆତଙ୍କ ଖେଳି ଯାଇଛି ।




Powered by odothemes.com