cash-less

କ୍ୟାଶ୍‌ଲେସ୍‌-ବ୍ୟବସାୟୀ ଅମଙ୍ଗ

61

ଭୁବନେଶ୍ୱର, ୩ା୪(ତଥ୍ୟ): ଚଳିତ ମାସରୁ ବ୍ୟାଙ୍କ୍‌ ଗୁଡିକ ନଗଦ ଜମା ଓ ଉଠାଣର ସୀମାଧାର୍ଯ୍ୟ କରିଥିବାବେଳେ ଅଧିକାଂଶ ବ୍ୟବସାୟୀ କିନ୍ତୁ କ୍ୟାଶ୍‌ଲେସ୍‌ କାରବାର ପାଇଁ ରାଜି ହେଉନାହାନ୍ତି । ବିଶେଷକରି ଡେବିଟ୍‌ ଓ କ୍ରେଡିଟ୍‌କାର୍ଡ ଜରିଆରେ ଅର୍ଥ ପଇଠ କରିବାକୁ ଇଚ୍ଛୁକ ଗ୍ରାହକ ମାନଙ୍କ ଠାରୁ ସେମାନେ ବ୍ୟାଙ୍କ୍‌ କମିଶନି ବାବଦରେ ଅଧିକ ଅର୍ଥ ଦାବି କରୁଛନ୍ତି । କେନ୍ଦ୍ର ସରକାର ଡିଜିଟାଲ କାରବାର ଉପରେ ଗୁରୁତ୍ୱ ଦେଉଥିବାବେଳେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗୁଡିକ ଇ-ବ୍ୟବସାୟ ଓ ସ୍ୱାପିଙ୍ଗ୍‌ ମେସିନ୍‌ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ନଗଦ କାରବାର ବଦଳରେ ଗ୍ରାହକମାନେ ଯେଭଳି ନିଜ ନିଜ ବ୍ୟାଙ୍କ୍‌ ଆକାଉଣ୍ଟରୁ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଅର୍ଥ ପଇଠ କରିପାରିବେ ସେଥିପାଇଁ ପରାମର୍ଶ ଦିଆଯାଉଛି । ହେଲେ କ୍ଷେତ୍ର ସ୍ଥଳରେ ବ୍ୟବସାୟୀମାନେ ଏହି ପନ୍ଥା ଆପଣେଇବାକୁ ନାରାଜ । ସହରରେ ଥିବା କେତେକ ହାତଗଣତି ମଲ ଓ ବ୍ୟବସାୟ ପ୍ରତିଷ୍ଠାନକୁ ଛାଡିଦେଲେ ଅନ୍ୟମାନେ ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡରେ ଅର୍ଥ ନେବାକୁ ରାଜି ହେଉନାହାନ୍ତି । ବ୍ୟବସାୟୀ ମାନଙ୍କ କହିବାକଥା ହେଉଛି ଡେବିଟ୍‌ ଓ କ୍ରେଡିଟ୍‌କାର୍ଡରେ ନିଆଯାଉଥିବା ଅର୍ଥ ଉପରେ ସମ୍ପୃକ୍ତ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ୧.୫ ରୁ ୨ ପ୍ରତିଶତ ଅର୍ଥ ଦାବି କରୁଛନ୍ତି । ଏହି ଅର୍ଥ ଗ୍ରାହକ ମାନଙ୍କ ଠାରୁ ଦାବିକଲେ ସେମାନେ ସମସ୍ତ କରଯୁକ୍ତ ମୂଲ୍ୟଠାରୁ ଅଧିକ ଅର୍ଥ ଦେବାକୁ ରାଜି ହେଉନାହାନ୍ତି । ଏପରିକି ଏହାଠାରୁ ଅଧିକ ଅର୍ଥ ଦାବିକଲେ ଗ୍ରାହକମାନେ କୋର୍ଟ କଚେରୀର ଧମକ ବି ଦେଖାଉଛନ୍ତି ।
ସାଧାରଣତଃ ଯେଉଁସବୁ ବ୍ୟବସାୟ ପ୍ରତିଷ୍ଠାନରେ ଗ୍ରାହକମାନେ ୧୦୦୦ ଟଙ୍କା ତଳକୁ ସାମଗ୍ରୀ ଖରିଦ କରୁଛନ୍ତି ସେଠାରେ ଦୋକାନୀମାନେ ସହଜରେ କ୍ରେଡିଟ୍‌ କିମ୍ବା ଡେବିଟ୍‌କାର୍ଡରେ ଅର୍ଥ ନେବାକୁ ରାଜି ହେଉନାହାନ୍ତି । କେତେକ ବ୍ୟବସାୟ ପ୍ରତିଷ୍ଠାନ ତ ଏ ସଂକ୍ରାନ୍ତରେ ନୋଟିସ୍‌ ଲେଖି ଝୁଲାଇ ଦେଇଛନ୍ତି । ସାଧାରଣ ଦୋକାନୀ ତ ଦୂରରକଥା ରାଜଧାନୀର କେତେକ ଦୁଇ ଚକିଆ ଗାଡି ବ୍ୟବସାୟୀ ମଧ୍ୟ ଡେବିଟ୍‌ କିମ୍ବା କ୍ରେଡିଟ୍‌କାର୍ଡରେ ଅର୍ଥ ନେବାକୁ ରାଜି ହେଉନାହାନ୍ତି ।
ସରକାରୀ ପ୍ରତିଷ୍ଠାନରେ ମଧ୍ୟ ଅନୁରୂପ ଅବସ୍ଥା । ବିଦୁ୍ୟତ୍‌ ବିଲ୍‌ ଆଦାୟ କରୁଥିବା ସେସୁ କର୍ତ୍ତୃପକ୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଗ୍ରାହକ ମାନଙ୍କ ଠାରୁ ସ୍ୱାପିଙ୍ଗ୍‌ ମେସିନ୍‌ କିମ୍ବା ଇ-ବ୍ୟବସ୍ଥାରେ ଅର୍ଥ ନେବା ବ୍ୟବସ୍ଥା କରିପାରି ନାହାନ୍ତି । ୧୦୦୦ ଟଙ୍କା ତଳକୁ ବିଲ୍‌ ପ୍ରଦାନ କରୁଥିବା ଗ୍ରାହକ ମାନଙ୍କ ଠାରୁ ସ୍ୱାପିଙ୍ଗ ମେସିନ୍‌ରେ ଅର୍ଥ ଆଦାୟ ନେଇ ବିଲ୍‌ ଆଦାୟ କରୁଥିବା ଘରୋଇ ସଂସ୍ଥା ରାଜି ନୁହେଁ ।
ଅନ୍ୟ ପକ୍ଷରେ ଚଳିତ ମାସଠାରୁ ଉଭୟ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ୍‌ ଗୁଡିକ ନଗଦ ଜମା ଓ ଉଠାଣ ଉପରେ କଟକଣା ଜାରି କରିଥିବାରୁ ଲୋକେ ଏକାଧିକଥର ବ୍ୟାଙ୍କ୍‌ରୁ ଅର୍ଥ ଉଠାଇ ତଣ୍ଡ ଗଣିବାଟା ଥୟ ହୋଇଗଲାଣି । କେତେକ ରାଷ୍ଟ୍ରାୟତ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଡେବିଟ୍‌କାର୍ଡ ଯୋଗେ ଅର୍ଥ ପଇଠକଲେ ବ୍ୟବସାୟ ପ୍ରତିଷ୍ଠାନରେ କୌଣସି ଅଧିକ ଟଙ୍କା ଦେବାକୁ ପଡିବନାହିଁ ବୋଲି ବିଜ୍ଞାପନ ଦେଉଥିବାବେଳେ ଅନ୍ୟପଟେ କିନ୍ତୁ ସେହି ବ୍ୟାଙ୍କ୍‌ ଗୁଡିକ ସ୍ୱାପିଙ୍ଗ୍‌ ମେସିନ୍‌ ଯୋଗାଇଥିବା ବ୍ୟବସାୟୀ ମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି । ତେଣୁ ବ୍ୟାଙ୍କ୍‌ ଗୁଡିକର କଟକଣାକୁ ଦୃଷ୍ଟିରେ ରଖି ଗ୍ରାହକମାନେ ଯେଭଳି ବିନା ଅର୍ଥ ତଣ୍ଡରେ ସହଜରେ ଡିଜିଟାଲ କାରବାର କରିପାରିବେ ସେଥିପାଇଁ ସରକାରୀ ସ୍ତରରେ ପଦକ୍ଷପ ନେବାକୁ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com