NICHNTAKAUILAI--HATA-2

ହାଟ ଆଖିରେ ଲୁହ, ଲୁଟ୍ ହେଉଛି ଅର୍ଥ!

9

ଦୂଷିତ ପରିବେଶରେ କିଣାବିକା
ନିଶ୍ଚିନ୍ତକୋଇଲି (ଆପ୍ର): କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟିର ଦାୟିତ୍ୱହୀନତା କାର୍ଯ୍ୟରୁ କଟକ ଜିଲ୍ଲାର ସର୍ବବୃହତ ସାପ୍ତାହିକ ନିଶ୍ଚିନ୍ତକୋଇଲି ହାଟ ଆଜି କାନ୍ଦୁଛି । ହାଟ ଏକ ରକମ ନର୍କକୁଣ୍ଡରେ ପରିଣତ ହୋଇଛି । ପ୍ରତିକାର ନିମନ୍ତେ ବିଭାଗୀୟ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ସାଧାରଣରେ ଅସନ୍ତୋଷ ତୀବ୍ର ହେଉଛି ।  ସୂଚନାନୁଯାୟୀ, ନିଶ୍ଚିନ୍ତକୋଇଲି ହାଟର ପରିଚାଳନା ଦାୟିତ୍ୱ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ଓ କଟକ ଉପଜିଲ୍ଲାପାଳଙ୍କ ହାତରେ ରହିଛି । ହାଟକୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପନିପରିବା, ନଡ଼ିଆ, ପଇଡ଼ ମୁଖ୍ୟତଃ ପଠାଯାଇଥାଏ । ହାଟ ସପ୍ତାହର ସୋମବାର ଓ ଶୁକ୍ରବାର ହୋଇଥାଏ । ଏହି ହାଟରୁ ନିୟନ୍ତ୍ରିତ ବଜାର କମିଟିର ଲକ୍ଷାଧିକ ଟଙ୍କାର ରାଜସ୍ୱ ବଟି ଆକାରରେ ଆଦାୟ କରିଥାଏ ବୋଲି ଅଭିଯୋଗ ହେଉଛି । ନିୟନ୍ତ୍ରିତ ବଜାର କମିଟି ହାଟକୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ କରୁଥିଲାବେଳେ ଉନ୍ନତି ଓ ପରିବେଶ ଉପରେ ଗୁରୁତ୍ୱ ଦେଇନାହିଁ । ହାଟରେ ତିନି ତିନିଟି ମନ୍ଦିର ନିଶ୍ଚିନ୍ତକୋଇଲି ପଞ୍ଚାୟତ କାର୍ଯ୍ୟାଳୟ ରହିଛି । ହାଟର ପରିବେଶ ଅତ୍ୟନ୍ତ ଦୂଷିତ ଏବଂ ଅପରିଷ୍କାର ହୋଇରହିଛି । ହାଟରେ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇଛି । ହାଟର ଉନ୍ନତି ନିମନ୍ତେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ସରକାରୀ କାଗଜ କଲମରେ ରହିଛି । ଠିକାଦାର ଓ ବିଭାଗୀୟ ଅଧିକାରୀ ହାଟ ପାଇଁ ଆସୁଥିବା ଅର୍ଥ ଲୁଟି ନେଉଥିବା ଅଭିଯୋଗ ହେଉଛି । ହାଟର ପିଣ୍ଡି ଗୁଡ଼ିକ ଭାଙ୍ଗିରୁଜି ଗଲାଣି । ବ୍ୟବସାୟୀ ବସି ବ୍ୟବସାୟ କରିପାରୁନାହାନ୍ତି । ହାଟରେ ଲକ୍ଷାଧିକ ଲୋକ ନିର୍ଭର କରୁଥିଲା ବେଳେ ପାନୀୟଜଳର ସୁବନେ୍ଦାବସ୍ତ ନାହିଁ । ହାଟରେ ମଝିରେ ଥିବା ଏକମାତ୍ର କୂପ ଅଚଳ ହୋଇପଡ଼ିଛି । ଟିଣ ଘରଗୁଡ଼ିକ ଭାଙ୍ଗିରୁଜି ଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଛି । ହାଟର ଟିଣ ଘରେ ରହିଥିବା ଖୁଣ୍ଟ୍ ଓ କାନ୍ଥ ଗୁଡ଼ିକ ଭାଙ୍ଗିରୁଜି ଯାଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ହାଟରେ ଥିବା ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଦୀର୍ଘ ଦିନ ହେଲା ବନ୍ଦ ହୋଇଯାଇଛି । ବିଭାଗୀୟସ୍ତରରେ ସାପ୍ତାହିକ ହାଟର ଉନ୍ନତି ନିମନ୍ତେ ଦୃଢ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ସ୍ଥାନୀୟ ବ୍ୟବସାୟୀ ଓ ଚାଷୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।




Powered by odothemes.com