ବିଏସ୍-୪ ଇନ୍ଧନର ଲୋକାର୍ପଣ

24

ଭୁବନେଶ୍ୱର, ୧ା୪(ବୁ୍ୟରୋ): ବିଏସ୍-୪ ଗ୍ରେଡ୍ ଇନ୍ଧନର ସର୍ବଭାରତୀୟ ଲୋକାର୍ପଣ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ୧୩ଟି ସ୍ଥାନରେ ଏହି ଯୋଜନାର ଉଦଘାଟନ କରିଛନ୍ତି । ଭୁବନେଶ୍ୱର ସମେତ ବାରାଣାସୀ, ବିଜୟୱାଡା, ଦୁର୍ଗାପୁର, ଗୋରଖପୁର, ଇମ୍ଫାଲ, ଭୋପାଳ, ରାଞ୍ଚି, ମଦୁରାଇ, ନାଗପୁର, ପାଟନା, ଗୌହାଟୀ ଓ ସିଲଂରୁ ମଧ୍ୟ ଏହାର ଶୁଭାରମ୍ଭ ହୋଇଛି । ବିଏସ୍-୪ ଗ୍ରେଡ ଇନ୍ଧନର ଲୋକାର୍ପଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆଜି ସ୍ୱଚ୍ଛ ପରିବହନ ଇନ୍ଧନର ଏକ ନୂଆ ଯୁଗ ଆରମ୍ଭ ହୋଇଛି । ବିଏସ୍-୪ ଗ୍ରେଡ୍ ଇନ୍ଧନର ବ୍ୟବହାର ଦ୍ୱାରା ଦେଶର ୧୨୫ କୋଟି ଜନସାଧାରଣ ଲାଭାନ୍ୱିତ ହେବା ସହ ପ୍ରତ୍ୟେକ ସ୍ତରରେ ପ୍ରଦୂଷଣକୁ ହ୍ରାସ କରିବାରେ ଏହା ସହାୟକ ହେବ । ବିଏସ୍-୪ ଇନ୍ଧନ ଭାରତରେ ବ୍ୟବହାର ହେବ । ନିର୍ଦ୍ଧାରିତ ସମୟ ମଧ୍ୟରେ ତୈଳ ବିପଣନ କମ୍ପାନୀମାନେ ଆବଶ୍ୟକ ଭିତ୍ତିଭୂମି ଓ ଲଜିଷ୍ଟିକ୍ ବ୍ୟବହାର କରି ରେକର୍ଡ ସମୟ ମଧ୍ୟରେ ବିଏସ-୪ ଗ୍ରେଡ୍ର ଇନ୍ଧନ ସାରା ଦେଶରେ ଶୁଭାରମ୍ଭ କରିବାରେ ସଫଳ ହୋଇଛି । ତୈଳ ବିପଣନ କମ୍ପାନୀମାନେ ଏହି ସ୍ୱଚ୍ଛ ଇନ୍ଧନ ଉପଲବ୍ଧ କରାଇବାକୁ ୯୦ହଜାର କୋଟି ଟଙ୍କା ବ୍ୟୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତ ଯଦିଓ ସର୍ବାଧିକ ପ୍ରଦୂଷଣକାରୀ ଦେଶ ନୁହେଁ, ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ କାର୍ବନ ନିର୍ଗମନ ଓ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ କମ୍ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ବିଏସ୍-୪ ଇନ୍ଧନକୁ ଆପଣାଇବା ଭାରତର ଏହି ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି । ୨୦୨୦ ମସିହା ସୁଦ୍ଧା ଭାରତ ବିଏସ୍-୬ ଇନ୍ଧନ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି ।
ଏହି ଅବସରରେ ଉଜ୍ୱଳା ଯୋଜନାରେ ଦେଶର ୨ କୋଟିତମ ସିଲିଣ୍ଡର ଭୁବନେଶ୍ୱରର ଜଣେ ମହିଳା ସ୍ୱାଲିଆ ବିବିଙ୍କୁ ପ୍ରଦାନ କରିଛନ୍ତି । ବିିପିଏଲ୍ ବର୍ଗର ମହିଳାଙ୍କ ପାଇଁ ମାଗଣାରେ ଗ୍ୟାସ ସଂଯୋଗ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୨ କୋଟି ମହିଳା ହିତାଧିକାର ଲାଭବାନ ହୋଇଛନ୍ତି । ଉକ୍ରଳ ଦିବସ ଅବସରରେ ଏହି ସଂଖ୍ୟା ଦୁଇ କୋଟି ଛୁଇଁ ଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ଏହି ଯୋଜନାରେ ବର୍ତ୍ତମାନ ଯାଏ ସମ୍ପୁର୍ଣ୍ଣ ଦେଶରେ ଦୁଇ କୋଟି ମହିଳାଙ୍କୁ ଲାଭ ମିଳିଥିବା ବେଳେ ଓଡିଶାରେ ୧୦ ଲକ୍ଷ ମହିଳା ଲାଭାନ୍ୱିତ ହୋଇସାରିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ କେ.ଡି ତ୍ରିପାଠୀ ଓ ତୈଳ ବିପଣନ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ ।




Powered by odothemes.com