ଦଳ ଓ ଆବର୍ଜନା ଭର୍ତ୍ତି ଚନ୍ଦନ ପୁଷ୍କରିଣୀର ପୁନରୁଦ୍ଧାର ଦାବି

kantilo

କଣ୍ଟିଲୋ (ଆପ୍ର): ଜଗନ୍ନାଥଙ୍କ ଆଦିପୀଠ ନୀଳମାଧବ ପୀଠ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଥିବା ମନେ ହେଉଛି । ଏହି ପୀଠକୁ ପ୍ରଶାସନ ଗୁରୁତ୍ୱ ଦେଉନାହିଁ ବୋଲି ଆଲୋଚନା ହେଉଛି । ଏହାର ଜ୍ୱଳନ୍ତ ପ୍ରମାଣ ଶ୍ରୀ ଜୀଉଙ୍କ ଚନ୍ଦନ ପୁଷ୍ପରିଣୀ । ଆଉ ମାସକ ପରେ ଅକ୍ଷୟ ତୃତୀୟାଠାରୁ ଏହି ପୀଠରେ ଶ୍ରୀ ଜୀଉଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଚନ୍ଦନ ପୋଖରୀର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଶ୍ରୀ ଜୀଉଙ୍କ ଏହିଯାତ୍ରା ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଠାକୁରଙ୍କ ଚାପଖେଳ ଅନୁଷ୍ଠିତ ହେଉଥିବା ଏହି ପୁଷ୍କରୀଣୀରେ ବର୍ତ୍ତମାନ ଅମରୀ ଲଟା, ଚିଙ୍ଗୁଡ଼ିଆ ଓ ବୋରଝାଞ୍ଜି ଦଳ ଗୁଡ଼ିକ ବୃଦ୍ଧି ପାଇ ପୋଖରୀ ସାରା ଭର୍ତ୍ତି ହୋଇ ଏକ ଘାସ ପଡ଼ିଆର ଭ୍ରମ ସୃଷ୍ଟି କରୁଛି । ଏଥିପାଇଁ ପୋଖରୀରେ ପାଣି ଦେଖାଯାଉନଥିବାବେଳେ ବଜାର ନିକଟରେ ପୋଖରୀଟି ଥିବାରୁ ବଜାରର ଅଳିଆ, ଆବର୍ଜନା ପକାଇବା ସ୍ଥଳ ପାଲଟିଛି । ଏ ସମ୍ପର୍କରେ ପରିଚାଳନା ସଂସ୍ଥା ଦେବୋତ୍ତର ବିଭାଗ, ପଞ୍ଚାୟତ ତଥା ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଆସନ୍ତା ଏପ୍ରିଲ୍ ୨୯ରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଯଦି ଚନ୍ଦନ ପୁଷ୍ପରିଣୀ ପରିଷ୍କାର କରାନଯାଏ ତେବେ ଜନଆନେ୍ଦାଳନ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏକଦା ମହାନଦୀଠାରୁ ମଧ୍ୟ ପରିଷ୍କାର ପାଣି ରହୁଥିବା ଏହି ତୀର୍ଥ ପୁଷ୍କରିଣୀରେ ଶ୍ରୀ ଜୀଉ ପ୍ରତିବର୍ଷ ଚାପ ଖେଳିଥାନ୍ତି । ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହି ତୀର୍ଥ ପୁଷ୍ପରିଣୀ ଏବେ ସମ୍ପୁର୍ଣ୍ଣ ପ୍ରଦୁଷିତ । ପୋଖରୀର ପୂର୍ବ, ପଶ୍ଚିମ, ଉତ୍ତର ପାଶ୍ୱର୍ ହୁଡ଼ାର ଅନେକାଂଶ ଜବରଦଖଲକାରୀଙ୍କ କବ୍ଜାରେ ରହିଥିବାବେଳେ ବଜାରର ଅଳିଆ, ଆବର୍ଜନା ପଡ଼ିବା ଫଳରେ ପୋଖରୀ ପ୍ରଦୁଷିତ ହୋଇପଡ଼ିଛି । ପୋଖରୀର ପୁନରୁଦ୍ଧାର ପାଇଁ ଦେବୋତ୍ତର ବିଭାଗ, ବ୍ଲକ୍ ପ୍ରଶାସନ ଏବଂ ସ୍ଥାନୀୟ ନେତୃତ୍ୱର ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଉକ୍ତ ତୀର୍ଥ ପୁଷ୍ପରିଣୀ ଅବହେଳିତ ହୋଇ ପଡ଼ିରହିଥିବା ସାଧାରଣରେ ଅଭିଯୋଗ ହୋଇଛି ।