sanjay-dasburma

କେନ୍ଦ୍ର ୩୬.୯% କିରାସିନି କୋଟା କାଟିଛନ୍ତି: ମନ୍ତ୍ରୀ

32

କେନ୍ଦ୍ର ନିଷ୍ପତ୍ତିକୁ ରାଜ୍ୟର ବିରୋଧ/ ମୁଣ୍ଡପିଛା ପଡ଼ୁଛି ୬୪୦ ମିଲିଲିଟର
ଭୁବନେଶ୍ୱର (ବୁ୍ୟରୋ): କେନ୍ଦ୍ର ସରକାର ରାଜ୍ୟର କିରାସିନି କୋଟାକୁ ଗତବର୍ଷ ତୁଳନାରେ ୩୬.୯%କୁ ହ୍ରାସ କରିଛନ୍ତି । ଫଳରେ କାର୍ଡଧାରୀଙ୍କ ଲାଗି ମୁଣ୍ଡପିଛା କିରାସିନି ୬୪୦ମିଲିଲିଟର ପଡ଼ୁଛି । ଗ୍ୟାସ୍ ସଂଯୋଗ ନେଇଥିବା ହିତାଧିକାରୀଙ୍କୁ କିରାସିନି ନଦେବା ପାଇଁ କେନ୍ଦ୍ରସରକାର ନୀତିଗତ ଭାବେ ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି । ରାଜ୍ୟର କୋଟା ନକାଟିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ପୁଣି ଅପିଲ୍ କରୁଛନ୍ତି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବିଧାନସଭାରେ କହିଛନ୍ତି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୨୦୧୭-୧୮ ଆର୍ଥିକ ବର୍ଷର ୧୦୦୬ କୋଟି ୭୨ଲକ୍ଷ ୧୮ହଜାର ଟଙ୍କାର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦାସବର୍ମା କହିଥିଲେ ଯେ, ୨୦୧୫ ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟକୁ ୯୮,୪୪୮ କିଲୋଲିଟର କିରାସିନି ଆବଣ୍ଟନ କରିଥିଲେ । ୨୦୧୭ ଏପି୍ରଲ୍ରୁ ଜୁନ୍ ପର୍ଯ୍ୟନ୍ତ ୬୨୧୧୨ କିଲୋଲିଟର କିରାସିନି ଆବଣ୍ଟନ କରିଛନ୍ତି, ଯାହାକି ୩୬ହଜାର ୩୩୬ କିଲୋଲିଟର କମ୍ ଅଟେ । ଫଳରେ କିରାସିନି ଖାଉଟିମାନେ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମ ରାଜ୍ୟରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି । ଏଠାରେ କିରାସିନି କେବଳ ରନ୍ଧନ ପାଇଁ ନୁହେଁ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ତେଣୁ ରାଜ୍ୟର ଆବଶ୍ୟକତା ଅନୁଯାୟୀ କିରାସିନି ଯୋଗାଇ ଦିଆଯାଉ । ଖୋଲା ବଜାରରେ କିରାସିନି ଉପଲବ୍ଧ କରିବା ପାଇଁ ବିରୋଧୀ ଦଳ ନେତା ଯେଉଁ ପ୍ରସ୍ତାବ ଦେଇଛନ୍ତି, ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯିବ । କିରାସିନି ହୋଲ୍ସେଲର୍ ନିଯୁକ୍ତି କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେ ଆଲୋଚନା କରି ରାଜ୍ୟରେ ଅଧିକ ସବ୍ହୋଲ୍ସେଲର୍ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସମ୍ମତି ପରେ ବିଭାଗ ପକ୍ଷରୁ ସର୍ଭେ କରାଯାଇ ସବ୍ହୋଲ୍ସେଲର୍ ନିଯୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି । ମାତ୍ର ଏପର୍ଯ୍ୟନ୍ତ କେନ୍ଦ୍ରସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ୩କୋଟି ୨୬ଲକ୍ଷ ୪୧ହଜାର ୬ଶହ ହିତାଧିକାରୀ ଚୟନ କରିବା ପାଇଁ କେନ୍ଦ୍ର ସରକାର ସିଲିଂ କରିଛନ୍ତି । ତେବେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସାମଗ୍ରୀକୁ ଅନ୍ୟମାନେ ମଧ୍ୟ ନେବାପାଇଁ ଆଗ୍ରହୀ । ଗରିବ ତାଲିକାରେ ରହିବାକୁ କିଛି ଲୋକଙ୍କର ମାନସିକତା ରହିଛି । ଏହା ଦୂର ହେବା ଦରକାର । ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେଲା । ମାତ୍ର ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ ବିପିଏଲ୍ ପରିବାର, ଏଏୱାଇ ହିତାଧିକାରୀ ଓ କେବିକେର ଏପିଏଲ୍ ପରିବାରଙ୍କୁ କିଲୋପ୍ରତି ୨ଟଙ୍କାରେ ଚାଉଳ ପ୍ରଦାନକରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିଲେ । ଦାରିଦ୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ଏହା ହେଉଛି ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧତା ବୋଲି ଶ୍ରୀ ଦାସବର୍ମା କହିଥିଲେ । ଶ୍ରୀ ଦାସବର୍ମା କହିଥିଲେ ଯେ, ଧାନକ୍ରୟ ନେଇ ଅନେକ ପ୍ରଶ୍ନ ଉଠୁଛି । ଚଳିତବର୍ଷ ୩୭.୬୦ ଟନ୍ ଧାନ କିଣାଯାଇଛି ଓ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ୫୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଯାହା ଚାଷୀଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଉଛି । ଚାଷୀଙ୍କର ସମସ୍ତ ବିକି୍ରଯୋଗ୍ୟ ବଳକା ଧାନକୁ କିଣିବାଲାଗି ସରକାର ପ୍ରତିଶ୍ରୁତିବଦ୍ଧ । ଗତମାସ ପର୍ଯ୍ୟନ୍ତ ଚାଷୀ ପଞ୍ଜିକରଣ କରାଯାଇଥିଲା । ଏହା କରାଗଲା ପରେ ବାରମ୍ବାର ଚାଷୀଙ୍କୁ ପଞ୍ଜିକୃତ ହେବାର ଆବଶ୍ୟକତା ନାହିଁ । ସରକାରଙ୍କ ପାଖରେ ଏହାର ଏକ ଡାଟାବେସ୍ ରହିଛି । ଭୂଲେଖ ସହ ସଂଯୋଗ କରାଯାଇ ଚାଷୀ ପଞ୍ଜିକରଣ କରାଯାଇଥିବାରୁ ନକଲି ଧାନ ବିକୁଥିବା ଯେଉଁ ଅଭିଯୋଗ ଆସିଥିଲା, ତାହାକୁ ପ୍ରତିରୋଧ କରାଯାଇପାରିଛି । ରାସନ୍ କାର୍ଡ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ କାର୍ଯ୍ୟ କରୁଛି । ଯେଉଁ ଯୋଗ୍ୟ ହିତାଧିକାରୀମାନେ ବାଦ୍ ପଡ଼ିଛନ୍ତି, ସେମାନେ ଆଉଥରେ ପଞ୍ଜିକୃତ ହୋଇପାରିବେ । ସ୍ଥାନୀୟ ବିଧାୟକମାନେ ଏହାର ଦାୟିତ୍ୱ ନେବା ଦରକାର । କେଉଁଝର ଜିଲ୍ଲାର ଯେଉଁ ବ୍ଲକରେ ବିଏଲ୍ଏସି ନାହିଁ, ତାହା ୩ଦିନ ଭିତରେ ଗଠନ କରାଯିବ । ଧାନ ବିକିବା ପାଇଁ ସରକାର ଯେଉଁ ସିଲିଂ ଧାର୍ଯ୍ୟ କରିଛନ୍ତି, ଆଗାମୀ ଖାଦ୍ୟନୀତିରେ ଏହାକୁ ପରିବର୍ତ୍ତନ କରିବାଲାଗି ବିଚାର କରାଯାଉଛି । ଯେଉଁ ପରିବହନ ଠିକାଦାରମାନେ ଏମ୍ଡିଏମ୍ ଖାଦ୍ୟ ଯୋଗାଣରେ ଘୋଟାଲା କରିଛନ୍ତି, ତାହା ଅନୁଧ୍ୟାନ କରାଯିବ । କ୍ଷୀତିଶ ଶାହା ଓ ଶର୍ମା ଟ୍ରେଡର୍ସ ବିରୋଧରେ ଯେଉଁ ଅଭିଯୋଗ ବିଧାୟକ ଆଣିଛନ୍ତି, ତାହାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା କହିଛନ୍ତି ।




Powered by odothemes.com